ଗାଡେବନ୍ଧ ଅଙ୍ଗନବାଡ଼ି କେନ୍ଦ୍ରରେ ଦୁଇ ବର୍ଷ ହେଲା ମିଳୁନି ପୁଷ୍ଟିକର ରନ୍ଧା ଖାଦ୍ୟ
ନର୍ଲା, ୧୭/୮ (ଷ୍ଟାରନିୟୁଜ ଓଡ଼ିଶା): କୁନି କୁନି ଶିଶୁଙ୍କ ପୁଷ୍ଟି ଓ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ସରକାରଙ୍କ ପକ୍ଷରୁ ଅଙ୍ଗନବାଡ଼ି କେନ୍ଦ୍ର ମାଧ୍ୟମରେ ପୁଷ୍ଟିକର ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ହେଲେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅଧୀନ ଗାଡେବନ୍ଧ ଗ୍ରାମପଞ୍ଚାୟତର ଗାଡେବନ୍ଧ ଗ୍ରାମସ୍ଥିତ ଅଙ୍ଗନବାଡ଼ି କେନ୍ଦ୍ରରେ ଦୀର୍ଘ ଦୁଇ ବର୍ଷ ହେଲା ଶିଶୁମାନଙ୍କୁ ରନ୍ଧା ପୁଷ୍ଟିକର ଖାଦ୍ୟ ଦିଆଯାଉନଥିବା ଅଭିଯୋଗ ହୋଇଛି।
ଏହି କେନ୍ଦ୍ରରେ ପ୍ରାୟ ୩୦ ଜଣ ଶିଶୁ ରହିଥିବା ବେଳେ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ଖାଦ୍ୟ ରନ୍ଧା ହୋଇ ଶିଶୁମାନଙ୍କୁ ପରିବେଷଣ କରାଯାଉନଥିବା ଅଭିଯୋଗ ଆସିଛି। ଏହା ବଦଳରେ ଶିଶୁମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଉଥିବା କୁହାଯାଇଛି।
ଘଟଣା ସମ୍ପର୍କରେ ଖବର ପାଇ ମିଡିଆ ପ୍ରତିନିଧି ଗାଡେବନ୍ଧ ଅଙ୍ଗନବାଡ଼ି କେନ୍ଦ୍ରରେ ପହଞ୍ଚି ଅଙ୍ଗନବାଡ଼ି କର୍ମୀଙ୍କଠାରୁ ପ୍ରତିକ୍ରିୟା ନେଇଥିଲେ। ଅଙ୍ଗନବାଡ଼ି କର୍ମୀଙ୍କ କହିବାନୁଯାୟୀ, “ଦୁଇ ବର୍ଷ ହେଲା ଶିଶୁମାନଙ୍କୁ ପୁଷ୍ଟିକର ରନ୍ଧା ଖାଦ୍ୟ ଦିଆଯାଇନାହିଁ। କେନ୍ଦ୍ରରେ ହେଲ୍ପର ନଥିବାରୁ ରନ୍ଧା ଖାଦ୍ୟ ପ୍ରସ୍ତୁତ କରିବାରେ ସମସ୍ୟା ହେଉଛି। ତେଣୁ ସରକାରଙ୍କ ପକ୍ଷରୁ ଆସୁଥିବା ଖାଦ୍ୟ ରାନ୍ଧିବା ବଦଳରେ ଶିଶୁମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଉଛି।”
ତେବେ ଏଠାରେ ପ୍ରଶ୍ନ ଉଠୁଛି, ଅଙ୍ଗନବାଡ଼ି କେନ୍ଦ୍ରରେ ଦୁଇ ବର୍ଷ ଧରି ହେଲ୍ପର ନିଯୁକ୍ତ ହୋଇନଥିବାର କାରଣ କ’ଣ? ଯଦି ହେଲ୍ପରଙ୍କ ଅଭାବ ଯୋଗୁଁ ରନ୍ଧା ଖାଦ୍ୟ ଦିଆଯାଇପାରୁନାହିଁ, ତେବେ ଏତେ ଦିନ ଧରି ଏହାର ବିକଳ୍ପ ବ୍ୟବସ୍ଥା କାହିଁକି କରାଯାଇନାହିଁ? ଏହାସହ କେନ୍ଦ୍ରର ଦାୟିତ୍ୱରେ ଥିବା କର୍ମଚାରୀମାନଙ୍କ ମଧ୍ୟରେ କୌଣସି ମତାନ୍ତର ରହିଛି କି, ଯାହା ଫଳରେ ରନ୍ଧା ଖାଦ୍ୟ ବ୍ୟବସ୍ଥା ପ୍ରଭାବିତ ହେଉଛି—ତାହା ମଧ୍ୟ ତଦନ୍ତସାପେକ୍ଷ।
ସରକାର ଶିଶୁମାନଙ୍କ ପୁଷ୍ଟି ଓ ସ୍ୱାସ୍ଥ୍ୟ ପାଇଁ ଯୋଗାଇ ଦେଉଥିବା ଖାଦ୍ୟ ନିୟମିତ ଭାବେ ରନ୍ଧା କରି ପରିବେଷଣ କରିବାର ବ୍ୟବସ୍ଥା ଥିବା ସତ୍ତ୍ୱେ ଦୀର୍ଘ ଦୁଇ ବର୍ଷ ଧରି ଏଭଳି ପରିସ୍ଥିତି କିପରି ଚାଲିଛି, ତାହାକୁ ନେଇ ଅଭିଭାବକ ଓ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏହାଦ୍ୱାରା କୁନି କୁନି ଶିଶୁମାନେ ଆବଶ୍ୟକ ପୁଷ୍ଟିରୁ ବଞ୍ଚିତ ହେବାର ଆଶଙ୍କା ମଧ୍ୟ ପ୍ରକାଶ ପାଇଛି।
ଏନେଇ ନର୍ଲା ସିଡିପିଓଙ୍କୁ ଫୋନ୍ ଯୋଗେ ପଚାରିବାରୁ ସେ ଘଟଣାର ତଦନ୍ତ ପାଇଁ ସୁପରଭାଇଜରଙ୍କୁ ପଠାଇବେ ବୋଲି କହିଛନ୍ତି।
ଏବେ ଖବର ପ୍ରସାରଣ ପରେ ବିଭାଗୀୟ କର୍ତ୍ତୃପକ୍ଷ ଘଟଣାର କିପରି ତଦନ୍ତ କରୁଛନ୍ତି, ଦୀର୍ଘ ଦୁଇ ବର୍ଷ ଧରି ହେଲ୍ପର ନିଯୁକ୍ତି କାହିଁକି ହୋଇନାହିଁ ଏବଂ ଶିଶୁମାନଙ୍କୁ ରନ୍ଧା ପୁଷ୍ଟିକର ଖାଦ୍ୟ ଯୋଗାଣ ବ୍ୟବସ୍ଥା କେବେ ସ୍ୱାଭାବିକ ହେବ—ତାହା ଉପରେ ସମସ୍ତଙ୍କ ନଜର ରହିଛି।

What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)