କଳାହାଣ୍ଡିରେ ଭାଜପାର ଜିଲ୍ଲାସ୍ତରୀୟ ‘ମନ କି ବାତ’ କର୍ମଶାଳା ଅନୁଷ୍ଠିତ
ଭବାନୀପାଟଣା, ୨୧l୭ (ଷ୍ଟାରନ୍ୟୁଜ ଓଡ଼ିଶା): କଳାହାଣ୍ଡି ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ଜିଲ୍ଲା ସଭାପତି ଶ୍ରୀ ଯୁଗଳ କିଶୋର ପୋଡ଼ଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲାସ୍ତରୀୟ ‘ମନ କି ବାତ’ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କର୍ମଶାଳାରେ ସଂଗଠନର ସାଙ୍ଗଠନିକ ସୁଦୃଢ଼ୀକରଣ, ‘ମନ କି ବାତ’ କାର୍ଯ୍ୟକ୍ରମର ବ୍ୟାପକ ପ୍ରସାର ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଜନକଲ୍ୟାଣମୂଳକ ଚିନ୍ତାଧାରାକୁ ସାଧାରଣ ଜନତାଙ୍କ ନିକଟରେ ପହଞ୍ଚାଇବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।
ଜିଲ୍ଲା ସଭାପତି ଶ୍ରୀ ଯୁଗଳ କିଶୋର ପୋଡ଼ କହିଥିଲେ ଯେ, ‘ମନ କି ବାତ’ କେବଳ ଏକ ରେଡିଓ କାର୍ଯ୍ୟକ୍ରମ ନୁହେଁ, ବରଂ ଜନସାଧାରଣଙ୍କ ସହ ସିଧାସଳଖ ସମ୍ପର୍କ ସ୍ଥାପନର ଏକ ସଶକ୍ତ ମାଧ୍ୟମ। ଏହାକୁ ଘରେ ଘରେ ପହଞ୍ଚାଇ ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କୁ ଏହା ସହ ଯୋଡ଼ିବା ପାଇଁ ସେ କାର୍ଯ୍ୟକର୍ତ୍ତାମାନଙ୍କୁ ଆହ୍ୱାନ ଜଣାଇଥିଲେ।
କର୍ମଶାଳାରେ ରାଜ୍ୟ ଉପସଭାପତି ଶ୍ରୀ ଭବେନ୍ଦ୍ର ପଣ୍ଡା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶ୍ରୀମତୀ ନମିତା ରାଣୀ ସାହୁ, ଜୁନାଗଡ଼ ବିଧାନସଭାର ପୂର୍ବତନ ବିଧାୟକ ପ୍ରାର୍ଥୀ ଶ୍ରୀ ମନୋଜ ମେହେର, ଲାଞ୍ଜିଗଡ଼ ବିଧାନସଭାର ପୂର୍ବତନ ବିଧାୟକ ପ୍ରାର୍ଥୀ ଶ୍ରୀ ରମେଶ ମାଝୀ, ନର୍ଲା ବିଧାନସଭାର ପୂର୍ବତନ ବିଧାୟକ ପ୍ରାର୍ଥୀ ଶ୍ରୀ ଅନିରୁଦ୍ଧ ପ୍ରଧାନ ଏବଂ ଭାରତୀୟ ଜନତା ଯୁବ ମୋର୍ଚ୍ଚାର କେନ୍ଦ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଦୀପଜ୍ୟୋତି ମୁଣ୍ଡ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିଥିଲେ। ସେମାନେ ‘ମନ କି ବାତ’ କାର୍ଯ୍ୟକ୍ରମକୁ ଘରେ ଘରେ ପହଞ୍ଚାଇବା ସହ ସଂଗଠନକୁ ଆହୁରି ସୁଦୃଢ଼ କରିବାକୁ ଆହ୍ୱାନ ଦେଇଥିଲେ।
ଜିଲ୍ଲା ସାଧାରଣ ସମ୍ପାଦକ ତଥା ଜିଲ୍ଲା ‘ମନ କି ବାତ’ ସଂଯୋଜକ ଶ୍ରୀ ହିମାଂଶୁ ପଣ୍ଡା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ, ସଂଗଠନାତ୍ମକ ରୂପରେଖା ଏବଂ ଆଗାମୀ କାର୍ଯ୍ୟଯୋଜନା ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ। ସେ ପ୍ରତ୍ୟେକ ଶକ୍ତିକେନ୍ଦ୍ର ଓ ବୁଥ ସ୍ତରରେ ନିୟମିତ ଭାବେ ‘ମନ କି ବାତ’ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଆବଶ୍ୟକ ଦିଗନିର୍ଦ୍ଦେଶ ପ୍ରଦାନ କରିଥିଲେ।
ସମଗ୍ର କାର୍ଯ୍ୟକ୍ରମକୁ ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ଲୋକନାଥ ଦୁର୍ଗା ସୁଚାରୁ ଭାବେ ପରିଚାଳନା କରିଥିଲେ। ଏହି ଅବସରରେ ଜିଲ୍ଲା ଉପସଭାପତି ଶ୍ରୀ ପଦ୍ମଲୋଚନ ମିଶ୍ର, ଶ୍ରୀ ଜୟଶଙ୍କର ନାଏକ, ଜିଲ୍ଲା ଉପସଭାନେତ୍ରୀ ଶ୍ରୀମତୀ ସୁକାନ୍ତି ସା ଓ ଶ୍ରୀମତୀ ସନ୍ତୋଷୀ ଦାସ, ଜିଲ୍ଲା ସମ୍ପାଦକ ଶ୍ରୀ ସନ୍ତୋଷ ବିଶି ଓ ଶ୍ରୀ ବିଜୟଦେବ ସାହୁ, କୃଷକ ମୋର୍ଚ୍ଚାର ଜିଲ୍ଲା ସଭାପତି ଶ୍ରୀ ସୁଧୀର ମୁଣ୍ଡ, ଅନୁସୂଚିତ ଜାତି ମୋର୍ଚ୍ଚାର ଜିଲ୍ଲା ସଭାପତି ଶ୍ରୀ ବିଷ୍ଣୁ ନାଏକ, ମହିଳା ମୋର୍ଚ୍ଚାର ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ କାଞ୍ଚନ ବାଗ, ଜିଲ୍ଲା କୋଷାଧ୍ୟକ୍ଷ ଶ୍ରୀ ପ୍ରମୋଦ ଜୈନଙ୍କ ସମେତ ସମସ୍ତ ମଣ୍ଡଳ ସଭାପତି, ମଣ୍ଡଳ ପ୍ରଭାରୀ, ‘ମନ କି ବାତ’ ସଂଯୋଜକ ଏବଂ ବହୁ ସଂଖ୍ୟକ ବରିଷ୍ଠ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।
ପରିଶେଷରେ ଜିଲ୍ଲା ସଭାପତି ଶ୍ରୀ ଯୁଗଳ କିଶୋର ପୋଡ଼ ‘ମନ କି ବାତ’କୁ ଜନଆନ୍ଦୋଳନର ରୂପ ଦେବା ସହ ଏହାର ସକାରାତ୍ମକ ବାର୍ତ୍ତାକୁ ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଆହ୍ୱାନ ଜଣାଇଥିଲେ। ଶେଷରେ ଲାଞ୍ଜିଗଡ଼ ନିର୍ବାଚନମଣ୍ଡଳୀର ‘ମନ କି ବାତ’ ସଂଯୋଜକ ଶ୍ରୀ ତୋଫାନ ସୁନାନୀ ଧନ୍ୟବାଦ ଜ୍ଞାପନ କରିଥିଲେ।
What's Your Reaction?