ପାଣି ପାଇଁ ରାସ୍ତା ରୋକ।

Dec 17, 2025 - 15:52
0 173
ପାଣି ପାଇଁ ରାସ୍ତା ରୋକ।

ଝରିଗାଁ,୧୭l୧୨(ଷ୍ଟାର ନିୟୁଜ ଓଡିଶା):ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଗୁରୁସିଙ୍ଗା ପଞ୍ଚାୟତ ଅନ୍ତର୍ଗତ କୁସୁମୀ ଗ୍ରାମବାସୀ ପାନୀୟ ଜଳ ସମସ୍ୟା ନେଇ ଆଜି ଝରିଗାଁ-ଉମରକୋଟ ରାସ୍ତା ଅବରୋଧ କରିଥିଲେ।ପ୍ରାୟ ଦୁଇ ଘଣ୍ଟା ରାସ୍ତା ଅବରୋଧ ପରେ ପ୍ରଶାସନ ପକ୍ଷରୁ ପ୍ରତିଶୃତି ମିଳିବା ପରେ ରାସ୍ତାରୁ ଓହରି ଥିଲେ।ପ୍ରଶାସନ ପକ୍ଷରୁ ବସୁଧା ଯୋଜନାରେ କୁସୁମୀ ଗ୍ରାମର ଗ୍ରାମବାସୀ ମାନଙ୍କୁ ପାନୀୟ ଜଳ ଯୋଗାଇ ଦିଆଯାଉଥିଲା।ତେବେ ଝରିଗାଁ-ଉମରକୋଟ ରାସ୍ତା ନୂତନ ରାସ୍ତା ନିର୍ମାଣ କରିବା ସମୟରେ ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ପାଣି ପାଇପ ଗୁଡିକୁ ତାଡ଼ି ଦିଆଯାଇଥିଲା।ଫଳରେ ପ୍ରାୟ ତିନି ମାସ ହେବ ଗ୍ରାମବାସୀଙ୍କୁ ପାନୀୟ ଜଳ ପାଇଁ ସମସ୍ୟା ଦେଖାଦେଇଥିଲା।ପାନୀୟ ଜଳ ସମସ୍ୟା ନେଇ ଗ୍ରାମବାସୀ ବହୁ ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ସହ ସମସ୍ୟାର ସମାଧାନ ପାଇଁ ଦାବି କରୁଥିଲେ।ତେବେ କୌଣସି ସୁଫଳ ମିଳିନଥିବା ଯୋଗୁଁ ଆଜି ଦିନ 10 ଘଣ୍ଟା ସମୟରେ କୁସୁମୀ ଗ୍ରାମର ମହିଳା ଓ ପୁରୁଷ ମାନେ କୁସୁମୀ ଗ୍ରାମ ଠାରେ ରାସ୍ତା ଉପରେ ହାଣ୍ଡି ମାଠିଆ ରଖି ଝରିଗାଁ-ଉମରକୋଟ ରାସ୍ତା ଅବରୋଧ କରିଥିଲେ।ଖବର ପାଇ ଝରିଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମଧୁସୂଦନ ମାଝୀ,ଝରିଗାଁ ତହସିଲଦାର ସୁମନ୍ତ କୁମାର ପାତ୍ର, ଥାନା ଅଧିକାରୀ ପ୍ରଦୀପ କୁମାର ଶବର ଓ ରାଜସ୍ୱ ନିରୀକ୍ଷକ ବସନ୍ତ ବିଶୋଇ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଲୋକ ମାନଙ୍କୁ ବୁଝାସୁଝା କରିଥିଲେ।କିନ୍ତୁ ଗ୍ରାମବାସୀ ତୁରନ୍ତ ସମସ୍ୟାର ସମାଧାନ କରାଯାଉ ବୋଲି ଦାବି କରିଥିଲେ।ଶେଷରେ ବସୁଧା ଯୋଜନାରେ ଗ୍ରାମବାସୀ ପାନୀୟ ଜଳ ପାଇବା ପର୍ଯ୍ୟନ୍ତ ସକାଳୁ ଓ ସନ୍ଧ୍ୟା ସମୟରେ ଟେଙ୍କର ଯୋଗେ ଗ୍ରାମବସୀଙ୍କୁ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି ଅଧିକାରୀ ମାନେ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୁ ଗ୍ରାମବାସୀ ହଟିଥିଲେ।ଦୁଇ ଘଣ୍ଟା ପର୍ଯ୍ୟନ୍ତ ରାସ୍ତା ଅବରୋଧ କରିବା ଯୋଗୁଁ ଉଭୟ ପାର୍ଶ୍ଵରେ ବହୁ ଗାଡି ଅଟକି ରହିଥିଲା ଏବଂ ଯାତ୍ରୀ ମାନେ ସମସ୍ୟାର ସମ୍ମୁଖୀନ ହୋଇଥିଲେ।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User