କେସିଙ୍ଗା ସହର: ଅତିକ୍ରମଣ, ବେଆଇନ ପାର୍କିଂ ଓ ପ୍ରଶାସନିକ ନୀରବତା ମଧ୍ୟରେ ଜନଜୀବନ ଅସ୍ତବ୍ୟସ୍ତ

Jul 13, 2026 - 15:01
 0  86
କେସିଙ୍ଗା ସହର: ଅତିକ୍ରମଣ, ବେଆଇନ ପାର୍କିଂ ଓ ପ୍ରଶାସନିକ ନୀରବତା ମଧ୍ୟରେ ଜନଜୀବନ ଅସ୍ତବ୍ୟସ୍ତ

କେସିଙ୍ଗା, ତା ୧୩l ୭(ଷ୍ଟାର ନ୍ୟୁଜ ଓଡ଼ିଶା): ଜାତୀୟ ରାଜପଥ ଉପରେ ଅବସ୍ଥିତ କେସିଙ୍ଗା ସହରର ଯାତାୟାତ ବ୍ୟବସ୍ଥା ଦିନକୁ ଦିନ ଅବ୍ୟବସ୍ଥିତ ହେବାରେ ଲାଗିଛି। ମୁଖ୍ୟ ସଡ଼କରେ ବେଆଇନ ପାର୍କିଂ, ରାସ୍ତାକଡ଼ ଅତିକ୍ରମଣ ଓ ଅନିୟନ୍ତ୍ରିତ ବ୍ୟବସାୟ ଯୋଗୁଁ ସାଧାରଣ ଲୋକ, ପଥଚାରୀ ଏବଂ ଯାନବାହନ ଚାଳକମାନେ ପ୍ରତିଦିନ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ସହରର ବିଭିନ୍ନ ସ୍ଥାନରେ ରାସ୍ତାକଡ଼ରେ ମାସ ମାସ ଧରି ବ୍ୟକ୍ତିଗତ ଯାନବାହନ ପାର୍କିଂ କରାଯାଉଥିବା ବେଳେ, ଅନେକ ଦୋକାନ ନିର୍ଦ୍ଧାରିତ ସୀମା ଅତିକ୍ରମ କରି ସଡ଼କ ପର୍ଯ୍ୟନ୍ତ ବିସ୍ତାର କରିଥିବା ଅଭିଯୋଗ ଉଠୁଛି। ଫଳରେ ସଡ଼କର ପ୍ରକୃତ ପ୍ରସ୍ଥ କମିଯାଇ ଯାତାୟାତ ବ୍ୟବସ୍ଥା ବାଧାପ୍ରାପ୍ତ ହେଉଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଏହି ସମସ୍ୟା ନୂଆ ନୁହେଁ। ବହୁ ବର୍ଷ ଧରି ଏହି ପରିସ୍ଥିତି ଜାରି ରହିଥିଲେ ମଧ୍ୟ ସ୍ଥାୟୀ ସମାଧାନ ଦିଗରେ ଦୃଶ୍ୟମାନ ପଦକ୍ଷେପ ନିଆଯାଇନାହିଁ। ସନ୍ଧ୍ୟା ସମୟରେ ଜଳଖିଆ ଦୋକାନ, ଠେଲା ବ୍ୟବସାୟୀ ଏବଂ ଅନିୟନ୍ତ୍ରିତ ପାର୍କିଂ ଯୋଗୁଁ ମୁଖ୍ୟ ସଡ଼କରେ ଦୀର୍ଘ ସମୟ ଧରି ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଥିବା ଦେଖାଯାଉଛି।
ସ୍ଥାନୀୟ ବାସିନ୍ଦାଙ୍କ ମତରେ, ଜରୁରୀ ପରିସ୍ଥିତିରେ ଆମ୍ବୁଲାନ୍ସ, ଅଗ୍ନିଶମ ବାହିନୀ କିମ୍ବା ଅନ୍ୟ ଆପାତକାଳୀନ ସେବା ଶୀଘ୍ର ପହଞ୍ଚିବା ନେଇ ଗୁରୁତର ପ୍ରଶ୍ନ ସୃଷ୍ଟି ହେଉଛି। ସେମାନଙ୍କ ଦାବି, ସମସ୍ୟା ଗୁରୁତର ରୂପ ନେବା ପୂର୍ବରୁ ପ୍ରଶାସନ ଦୀର୍ଘମିଆଦି ଯୋଜନା ଗ୍ରହଣ କରିବା ଆବଶ୍ୟକ।
ସୂଚନା ଅନୁଯାୟୀ, ଠେଲା ଓ ଉଠା ବ୍ୟବସାୟୀଙ୍କଠାରୁ ପ୍ରତିବର୍ଷ ଟେଣ୍ଡର ମାଧ୍ୟମରେ ଶୁଳ୍କ ଆଦାୟ କରାଯାଉଛି। ତେବେ ବ୍ୟବସାୟୀଙ୍କ ପାଇଁ ସୁବ୍ୟବସ୍ଥିତ ସ୍ଥାନ, ପାର୍କିଂ ବ୍ୟବସ୍ଥା ଓ ଯାତାୟାତ ନିୟନ୍ତ୍ରଣ ନେଇ ଲୋକମାନଙ୍କ ମଧ୍ୟରେ ପ୍ରଶ୍ନ ଉଠୁଛି। ପରିବା ବଜାର ପାଇଁ ନିର୍ଦ୍ଧାରିତ ସ୍ଥାନର ସଠିକ୍ ବ୍ୟବହାର ନହେବା ମଧ୍ୟ ସମସ୍ୟାକୁ ଆହୁରି ବଢ଼ାଇଥିବା ସ୍ଥାନୀୟ ଲୋକ କହୁଛନ୍ତି।
ସହରବାସୀଙ୍କ ଦାବି ହେଉଛି, ବେଆଇନ ଅତିକ୍ରମଣ ଉଚ୍ଛେଦ, ବୈଜ୍ଞାନିକ ପାର୍କିଂ ବ୍ୟବସ୍ଥା, ପଥଚାରୀଙ୍କ ପାଇଁ ସୁରକ୍ଷିତ ଚଳାଚଳ ବ୍ୟବସ୍ଥା ଏବଂ ନିୟମିତ ଟ୍ରାଫିକ୍ ପରିଚାଳନା ପାଇଁ ତୁରନ୍ତ ପଦକ୍ଷେପ ନିଆଯାଉ। ନଚେତ୍ ଆଗାମୀ ଦିନରେ କୌଣସି ବଡ଼ ଦୁର୍ଘଟଣା ଘଟିଲେ ତାହାର ଦାୟିତ୍ୱ କିଏ ନେବ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି।
କେସିଙ୍ଗା ପରି ଏକ ଗୁରୁତ୍ୱପୂର୍ଣ୍ଣ ସହରରେ ସୁବ୍ୟବସ୍ଥିତ ଯାତାୟାତ ଓ ଜନସୁରକ୍ଷା ସୁନିଶ୍ଚିତ କରିବା ଏବେ ସମୟର ଦାବି। ସହରବାସୀ ଆଶା କରୁଛନ୍ତି, ସମ୍ପୃକ୍ତ ବିଭାଗ ଏହି ସମସ୍ୟାକୁ ଗୁରୁତ୍ୱର ସହ ନେଇ ଶୀଘ୍ର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ।

What's Your Reaction?

like

dislike

love

funny

angry

sad

wow

SUJAYA EDITOR