ସମଲେଶ୍ୱରୀ ହାଇସ୍କୁଲ, କୁଣ୍ଡାବନ୍ଧରେ ଦୁଇ ବରିଷ୍ଠ ଶିକ୍ଷକଙ୍କୁ ଭାବବିହ୍ୱଳ ବିଦାୟ ସମ୍ବର୍ଦ୍ଧନା
କେସିଙ୍ଗା, ୧l୮(ଷ୍ଟାର ନ୍ୟୁଜ ଓଡ଼ିଶା): କେସିଙ୍ଗା ବ୍ଲକ ଅଧୀନସ୍ଥ ସମଲେଶ୍ୱରୀ ହାଇସ୍କୁଲ, କୁଣ୍ଡାବନ୍ଧରେ ବରିଷ୍ଠ ଶିକ୍ଷକ ସନ୍ତୋଷ କୁମାର ରଥ ଏବଂ ସହକାରୀ ଶିକ୍ଷକ ପରମାନନ୍ଦ ଛୁଆଳସିଂହଙ୍କ ଅବସର ଉପଲକ୍ଷେ ଏକ ଭାବଗମ୍ଭୀର ବିଦାୟ ସମ୍ବର୍ଦ୍ଧନା ସମାରୋହ ଆୟୋଜିତ ହୋଇଥିଲା। ଏହି ଅବସରରେ ଶିକ୍ଷକତାର ମହତ୍ତ୍ୱ, ମୂଲ୍ୟବୋଧ ଓ ସମାଜ ଗଠନରେ ଶିକ୍ଷକଙ୍କ ଅବଦାନକୁ ବକ୍ତାମାନେ ଉଚ୍ଚ ପ୍ରଶଂସା କରିଥିଲେ।
ସମାରୋହରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ କେସିଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ଆନନ୍ଦ କୁମାର ବେହେରା କହିଥିଲେ, "ଶିକ୍ଷା ହେଉଛି ମଣିଷର ସର୍ବୋତ୍ତମ ସମ୍ପଦ। ଏହା ଜୀବନକୁ ଉତ୍ତୋଳନମୁଖୀ କରି ସମାଜ ପାଇଁ ଜଣେ ଆଦର୍ଶ ନାଗରିକ ଗଢ଼ି ତୋଳେ। ଏହି ମହାନ ଦାୟିତ୍ୱକୁ ସଫଳତାର ସହ ପୂରଣ କରିଥାନ୍ତି ଶିକ୍ଷକମାନେ।"
ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଦେବକାନ୍ତ ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ସମାରୋହରେ କଳାହାଣ୍ଡିର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ହେମ ସାଗର ମହାନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅବସରପ୍ରାପ୍ତ ଉଭୟ ଶିକ୍ଷକଙ୍କ ଦୀର୍ଘ ସେବା, ନିଷ୍ଠା ଓ ଶିକ୍ଷା ପ୍ରତି ଉତ୍ସର୍ଗୀକୃତ ମନୋଭାବର ଭୂୟସୀ ପ୍ରଶଂସା କରିଥିଲେ।
ସମ୍ମାନିତ ଅତିଥି ଭାବେ ରାଜ୍ୟ ସମ୍ମାନପ୍ରାପ୍ତ ଶିକ୍ଷକ କେଶବ ବାରିକ ଓ ରବୀନ୍ଦ୍ର କୁମାର ପଟ୍ଟନାୟକ, ବିଦ୍ୟାଳୟ ସଭାପତି କେଶବ ବିଶ୍ୱାଳ, ଓଷ୍ଟା କଳାହାଣ୍ଡିର ଉପଦେଷ୍ଟା ଭବାନୀଶଙ୍କର ମିଶ୍ର, ସାରଙ୍ଗଧର ଠାକୁର, ରାଜ୍ୟ ଓଷ୍ଟା ସମ୍ପାଦକ ପ୍ରଭାତ କୁମାର ରଥ ଓ କଳାହାଣ୍ଡି ଓଷ୍ଟା ସମ୍ପାଦକ ଅଭୟ କୁମାର ଦେବତା ପ୍ରମୁଖ ଯୋଗଦେଇ କହିଥିଲେ ଯେ, ଶ୍ରୀ ରଥ ଓ ଶ୍ରୀ ଛୁଆଳସିଂହ ନିଜ କାର୍ଯ୍ୟକାଳରେ କୁଣ୍ଡାବନ୍ଧ ଅଞ୍ଚଳରେ ଗୁଣାତ୍ମକ ଶିକ୍ଷା, ଅନୁଶାସନ ଓ ଆଦର୍ଶ ଶିକ୍ଷା ପରିବେଶ ସୃଷ୍ଟି କରି ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ସେମାନଙ୍କ ସେବା ଓ ଅବଦାନ ଆଗାମୀ ପିଢ଼ି ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ।
ସମାରୋହକୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, କେସିଙ୍ଗାର ପ୍ରଧାନଶିକ୍ଷକ ତଥା ଓଷ୍ଟା କେସିଙ୍ଗା ବ୍ଲକ ସମ୍ପାଦକ ସମୀର କୁମାର ବେହେରା ଏବଂ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ, କେସିଙ୍ଗାର ପ୍ରଧାନଶିକ୍ଷକ ହେମନ୍ତ କୁମାର ବାଗ ସୁନ୍ଦର ଭାବେ ପରିଚାଳନା କରିଥିଲେ। ଚନ୍ଦନ ମହିପାଲ ଓ ସାଥୀମାନେ ଗୁରୁବନ୍ଦନା ପରିବେଷଣ କରି କାର୍ଯ୍ୟକ୍ରମକୁ ଆଧ୍ୟାତ୍ମିକ ଓ ଭାବପୂର୍ଣ୍ଣ ପରିବେଶ ପ୍ରଦାନ କରିଥିଲେ।
ଶେଷରେ ବିଦ୍ୟାଳୟ ପରିବାର, ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ ସଂଘ ଏବଂ ଗ୍ରାମବାସୀଙ୍କ ପକ୍ଷରୁ ଶ୍ରୀ ସନ୍ତୋଷ କୁମାର ରଥ ଓ ଶ୍ରୀ ପରମାନନ୍ଦ ଛୁଆଳସିଂହଙ୍କୁ ମାନପତ୍ର, ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ବିଦାୟର ଭାବବିହ୍ୱଳ ପରିବେଶ ମଧ୍ୟରେ ଉପସ୍ଥିତ ସମସ୍ତେ ଉଭୟ ଶିକ୍ଷକଙ୍କ ସୁସ୍ଥ, ସୁଖମୟ ଓ ଦୀର୍ଘ ଅବସର ଜୀବନ କାମନା କରିଥିଲେ।
What's Your Reaction?
Like
2
Dislike
0
Love
0
Funny
0
Wow
0
Sad
0
Angry
0
Comments (0)