୨୨ ବର୍ଷ ଧରି ବସବାସ ପରେ ବି ମିଳିଲାନି ମୌଳିକ ପରିଚୟ; ଉଚ୍ଛେଦ ଭୟରେ କୁର୍ଲୁପଡ଼ା କଲେକ୍ଟରପଡ଼ାର ୩୨ ପରିବାର, ପ୍ରଶାସନର ଜମି ପ୍ରଦାନ ପ୍ରତିଶ୍ରୁତି

Jun 30, 2026 - 12:00
0 19
୨୨ ବର୍ଷ ଧରି ବସବାସ ପରେ ବି ମିଳିଲାନି ମୌଳିକ ପରିଚୟ; ଉଚ୍ଛେଦ ଭୟରେ କୁର୍ଲୁପଡ଼ା କଲେକ୍ଟରପଡ଼ାର ୩୨ ପରିବାର, ପ୍ରଶାସନର ଜମି ପ୍ରଦାନ ପ୍ରତିଶ୍ରୁତି

କେସିଙ୍ଗା, ୩୦l ୬:(ଷ୍ଟାରନିୟୁଜ ଓଡିଶା) କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କୁର୍ଲୁପଡ଼ା ଗ୍ରାମର କଲେକ୍ଟରପଡ଼ାରେ ବସବାସ କରୁଥିବା ପ୍ରାୟ ୩୨ଟି ଗରିବ ପରିବାର ଗତ ୨୨ ବର୍ଷ ଧରି ଏଠାରେ ରହୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ଆଧାର କାର୍ଡ ସମେତ ଅନ୍ୟାନ୍ୟ ମୌଳିକ ପରିଚୟପତ୍ରରୁ ବଞ୍ଚିତ ରହିଥିବା ଅଭିଯୋଗ କରିଛନ୍ତି। ଫଳରେ ସେମାନେ ବିଭିନ୍ନ ସରକାରୀ ଯୋଜନା ଓ ସୁବିଧାର ଲାଭ ପାଇବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଅଭିଯୋଗ ଅନୁଯାୟୀ, କେତେକ ପରିବାରଙ୍କ ପାଖରେ ଭୋଟର ପରିଚୟପତ୍ର ଥିବାବେଳେ ଅନେକଙ୍କର ଏପର୍ଯ୍ୟନ୍ତ ଆଧାର କାର୍ଡ ହୋଇନାହିଁ। ଆଧାର କାର୍ଡ ପାଇଁ ସରକାରୀ ସ୍ୱୀକୃତ କେନ୍ଦ୍ରକୁ ବାରମ୍ବାର ଯାଇଥିଲେ ମଧ୍ୟ ସେମାନେ ନିରାଶ ହୋଇ ଫେରୁଥିବା କହିଛନ୍ତି।
ସୂଚନା ଅନୁସାରେ, ପ୍ରାୟ ୨୨ ବର୍ଷ ପୂର୍ବେ କେସିଙ୍ଗା ରେଳ ଷ୍ଟେସନ ନିକଟସ୍ଥ କୁଡ଼ାପଡ଼ା ଅଞ୍ଚଳରୁ ଏହି ପରିବାରମାନଙ୍କୁ ସେତେବେଳର ଜିଲ୍ଲା ପ୍ରଶାସନ ସ୍ଥାନାନ୍ତର କରି କୁର୍ଲୁପଡ଼ା ନିକଟ ଜଙ୍ଗଲ ସଂଲଗ୍ନ ଅଞ୍ଚଳରେ ବସବାସ ପାଇଁ ବ୍ୟବସ୍ଥା କରିଥିଲେ। ସେହି ଦିନଠାରୁ ସେମାନେ ସେଠାରେ ବସବାସ କରିଆସୁଛନ୍ତି।
ବର୍ତ୍ତମାନ ଉକ୍ତ ଅଞ୍ଚଳ ଇଡ୍କୋ (IDCO) ଅଧୀନକୁ ଯାଇଥିବାରୁ ସେମାନଙ୍କୁ ସ୍ଥାନ ଖାଲି କରିବାକୁ କୁହାଯାଉଥିବା ଅଭିଯୋଗ ହୋଇଛି। ଦିନମଜୁରି କରି ପରିବାର ପ୍ରତିପୋଷଣ କରୁଥିବା ଏହି ପରିବାରଗୁଡ଼ିକ ଏବେ ଉଚ୍ଛେଦ ଭୟରେ ଦିନ କାଟୁଛନ୍ତି। “ଆମେ ଯଦି ଏଠାରୁ ଉଚ୍ଛେଦ ହେବୁ, ତେବେ ଯିବୁ କେଉଁଠି?” ବୋଲି ସେମାନେ ପ୍ରଶ୍ନ କରିଛନ୍ତି।
ସରକାର “କେହି ବାସହରା ହେବେ ନାହିଁ” ବୋଲି କହୁଥିବାବେଳେ, କଲେକ୍ଟରପଡ଼ା ବାସିନ୍ଦାଙ୍କ ସ୍ଥିତି ତାହାର ବିପରୀତ ଚିତ୍ର ପ୍ରଦର୍ଶନ କରୁଥିବା ଅଭିଯୋଗ ଉଠିଛି। ସେମାନଙ୍କୁ ତୁରନ୍ତ ଆଧାର କାର୍ଡ ସମେତ ସମସ୍ତ ମୌଳିକ ପରିଚୟପତ୍ର ପ୍ରଦାନ କରିବା ସହ ସ୍ଥାୟୀ ବସବାସର ବ୍ୟବସ୍ଥା କରିବାକୁ ସ୍ଥାନୀୟ ଲୋକେ ପ୍ରଶାସନଙ୍କ ନିକଟରେ ଦାବି କରିଛନ୍ତି।
ଏହି ପ୍ରସଙ୍ଗରେ ସୋମବାର କେସିଙ୍ଗା ତହସିଲଦାର ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡିଓ) କଲେକ୍ଟରପଡ଼ାକୁ ପହଞ୍ଚି ବାସିନ୍ଦାଙ୍କ ସହ ଆଲୋଚନା କରିଥିଲେ। ସେମାନଙ୍କ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବା ସହ ଯୋଗ୍ୟ ହିତାଧିକାରୀଙ୍କୁ ଜମି ପ୍ରଦାନ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User