ଘୋଷଣାରେ ସୀମିତ ମକା ପ୍ରକ୍ରିୟାକରଣ ୟୁନିଟ୍‌ ଅଭାବୀ ବିକ୍ରିର ଶିକାର ଚାଷୀ।

Oct 15, 2025 - 12:02
 0  21
ଘୋଷଣାରେ ସୀମିତ ମକା ପ୍ରକ୍ରିୟାକରଣ ୟୁନିଟ୍‌ ଅଭାବୀ ବିକ୍ରିର ଶିକାର ଚାଷୀ।

ଝରିଗାଁ,୧୫l୧୦(ଷ୍ଟାର ନିୟୁଜ ଓଡିଶା): ରାଜ୍ୟର ସର୍ବାଧିକ ମକା ଚାଷ ହେଉଛି ନବରଙ୍ଗପୁର ଜିଲ୍ଲାରେ। ଉମରକୋଟ, ଝରିଗାଁ ଏବଂ ରାଇଘର ବ୍ଲକରୁ ଜିଲ୍ଲାର ପ୍ରାୟ ୭୦ ପ୍ରତିଶତ ମକା ଉତ୍ପାଦନ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ଉମରକୋଟରେ ମକା ପ୍ରକ୍ରିୟାକରଣ ୟୁନିଟ୍‌ ସ୍ଥାପନ ପାଇଁ ୩ଟି ବ୍ଲକର ଚାଷୀମାନେ ଦାବି କରି ଆସୁଛନ୍ତି। କିନ୍ତୁ ସରକାର ଏଥିପ୍ରତି ଗୁରୁତ୍ବ ଦେଉନାହାନ୍ତି। ଉମରକୋଟରେ ମକା ପ୍ରକ୍ରିୟାକରଣ ୟୁନିଟ୍‌ ପ୍ରତିଷ୍ଠା ନେଇ ଘୋଷଣା ହୋଇଥିଲା। କିନ୍ତୁ ଏହା କେବଳ ଘୋଷଣାରେ ହିଁ ସୀମିତ ରହି ଯାଇଛି। ଫଳରେ ମକା ଚାଷୀମାନେ ଅଭାବୀ ବିକ୍ରିର ଶିକାର ହେଉଛନ୍ତି। ଦଲାଲମାନେ କମ୍ ଦରରେ ମକା କିଣି ଲାଭବାନ ହେଉଥିବା ବେଳେ ଚାଷୀମାନେ କ୍ଷତି ସହୁଛନ୍ତି।

    ନବରଙ୍ଗପୁର ଜିଲ୍ଲାରେ ୬୮୯୬୦ ହେକ୍ଟର ଜମିରେ ମକା ଚାଷ ହେଉଥିବା ବେଳେ ରାଇଘର ବ୍ଲକରେ ୧୭୨୬୦ ହେକ୍ଟର, ଉମରକୋଟ ବ୍ଲକରେ ୯୪୪୬ ହେକ୍ଟର ଏବଂ ଝରିଗାଁ ବ୍ଲକରେ ୮୫୫୪ ହେକ୍ଟର ଜମିରେ ମକା ଚାଷ ହେଉଛି। ଏହି ୩ଟି ବ୍ଲକରେ ହଜାର ହଜାର ଟନ ମକା ଉତ୍ପାଦନ ହେଉଛି।କିନ୍ତୁ ମକା ବିକ୍ରି ପାଇଁ ଜିଲ୍ଲାରେ କୌଣସି ସୁବିଧା ନଥିବାରୁ ଚାଷୀ ଅଭାବୀ ବିକ୍ରିର ଶିକାର ହେଉଛନ୍ତି। ୨୦୧୧ ମସିହାରେ ତତ୍କାଳୀନ ବିଜେଡି ସରକାରଙ୍କ ସାଂସଦ ପ୍ୟାରୀମୋହନ ମହାପାତ୍ର ଉକ୍ତ ୩ଟି ବ୍ଳକର ମକା ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଉମରକୋଟରେ ମକା ପ୍ରକ୍ରିୟାକରଣ ୟୁନିଟ୍‌ ଖୋଲିବା ନେଇ ଘୋଷଣା କରିଥିଲେ। କିନ୍ତୁ ଘୋଷଣାର ବହୁ ବର୍ଷ ପରେ ମଧ୍ୟ ମକା ପ୍ରକ୍ରିୟାକରଣ ୟୁନିଟ୍‌ ଘୋଷଣାରେ ହିଁ ସୀମିତ ରହିଯାଇଛି। ଏପରିକି ବର୍ତ୍ତମାନର ବିଜେପି ସରକାର ମଧ୍ୟ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି। ଗରିବ ଚାଷୀଙ୍କ ନିକଟରେ ମକା ରଖିବା ପାଇଁ ସ୍ଥାନ ଅଭାବ ସହ ମକା ମଣ୍ଡି ନାମକୁ ମାତ୍ର ଚାଲିଥିବାରୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ଉତ୍ପାଦିତ ମକା ସୁରକ୍ଷିତ ଭାବେ ଗଚ୍ତଛ ରଖିବା ପାଇଁ କୌଣସି ସୁବିଧା ନଥିବାରୁ ଚାଷୀମାନେ ଅସୁରକ୍ଷିତ ଭାବେ ନିଜ ଖଳା କିମ୍ବା ଜମି ନିକଟରେ ନଚେତ ରାସ୍ତା ଉପରେ ରଖୁଛନ୍ତି। ଅନେକ ସମୟରେ ବର୍ଷା ହୋଇ ମକା ନଷ୍ଟ ହେବା ଆଶଙ୍କା ରହୁଛି। ବିଶେଷ କରି ବର୍ଷାରେ ମକା ଭିଜି ରଙ୍ଗ ପରିବର୍ତ୍ତନ ହେବା ସହ ଗଜା ହେବା ଆଶଙ୍କା ଦେଖାଦେଉଛି। ତେଣୁ ଚାଷୀ କୌଣସି ଉପାୟ ନପାଇ ଉତ୍ପାଦନ ପରେ କମ୍ ଦରରେ ମକା ବିକ୍ରି କରି ଉଚିତ୍‌ ମୂଲ୍ୟ ପାଇବାରୁ ବଞ୍ଚିତ ହେଉଛନ୍ତି। ଯଦି ମକା ପ୍ରକ୍ରିୟାକରଣ ୟୁନିଟ୍‌ ଖୋଲାଯାଏ ତେବେ ଚାଷୀ ଏମଏସପି ଦରଠାରୁ ଅଧିକ ଦରରେ ମକା ବିକ୍ରି କରି ଲାଭବାନ ହୋଇପାରିଥାନ୍ତେି। ଏଥିସହ ବେକାର ଯୁବକମାନେ ମଧ୍ୟ ରୋଜଗାରକ୍ଷମ ହୋଇପାରିଥାନ୍ତେ ବୋଲି ବିଭିନ୍ନ ମହଲରେ ଆଲେଚାନା ହେଉଛି। ତେଣୁ ତୁରନ୍ତ ମକା ପ୍ରକ୍ରିୟାକରଣ ୟୁନିଟ୍‌ ଖୋଲିବା ପାଇଁ ରାଜ୍ୟ ସରକାର ଦୃଷ୍ଟି ଦେବାକୁ ଚାଷୀ ମହଲରେ ଦାବି ହୋଇଛି।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

like

dislike

love

funny

angry

sad

wow

SUJAYA EDITOR