ଖଟିଆ ଭାରରେ ବୁହାହୋଇ ଡାକ୍ତରଖାନା ଗଲେ ଗର୍ଭବତୀ ।

Nov 11, 2025 - 21:31
Updated: 10 months ago
0 103
ଖଟିଆ ଭାରରେ ବୁହାହୋଇ ଡାକ୍ତରଖାନା ଗଲେ ଗର୍ଭବତୀ ।

ଫିରିଙ୍ଗିଆ,୧୧l୧୧ (ଷ୍ଟାର ନିୟୁଜ): ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଗାଁ କୁ ସହର ସହିତ ଯୋଡିବା ପାଇଁ ପକ୍କା ରାସ୍ତାର ବ୍ୟବସ୍ଥା କରିଛନ୍ତି, ହେଲେ ଏବେବି ଆଦିବାସୀ ବହୁଳ ଉପାନ୍ତ ଅଞ୍ଚଳ ମାନଙ୍କରେ ପକ୍କା ରାସ୍ତା ସଂଯୋଗ ହୋଇ ପାରିନଥିବାରୁ ଆଜିବି ସେମାନେ ଦୁର୍ବିସହ ଜୀବନ ଜିଉଁଛନ୍ତି । ସ୍ଥାନୀୟ ଜନ ପ୍ରତିନିଧି ତଥା ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ଓ ୱାର୍ଡ ସଭ୍ୟ ମାନେ ଏସବୁ ଅଞ୍ଚଳକୁ ପକ୍କା ରାସ୍ତା ଯୋଗେଇ ଦେବା ସହିତ ଆବଶ୍ୟକ ସ୍ଥଳେ ଶଙ୍ଖ ସବୁ ନିର୍ମାଣ ପାଇଁ ପ୍ରଶାସନ ଆଗରେ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ ପ୍ରଶାସନ ଜନ ପ୍ରତିନିଧି ମାନଙ୍କ ଅଭିଯୋଗ ଉପରେ ଗୁରୁତ୍ବ ଦେଉନଥିବାରୁ ଉକ୍ତ ଅଂଚଳର ଜନସାଧାରଣ ଅଭିଶପ୍ତ ଜୀବନ ଜିଉଁଥିବା ଜନ ପ୍ରତିନିଧିମାନେ କ୍ଷୋଭର ସହ ପ୍ରକାଶ କରିଛନ୍ତି । ଏପରିକି ପୂର୍ବତନ ବିଧାୟକ ଅଙ୍ଗଦ କହଁର ମଧ୍ୟ ଉକ୍ତ ଗ୍ରାମକୁ ଗସ୍ତ କରିଥିବା ସମୟରେ ଗ୍ରାମବାସୀ ରାସ୍ତା ଓ ନାଳ ବିଷୟରେ ଜଣେଇଥିବା କହିଛନ୍ତି। ତଥାପି କୌଣସି ସୁଫଳ ମିଳି ନାହିଁ।ଏଭଳି ଏକ ଘଟଣା ଆଜି ସାମ୍ନାକୁ ଆସିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ପାଙ୍ଗା ପଂଚାୟତ ଅନ୍ତର୍ଗତ ସବେରୀ ଗ୍ରାମରେ ।ଉକ୍ତ ଗ୍ରାମର ପୁଷ୍ପଲତା ବିନ୍ଧାଣୀ ଗର୍ଭବତୀ ମହିଳା ଙ୍କୁ ପ୍ରସବ ବେଦନା ହେବା ପରେ ଉକ୍ତ ଗ୍ରାମର ଆଶା ଦିଦି ସଂଗେ ସଂଗେ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ହେଲେ ଆମ୍ବୁଲାନ୍ସ ଆସିଥିଲା ସତ କିନ୍ତୁ ରାସ୍ତାର ଅବସ୍ଥା ଅତି ଶୋଚନୀୟ ସାଙ୍ଗକୁ ରାସ୍ତାରେ ଏକ ବଡ଼ ନାଳ ପଡୁଥିବାରୁ ଆମ୍ବୁଲାନ୍ସ ଟି ଗ୍ରାମଠାରୁ ୧କିଲୋମିଟର ଦୂରରେ କାଲାଡି ପାଜିପାରି ଗାଁ ରେ ଅଟକି ରହିଥିଲା ପରେ ଆଶା ଦିଦି, ଆମ୍ବୁଲାନ୍ସ ଡ୍ରାଇଭର ଓ ଗ୍ରାମର ଜନ ସାଧାରଣ ମିଶି ଖଟିଆରେ ୧କିଲୋମିଟର ଏକ ଭାର କରି ତହିଁରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେଇଯିବା ପରେ ତାଙ୍କୁ ଫିରିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇଥିଲେ । ସେଠାରେ ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିବା ସୂଚନା ମିଳିଛି ଓ ଉଭୟ ମା ପୁଅ ସୁସ୍ଥ ଥିବା ସୂଚନା ମିଳିଛି । ଅନ୍ୟପଟେ ରାସ୍ତାର ଅବସ୍ଥା ଏତେ କଦର୍ଯ୍ୟ ଥିଲା ଯେ ନିଜେ ଆମ୍ବୁଲାନ୍ସ ଡ୍ରାଇଭର ଜିତୁ ମାଝୀ ଗର୍ଭବତୀଙ୍କୁ କାନ୍ଧରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେଇଥିଲେ ।ପ୍ରଶାସନ ଉକ୍ତ ଗ୍ରାମର ଦୁଃଖକୁ ହୃଦୟଙ୍ଗମ କରି ଯଥାଶୀଘ୍ର ଉକ୍ତ ଗ୍ରାମକୁ ଏକ ପକ୍କା ରାସ୍ତା ଯୋଗେଇ ଦେବା ସହ ମେଣ୍ଡ ମୁଣ୍ଡା ନାଳରେ ଏକ ସ୍ଥାୟୀ ପୋଲ ନିର୍ମାଣ କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User