ଶୀତ ଦିନେ ମନେପଡେ ୩ ଜଳପ୍ରପାତ।
ଝରିଗାଁ,୧୬l୧୩(ଷ୍ଟାର ନିୟୁଜ ଓଡିଶା ):ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର ୩ ପ୍ରମୁଖ ଜଳପ୍ରପାତ ଦୀର୍ଘ ବର୍ଷ ହେଲା ଅବହେଳିତ ଅବସ୍ଥାରେ ରହିଛି।ଏହି ୩ଟି ଜଳପ୍ରପାତର ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରିଥାଏ।ବିଶେଷ କରି ଶୀତ ଦିନେ ଏହି ଜଳପ୍ରପାତ ଗୁଡିକରେ ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ।କିନ୍ତୁ ଅଦ୍ୟାବଧି ଦୁଇଟି ଜଳପ୍ରପାତକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ମିଳିନଥିବା ବେଳେ ପାରିପାର୍ଶ୍ବିକ ବିକାଶ ଦିଗରେ ସରକାର ଦୃଷ୍ଟି ଦେଉ ନାହାନ୍ତି।ସେହିପରି ଅନ୍ୟଟି ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇବା ପରେ ମଧ୍ୟ ଭିତ୍ତିଭୂମି ବିକାଶ ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡିରହିଛି।ଫଳରେ ପର୍ଯ୍ୟଟକଙ୍କ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।ଝରିଗାଁ ବ୍ଲକ ସଦର ମହକୁମା ଠାରୁ ମାତ୍ର ୫ କିଲୋମିଟର ଦୂର ଯିବା ପରେ ଦେଖିବାକୁ ମିଳିଥାଏ ଗୋସେଇଁଧାରା ଜଳପ୍ରପାତ।ଝରିଗାଁ ଠାରୁ ବରାଗୁଡା ଏବଂ ପରେ ଝଲାଗୁଡ଼ା ଗ୍ରାମରୁ ୧ କିଲୋମିଟର ଦୂରରେ ଏହି ଜଳପ୍ରପାତ ପଡ଼େ।ଝଲାଗୁଡ଼ା ପର୍ଯ୍ୟନ୍ତ ପକ୍କା ରାସ୍ତା ଥିବା ବେଳେ ସେଠାରୁ ରାସ୍ତା ନଥିବା ଯୋଗୁଁ ପର୍ଯ୍ୟଟକ ମାନଙ୍କୁ ଜଙ୍ଗଲି ଓ ପାହାଡ଼ି ରାସ୍ତା ଦେଇ ଯିବାକୁ ପଡିଥାଏ।କିନ୍ତୁ ଜଳପ୍ରପାତ ନିକଟରେ ପହଞ୍ଚିବା ପରେ ପର୍ଯ୍ୟଟକଙ୍କ ସମସ୍ତ କଷ୍ଟ ଲାଘବ ହୋଇଯାଇଥାଏ।ଏଠାରେ ପାହାଡ଼ ଉପରୁ ପ୍ରାୟ ୮୦ ଫୁଟ ତଳକୁ ପାଣି ଖସୁଛି।ସେହିପରି ଜଳପ୍ରପାତ ନିକଟରେ ସ୍ଥାନୀୟ ଲୋକଙ୍କ ତରଫରୁ ଏକ ଅସ୍ଥାୟୀ ଶିବ ମନ୍ଦିର ନିର୍ମାଣ ହୋଇଛି।ବିଶେଷ କରି ଏଠାରେ ସନ୍ଧ୍ୟା ସମୟରେ ଦୃଶ୍ୟ ଅତି ମନୋରମ।ପାହାଡ଼ ଉପରୁ ଖସୁଥିବା ପାଣି ଉପରେ ଅସ୍ତଗାମୀ ସୂର୍ଯ୍ୟ କିରଣ ପଡି ଇନ୍ଦ୍ରଧନୁର ଭ୍ରମ ସୃଷ୍ଟି କରିଥାଏ।
