କେସିଙ୍ଗା ବ୍ଲକର ୧୧ତମ ସମିତି ବୈଠକ: ବିଭାଗୀୟ ଅଧିକାରୀଙ୍କ ଅନୁପସ୍ଥିତିକୁ ନେଇ ଅସନ୍ତୋଷ ବନ୍ୟା ପ୍ରଭାବିତ ଅଞ୍ଚଳର ସମସ୍ୟା ତୁରନ୍ତ ସମାଧାନ ନିର୍ଦ୍ଦେଶ, ବିଦ୍ୟୁତ ସମସ୍ୟା ଉପରେ ଜନପ୍ରତିନିଧିଙ୍କ ଅସନ୍ତୋଷ
କେସିଙ୍ଗା, ୨୧/୮ (ଷ୍ଟାରନିୟୁଜ

ଓଡ଼ିଶା): କେସିଙ୍ଗା ବ୍ଲକର ୧୧ତମ ସମିତି ବୈଠକ ଶୁକ୍ରବାର ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ପରିସରସ୍ଥିତ ସଦ୍ଭାବନା ଗୃହରେ ଅନୁଷ୍ଠିତ ହୋଇଛି। ବ୍ଲକ ଅଧ୍ୟକ୍ଷ ଚନ୍ଦନ କୁମାର ସେନାପତିଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।
ବୈଠକରେ କେସିଙ୍ଗା ବିଡିଓ ଜନ୍ମେଜୟ ସ୍ୱାଇଁ, ଏବିଡିଓ ସିଦ୍ଧେଶ୍ୱର ମେହେର, ବ୍ଲକ ଆସିଷ୍ଟାଣ୍ଟ ଇଞ୍ଜିନିୟର ଆନନ୍ଦ କୁମାର ମଣ୍ଡଳ ଓ ଜିପିଡିଓ ସମୀର ନାଏକଙ୍କ ସମେତ ବ୍ଲକର ସମସ୍ତ ସମିତି ସଭ୍ୟ/ସଭ୍ୟା, ସରପଞ୍ଚ ଓ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।
ବୈଠକ ଆରମ୍ଭରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ କେସିଙ୍ଗା ବ୍ଲକର ବେଲଖଣ୍ଡି, ସୀର୍ଜାପାଲି ଓ ଏହାର ଆଖପାଖ ଅଞ୍ଚଳରେ ନିକଟରେ ଘଟିଥିବା ବନ୍ୟାରେ ହୋଇଥିବା କ୍ଷୟକ୍ଷତି ଓ ଲୋକଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ବନ୍ୟା ପରବର୍ତ୍ତୀ ସମସ୍ୟାଗୁଡ଼ିକର ତୁରନ୍ତ ସମାଧାନ ପାଇଁ ସମ୍ପୃକ୍ତ ବିଭାଗ ଅଧିକାରୀଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେବାକୁ ସେ ନିର୍ଦ୍ଦେଶ ଦେବା ସହ ଅନୁରୋଧ କରିଥିଲେ।
ଅନ୍ୟପକ୍ଷରେ, ବୈଠକରେ ବିଦ୍ୟୁତ ବିଭାଗକୁ ଛାଡ଼ି କେତେକ ବିଭାଗର ଅଧିକାରୀ ଅନୁପସ୍ଥିତ ରହିଥିବା ନେଇ ଜନପ୍ରତିନିଧିମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଏହାକୁ ନେଇ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ବ୍ଲକ ଅଧ୍ୟକ୍ଷ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଅନୁପସ୍ଥିତ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବାକୁ ବିଡିଓଙ୍କୁ କୁହାଯାଇଥିଲା।
କିଛି ସମୟ ପରେ କେସିଙ୍ଗା ବିଦ୍ୟୁତ ବିଭାଗର ଏସ୍ଡିଓ ବୈଠକରେ ପହଞ୍ଚି ଯୋଗଦେଇଥିଲେ। ଏହାପରେ ଉତ୍କେଲା ସମିତି ସଭ୍ୟ, ପାଷ୍ଟିକୁଡ଼ି ସମିତି ସଭ୍ୟା ଓ ତୁଣ୍ଡଲା ସରପଞ୍ଚ ନିଜ ନିଜ ଅଞ୍ଚଳର ବିଦ୍ୟୁତ ସମସ୍ୟା ନେଇ ଏସ୍ଡିଓଙ୍କୁ ପ୍ରଶ୍ନ କରିଥିଲେ। ବିଦ୍ୟୁତ ବିଭାଗର କାର୍ଯ୍ୟଶୈଳୀ, ସମସ୍ୟା ସମାଧାନରେ ବିଳମ୍ବ ଓ ଅସହଯୋଗ ନେଇ ସେମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ।
ଜନପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ ବିଦ୍ୟୁତ ବିଭାଗର ଏସ୍ଡିଓ କେତେକ ସମସ୍ୟାକୁ ଆସନ୍ତା ୭ ଦିନ ମଧ୍ୟରେ ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଅନ୍ୟ ସମସ୍ତ ବିଦ୍ୟୁତ ସମସ୍ୟାକୁ ମଧ୍ୟ ଶୀଘ୍ର ସମାଧାନ କରାଯିବ ବୋଲି ସେ ଆଶ୍ୱାସନ ଦେଇଥିଲେ।
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)