ଅଞ୍ଚଳରେ ଲୁପ୍ତ ହେବାକୁ ବସିଲାଣି ଗୁରୁଣ୍ଡୀ ଖେଳ ।

ଝରିଗାଁ,୨୬l୭ (ଷ୍ଟାର ନିୟୁଜ ଓଡିଶା): ନବରଙ୍ଗପୁର ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ବେଳେ ଏଠିକାର ଆଦିବାସୀମାନେ ବର୍ଷ ତମାମ ନାନା ପ୍ରକାର ଆଞ୍ଚଳିକ ପର୍ବ ପର୍ବାଣୀ, ଯାନୀ ଯାତରା ଓ ଆଦିମ ସଂସ୍କୃତି ସବୁ ପାଳନ କରିଥାନ୍ତି |ଯାହା ସେମାନଙ୍କୁ ଏକତାର ସୂତ୍ରରେ ବାନ୍ଧି ରଖିବାରେ ବେଶ ସହାୟକ ହୋଇଥାଏ |ଆଦିବାସୀ ଅଞ୍ଚଳରେ ପାଳିତ ହେଉଥିବା ପର୍ବ ପର୍ବାଣୀ ମାନଙ୍କ ମଧ୍ୟରେ ଅମୂସ ପର୍ବ, ଦିଆଳି ପର୍ବ, ବହଲାନି ଯାତ୍ରା, ଗରଣ୍ଡୀ ଯାତ୍ରା, ନୁଆଁଖାଇ, ଦଶରା ଆଦି ପ୍ରମୁଖ ଯାତ୍ରା |ଗୁରୁଣ୍ଡି ଯାତ୍ରା ଆଦିବାସୀ ମାନଙ୍କ ଏକ ମୁଖ୍ୟ ଯାତ୍ରା ହୋଇଥିବା ବେଳେ ଏହି ଯାତ୍ରା ଚିତାଲାଗି ଅମାବାସ୍ୟା ଦିନ ଆରମ୍ଭ ହୋଇ ନୁଆଁଖାଇ ପର୍ବର ବାସୀ ଦିନ ସମାପିତ ହୋଇଥାଏ |ଶ୍ରାବଣ ମାସ ଆସିଲେ ଆଦିବାସୀ ପିଲା ଓ ଯୁବକମାନେ ଜଙ୍ଗଲରୁ ଶାଳ, ପିଆଶାଳ ଆଦି ଗଛ ସବୁ ଆଣି ସେଥିରେ ଗୁରୁଣ୍ଡି ସବୁ ତିଆରି କରିଥାନ୍ତି |ଲମ୍ବା ଲମ୍ବା ଦୁଇଟା ଲାଠି ସଦୃଶ ଗଛରେ ଦୁଇଟା କାଠ ପେଡାଲକୁ ଗଛ ଦୌଡ଼ି ସାହାଯ୍ୟରେ ବାନ୍ଧି ତହିଁରେ ଚଢି ଗାଁ ସାରା ବୁଲିବା ସହିତ ତହିଁରେ ବିଭିନ୍ନ ପ୍ରକାର ଖେଳ ସବୁ ପ୍ରଦର୍ଶନ କରିଥାନ୍ତି |ଅଗଷ୍ଟ ମାସ ଆସିଲେ ଆରମ୍ଭ ହୁଏ ଗୁରୁଣ୍ଡି ଖେଳ |ପୁର ପଲ୍ଲୀରେ ଯୁବକ ଓ କିଶୋର ପିଲା ଦୁଇ କାଠ ସାହାଯ୍ୟରେ ଚାଲି ବୁଲିବା ଦୃଶ୍ୟ ଦେଖିବାକୁ ମିଳିଥାଏ |ଏହି ଦୃଶ୍ୟ ଦେଖିବାକୁ ମିଳିଛି ଝରିଗାଁ ବ୍ଲକର ବିଭିନ୍ନ ଗ୍ରାମ ଗୁଡିକରେ |ଦଳ ଦଳ ହୋଇ ଯୁବକ ଓ କିଶୋର ମାନେ ଦୁଇ ଲାଠି ସାହାଯ୍ୟରେ ଚାଲି ବୁଲିଥାନ୍ତି |ଆଦିବାସୀ ସମ୍ପ୍ରଦାୟର ଏହା ଏକ ନିଆରା ପରମ୍ପରା ଏବଂ କୃଷି ଭିତ୍ତିକ ପର୍ବ |ମାସ ସାରା ଗୁରୁଣ୍ଡି ଖେଳର ମଜା ନେବା ପରେ ନୁଆଁଖାଇ ପର୍ବର ବାସୀ ଦିନ ଗାଁ ସାରା ଘର କୁ ଘର ବୁଲି ଚାଉଳ, ବିରି, କୋଳଥ ଆଦି ଶସ୍ୟ ସାଙ୍ଗକୁ ଟଙ୍କା ପଇସା ମାଗିଥାନ୍ତି |ବୁଲିବା ସମୟରେ ତାଙ୍କ ହାବୁଡ଼ରେ କୁକୁଡ଼ା, ବତକ, ପାରା ଯାହାବି ପଡେ ତାକୁ ମାରି ଗାଁ ମୁଣ୍ଡରେ ଥିବା ବହଲାନି ଗୁଡ଼ି ପାଖରେ ଯାଇ ଗାଁ ଠାକୁରାଣୀଙ୍କ ପୂଜାର୍ଚନା କରନ୍ତି ଓ ସେଠାରେ ସେମାନେ ଚଢ଼ୁଥିବା ଗୁରୁଣ୍ଡିକୁ ମଧ୍ୟ ପୂଜାର୍ଚନା କରି ବିସର୍ଜନ କରି ଭୋଜିଭାତ ଖାଇ ଘରକୁ ଫେରିଥାନ୍ତି |ଏହି ପର୍ବ ପାଳିବା ଦ୍ୱାରା ଗ୍ରାମରୁ ମଶାମାଛି ସାଙ୍ଗକୁ ବିଭିନ୍ନ ପ୍ରକାର ରୋଗପୋକ ଠାରୁ ନିସ୍ତାର ମିଲେ ବୋଲି ଆଦିବାସୀ ମାନଙ୍କ ମଧ୍ୟରେ ବିଶ୍ୱାସ ରହିଛି |ପ୍ରତିବର୍ଷ ଝରିଗାଁ ଅଞ୍ଚଳରେ ଗୁରୁଣ୍ଡି ଯାତ୍ରା ପାଳିତ ହେଉଛି ସତ ହେଲେ ସମୟ ସୁଅରେ ଗୁରୁଣ୍ଡି ଖେଳ କିନ୍ତୁ ହଜିବାକୁ ବସିଲାଣି |ଅଞ୍ଚଳର ହାତ ଗଣତି କିଛି ଗ୍ରାମରେ ହିଁ ପିଲାମାନେ ଗୁରୁଣ୍ଡି ଚଢ଼ୁଥିବା ଦେଖିବାକୁ ମିଳୁଛି |ଆଗପରି ଯୁବପିଢ଼ି ନା ଗୁରୁଣ୍ଡି ତିଆରି କରୁଛନ୍ତି ନା ଗୁରୁଣ୍ଡି ଖେଳ ଦେଖିବାକୁ ମିଳୁଛି |କାଷ୍ଠର ଅଭାବ ସାଙ୍ଗକୁ ଆଧୁନିକତାର ପ୍ରଭାବରେ ଗୁରୁଣ୍ଡି ଖେଳ ଲୁଚି ଯାଉଛି ବୋଲି ବୁଦ୍ଧିଜୀବୀ ମାନେ ମତ ଦିଅନ୍ତି |
ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |
What's Your Reaction?






