ବଜ୍ରପାତ କାଳ ସାଜିଲା: ଗଛ ତଳେ ଆଶ୍ରୟ ନେଇଥିବା ଯୁବକଙ୍କ ମୃତ୍ୟୁ
କଳାହାଣ୍ଡି, ୧୫/୦୬ (ଅକ୍ଷର ଓଡିଶା ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଗୋକୁଳେଶ୍ୱର ଗ୍ରାମର ଜଣେ ଯୁବକ ବଜ୍ରପାତରେ ପ୍ରାଣ ହରାଇଛନ୍ତି। ମୃତ ଯୁବକ ଜଣକ ହେଲେ ଗୋଲକ ଗଉଡ଼ (୧୮)।
ରବିବାର ସନ୍ଧ୍ୟାରେ କେସିଙ୍ଗା ଅଞ୍ଚଳରେ ଋତୁର ପ୍ରଥମ ବର୍ଷା ସହ ଘଡ଼ଘଡ଼ି ଓ ବଜ୍ରପାତ ହୋଇଥିଲା। ସୂଚନା ଅନୁଯାୟୀ, ଗୋଲକ ତାଙ୍କ ମାଆଙ୍କ ରୋଷେଇ ପାଇଁ ଘର ପଛପଟ ଜମିରୁ କାଠ ଆଣିବାକୁ ଯାଇଥିଲେ। ଫେରୁଥିବା ସମୟରେ ହଠାତ୍ ବର୍ଷା ଓ ଘଡ଼ଘଡ଼ି ଆରମ୍ଭ ହେବାରୁ ସେ ନିକଟସ୍ଥ ଏକ ଗଛ ତଳେ ଆଶ୍ରୟ ନେଇଥିଲେ। ଠିକ୍ ସେହି ସମୟରେ ବଜ୍ରପାତ ହେବାରୁ ସେ ଗୁରୁତର ଭାବେ ଆହତ ହୋଇ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ।
ପରିବାର ଲୋକେ ତୁରନ୍ତ ତାଙ୍କୁ ଆମ୍ବୁଲାନ୍ସ ଯୋଗେ କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।
ଗୋଲକଙ୍କ ଅକାଳ ବିୟୋଗରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ପରିବାରଟି ଆର୍ଥିକ ଭାବେ ଦୁର୍ବଳ ହୋଇଥିବାରୁ ସରକାରଙ୍କ ପକ୍ଷରୁ ତୁରନ୍ତ ଆର୍ଥିକ ସହାୟତା ପ୍ରଦାନ କରିବାକୁ ମୃତକଙ୍କ ମାଆ ଦାବି କରିଛନ୍ତି।
What's Your Reaction?