ଏଠାରେ ଛୋଟ ବଡ଼ ସାତଟି ଜଳପ୍ରପାତ ରହିଛି।ଅନ୍ୟ ଏକ ଜଳପ୍ରପାତ ହେଲା ସାଇଧାରା।ବ୍ଳକର କୁଟ୍ରିଛାପର ପଞ୍ଚାୟତରେ ଥିବା ଏହି ଜଳପ୍ରପାତ ନିକଟରେ ପହଞ୍ଚିବା ପାଇଁ ହେଲେ ଝରିଗାଁ ଠାରୁ ଆଠ କିଲୋମିଟର ଯିବାକୁ ହୋଇଥାଏ।ବାଣିଆଦେଇ ଗ୍ରାମ ଠାରୁ ରାସ୍ତା ନଥିବା ଯୋଗୁଁ ପ୍ରାୟ ୧ କିଲୋମିଟର ଚାଲିଚାଲି ଯିବା ପରେ ସୌନ୍ଦର୍ଯ୍ୟଭରା ଏହି ଜଳପ୍ରପାତ ପଡ଼େ।ଏଠାରେ ଏକ ବିରାଟ ପଥର ଦେହରେ ପିଟି ହୋଇ ପ୍ରାୟ ୪୦ ଫୁଟ ତଳକୁ ପାଣି ଖସିଥାଏ।ଏହାର ଆଖପାଖରେ ଛୋଟ ଛୋଟ ଝରଣା ମଧ୍ଯ ରହିଛି।ଏଠାରେ ଏକ ଜଳ କୁଣ୍ଡ ରହିଛି।ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ,ଏଠାରେ ଭୀମଙ୍କ ପାଦ ଚିହ୍ନ ସହ ଗଦା ଚିହ୍ନ ମଧ୍ୟ ରହିଛି।ସେହିପରି ରାମଙ୍କ ପାଦ ଚିହ୍ନ ରହିଥିବା ଲୋକେ କହିଛନ୍ତି।କିନ୍ତୁ ଏହି ପର୍ଯ୍ୟଟନସ୍ଥଳୀ ସରକାରଙ୍କ ଅବହେଳା ଯୋଗୁଁ ଲୋକ ଲୋଚନକୁ ଆସିପାରୁନାହିଁ।ଝରିଗାଁ ବ୍ଲକ ବଡ଼ ଟେମେରା ପଞ୍ଚାୟତରେ ଥିବା ଚନ୍ଦନଧାରା ଜଳପ୍ରପାତର ସୌନ୍ଦର୍ଯ୍ୟ ବେଶ ମନୋରମ।ତତ୍କାଳୀନ ନବରଙ୍ଗପୁର ଜିଲ୍ଲାପାଳ ଅରବିନ୍ଦ ପାଢ଼ୀ,ପଞ୍ଚାୟତ ବାସୀଙ୍କ ଆର୍ଥିକ ସହାୟତା,ସ୍ଥାନୀୟ ଲୋକ ପ୍ରତିନିଧି ଓ ପର୍ଯ୍ୟଟନ ବିଭାଗ ଅନୁଦାନ ପ୍ରଦାନ ପରେ ମନ୍ଦିର ସହ ପାର୍ଶ୍ୱ ମନ୍ଦିର,ଆଲୋକି କରଣ ସହ ଭିତ୍ତିଭୂମିର ବିକାଶ କାମ ଆରମ୍ଭ ହୋଇଥିଲା।ଚନ୍ଦନଧାରା ଶୈବପୀଠ ଘଞ୍ଚ ଜଙ୍ଗଲ ମଧ୍ୟରେ ରହିଥିବା ବେଳେ ଅତି ଆକର୍ଷଣ ଶୈବପୀଠ ନିର୍ମାଣ ହୋଇଛି।ସେହିପରି ଶୈବପୀଠ ଠାରୁ କିଛି ଦୂରରେ ରହିଛି ମା ପାର୍ବତୀଙ୍କ ମନ୍ଦିର।ମା ପର୍ବତୀଙ୍କ ମନ୍ଦିର ଯିବା ପାଇଁ ଭକ୍ତ ମାନଙ୍କୁ ୧୨୧ ପାହାଜ ତଳକୁ ଯିବା ପାଇଁ ପଡ଼େ।ସେଠାରେ ପଥର ଗୁମ୍ଫା ମଧ୍ୟରେ ପର୍ବତୀ ମନ୍ଦିର ରହିଛି।