ଶ୍ରମିକଙ୍କ ହକ୍‌ ପାଇଁ BMSର ରଣହୁଙ୍କାର ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର, ମଜୁରୀ ବୃଦ୍ଧିଠାରୁ ପେନସନ୍‌ ପର୍ଯ୍ୟନ୍ତ ଉଠିଲା ଦାବି

Aug 17, 2026 - 17:24
0 47
ଶ୍ରମିକଙ୍କ ହକ୍‌ ପାଇଁ BMSର ରଣହୁଙ୍କାର ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର, ମଜୁରୀ ବୃଦ୍ଧିଠାରୁ ପେନସନ୍‌ ପର୍ଯ୍ୟନ୍ତ ଉଠିଲା ଦାବି

କେସିଙ୍ଗା/ଭବାନୀପାଟଣା, ୧୭/୮ (ଷ୍ଟାର ନିୟୁଜ ଓଡ଼ିଶା): ଶ୍ରମିକଙ୍କ ଦାବି ଓ ଅଧିକାରକୁ ନେଇ କଳାହାଣ୍ଡିରେ ସ୍ୱର ଉଠାଇଛି ଭାରତୀୟ ମଜଦୁର ସଂଘ (BMS)। ଶ୍ରମିକ ଓ କର୍ମଚାରୀଙ୍କ ବିଭିନ୍ନ ସମସ୍ୟାର ଶୀଘ୍ର ସମାଧାନ ଦାବି କରି ସଂଘ ପକ୍ଷରୁ କଳାହାଣ୍ଡି ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିକଟକୁ ସ୍ମାରକପତ୍ର ପଠାଯାଇଛି।
ରାଞ୍ଚିରେ ଜୁଲାଇ ୨୬ରୁ ୨୮ ତାରିଖ ଯାଏଁ ଅନୁଷ୍ଠିତ BMSର ୧୬୧ତମ କେନ୍ଦ୍ରୀୟ କାର୍ଯ୍ୟ ସମିତି ବୈଠକରେ ଦେଶର ସଂଗଠିତ ଓ ଅସଂଗଠିତ ଶ୍ରମିକଙ୍କ ସମସ୍ୟା ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଏହି ବୈଠକର ନିଷ୍ପତ୍ତି ଅନୁଯାୟୀ ଅଗଷ୍ଟ ୧୭ରେ ଦେଶବ୍ୟାପୀ ଦାବିପତ୍ର ପ୍ରଦାନ ସହ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ପାଇଁ ଆହ୍ୱାନ ଦିଆଯାଇଥିଲା।
ଅଙ୍ଗନୱାଡି ଓ ଆଶା କର୍ମୀଙ୍କ ପାଇଁ ଦାବି: ସ୍ମାରକପତ୍ରରେ ଅଙ୍ଗନୱାଡି ଓ ଆଶା କର୍ମୀଙ୍କୁ କର୍ମଚାରୀ ମାନ୍ୟତା ପ୍ରଦାନ ସହ ସମ୍ମାନଜନକ ବେତନ ଦେବାକୁ ଦାବି ହୋଇଛି। ଆଶା କର୍ମୀଙ୍କୁ ପ୍ରସୂତିକାଳୀନ ଛୁଟି ସମୟରେ ପୂର୍ଣ୍ଣ ମାନଦେୟ ଏବଂ ନିର୍ବାଚନୀ ପ୍ରତିଶ୍ରୁତି ଅନୁଯାୟୀ ଅଙ୍ଗନୱାଡି ଓ ଆଶା କର୍ମୀଙ୍କ ମାନଦେୟ ବୃଦ୍ଧି ପାଇଁ ମଧ୍ୟ ସଂଘ ଦାବି ଜଣାଇଛି।