ଯାହାକି ଭକ୍ତ ମାନକୁ ଆକୃଷ୍ଟ କରୁଛି।ସେହିଭଳି ଶୈବପୀଠ ଠାରୁ କିଛି ଦୂରରେ ଜଙ୍ଗଲ ମଧ୍ୟରେ ରହିଛି ବନ ଦୁର୍ଗା ମନ୍ଦିର।୧୦୧ ପାହାଚ ତଳକୁ ଏବଂ ୫୧ ପାହାଚ ଉପରକୁ ଯିବା ପରେ ବନ ଦୁର୍ଗା ମନ୍ଦିର ରହିଛି।ସେହିପରି ୩୧ ପାହାଚ ଅତିକ୍ରମ ପରେ ଚଣ୍ଡୀ ମନ୍ଦିର ରହିଛି।ଶୈବପୀଠ ଠିକ ସାମ୍ନାରେ ରହିଛି ବଡ଼ ଗଣେଶ ମନ୍ଦିର।ସେହିପରି କମିଟି ପକ୍ଷରୁ ଲୋକ ମାନଙ୍କ ଭୋଜିଭାତ ଆଯୋଜନ ପାଇଁ ବ୍ୟବସ୍ଥା କରାଯାଇଛି।ବିଶେଷ କରି ପର୍ଯ୍ୟଟକ ମାନନକୁ ଚନ୍ଦନଧାରା ଜଳ ପ୍ରପାତ ଏବଂ ଘଞ୍ଚ ଜଙ୍ଗଲ ଆକୃଷ୍ଟ କରୁଛି।ସୁସ୍ଥ ପରିବେଶ ମଧ୍ୟରେ ପର୍ଯ୍ୟଟକ ମାନଙ୍କ ଭିଡ଼ ପରିଲକ୍ଷିତ ହୋଇଥାଏ।ତେବେ ଛୋଟ ଛୋଟ ଶିଶୁଙ୍କ ପାଇଁ ପାର୍କ ଏବଂ ଲୋକଙ୍କ ପାଇଁ କଲ୍ୟାଣ ମଣ୍ଡପ ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡି ରହିଛି।ସେହିପରି ପାର୍ବତୀ ମନ୍ଦିର ଯିବା ପାଇଁ କୌଣସି ବ୍ୟବସ୍ଥା ହୋଇ ନଥିବା ଯୋଗୁଁ ପର୍ଯ୍ୟଟକ ମାନେ ଅସୁରକ୍ଷିତ ଭାବେ ଅସ୍ଥାୟୀ କାଠ ବ୍ରିଜ ଯାତାୟତ କରୁଛନ୍ତି।ସେହିପରି ପାର୍ବତୀ ମନ୍ଦିର ଠାରୁ ଜଳପ୍ରପାତ ନିକଟକୁ ଯିବା ପାଇଁ ପାହାଚ ନିର୍ମାଣ ହୋଇ ନଥିବା ଯୋଗୁଁ ଯାତାୟତରେ ସମସ୍ୟା ହେଉଛି।ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକ ମାନଙ୍କ ପାଇଁ ପାନ୍ଥ ନିବାସ ନିର୍ମାଣ ନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ।ସବୁଠାରୁ ମୁଖ୍ୟ ସମସ୍ୟା ଏଠାରେ କୌଣସି ନେଟୱାର୍କ ନଥିବା ଯୋଗୁଁ ପର୍ଯ୍ୟଟକ ମାନେ ସମସ୍ୟାର ସମ୍ମୁଖିନ ହେଉଛନ୍ତି।ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଏହି ୩ଟି ଜଳପ୍ରପାତର ବିକାଶ ଦିଗରେ ସରକାର ଦୃଷ୍ଟି ଦେଲେ ପର୍ଯ୍ୟଟକଙ୍କୁ ଏହା ବେଶ ଆକୃଷ୍ଟ କରି ପାରିବ ବୋଲି ଅଞ୍ଚଳ କହିଛନ୍ତି।
ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।
What's Your Reaction?