ମଜୁରୀ ଓ ପେନସନ୍‌ ଉପରେ ଜୋର: ଚୁକ୍ତିଭିତ୍ତିକ ଓ ଠିକା କର୍ମଚାରୀଙ୍କ ସମେତ ସମସ୍ତ କ୍ଷେତ୍ରରେ ‘ସମାନ କାମକୁ ସମାନ ଦରମା’ ଲାଗୁ କରିବା ସହ ସର୍ବନିମ୍ନ ମଜୁରୀ ୩୦ ହଜାର ଟଙ୍କା କରିବାକୁ ଦାବି କରାଯାଇଛି। EPS-95 ଅଧୀନରେ ନ୍ୟୁନତମ ପେନସନ୍‌ ୧୧ ହଜାରରୁ ୧୭ ହଜାର ୫୦୦ ଟଙ୍କାକୁ ବୃଦ୍ଧି, ଏଥିରେ ମହଙ୍ଗା ଭତ୍ତା ଯୋଡ଼ିବା ଏବଂ ଆୟୁଷ୍ମାନ ଭାରତ ଯୋଜନା ସହ ସଂଯୋଗ କରିବା ପାଇଁ ଦାବି ରହିଛି।
ଏଥିସହ EPF, ESIC ଓ ବୋନସ ଗଣନା ସୀମାକୁ ଦ୍ୱିଗୁଣିତ କରିବା, ପୁରୁଣା ପେନସନ୍‌ ଯୋଜନା (OPS) ପୁନଃ ଲାଗୁ କରିବା, ଗ୍ରାଚୁଇଟି ଗଣନା ୧୫ ଦିନ ପରିବର୍ତ୍ତେ ୩୦ ଦିନର ମଜୁରୀ ଆଧାରରେ କରିବା ଏବଂ ଶ୍ରମ ସଂହିତାରେ ଥିବା ଶ୍ରମିକବିରୋଧୀ ବ୍ୟବସ୍ଥାରେ ସଂଶୋଧନ ଆଣିବାକୁ BMS ଦାବି କରିଛି।
ଓଡ଼ିଶାର ବିଭିନ୍ନ ଉଦ୍ୟୋଗରେ ହୋଇଥିବା ବେଆଇନ ଛଟେଇକୁ ପ୍ରତ୍ୟାହାର କରି ଛଟେଇର ଶିକାର ହୋଇଥିବା ଶ୍ରମିକଙ୍କୁ ପୁନଃନିଯୁକ୍ତି ଦେବାକୁ ମଧ୍ୟ ସଂଘ ଦାବି ରଖିଛି।
ଏହି କାର୍ଯ୍ୟକ୍ରମରେ ଅଙ୍ଗନୱାଡି ୱାର୍କର୍ସ, ରାଇସ୍‌ମିଲ୍ ଓ ମୁଣ୍ଡି ହେମାଳ ୟୁନିଅନ, ପାଚିକା ସହାୟିକା, ସ୍କୁଲ୍ ଏବଂ ମିଶନ ଶକ୍ତି ସଂଘର କାର୍ଯ୍ୟକର୍ତ୍ତାମାନେ ସାମିଲ ହୋଇଥିଲେ। BMS ଅଙ୍ଗନୱାଡି ପ୍ରଭାରୀ କଳାହାଣ୍ଡି ଝୁନୁ ପମା ଶତପଥୀ, ପ୍ରେମଲତା ସାମନ୍ତରାୟ, ମୁଣ୍ଡି ହେମାଳ ସଂଘ ସଭାପତି ସୁରେନ୍ଦ୍ର ମୋହନ କର, BMS ଜିଲ୍ଲା ସମ୍ପାଦକ ଲୋଚନ ସାହୁ, ଜିଲ୍ଲା ସଭାପତି ଡୋଳାମଣି ସାହୁଙ୍କ ସମେତ ଭବାନୀଶଙ୍କର ରାଉତ,ନଳୀନିମଞ୍ଜୁରୀ ବାଗ,ନବୀନ ଛତ୍ରିଆ, ପଙ୍କଜ ମଙ୍ଗରାଜ ଓ ବଳରାମ କର ପ୍ରମୁଖ ଉପସ୍ଥିତ ଥିଲେ।
ଶ୍ରମିକଙ୍କ ଜୀବନଧାରଣର ମାନ, ଶ୍ରମର ମର୍ଯ୍ୟାଦା, ସାମାଜିକ ସୁରକ୍ଷା, ଉଚିତ ପାରିଶ୍ରମିକ ଓ ନିରାପଦ କାର୍ଯ୍ୟ ପରିବେଶକୁ ସୁନିଶ୍ଚିତ କରିବା ସହ ଶ୍ରମିକ, ମାଲିକ ଓ ସରକାରଙ୍କ ମଧ୍ୟରେ ସୁସମ୍ପର୍କ ଓ ଶିଳ୍ପ କ୍ଷେତ୍ରରେ ଉତ୍ପାଦନଶୀଳତା ବୃଦ୍ଧି ପାଇଁ ସରକାର ଦାବିଗୁଡ଼ିକ ଉପରେ ଗୁରୁତ୍ୱ ଦେଇ ଶୀଘ୍ର ପଦକ୍ଷେପ ନେବାକୁ BMS ପକ୍ଷରୁ ଦାବି କରାଯାଇଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User