ଚିକିତ୍ସାଧିନ ଅବସ୍ଥାରେ ପ୍ରସୂତି ମହିଳାଙ୍କ ମୃତ୍ୟୁ।
ଝରିଗାଁ,୧୧l୧୧(ଷ୍ଟାର ନିୟୁଜ ଓଡିଶା ): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚଚା ପଞ୍ଚାୟତ ଅନ୍ତର୍ଗତ ଗବାଗୁଡାର ଜଣେ ପ୍ରସୂତି ମହିଳାଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାପଡିଛି।ସୂଚନା ପ୍ରକାରେ ଗବାଗୁଡା ଗ୍ରାମର ଦୁର୍ଯ୍ୟୋଧନ ହରିଜନଙ୍କ ସ୍ତ୍ରୀ ଜ୍ୟୋତି ହରିଜନ(୩୦) ଗର୍ଭବତୀ ହେବା ପରେ ଗତ ତିନି ମାସ ହେବ ବାପା ଘର ଇଚ୍ଛାପୁର ଠାରେ ରହୁଥିଲେ।ତେବେ ଗତକାଲି ରାତ୍ର ହଠାତ ପ୍ରସବ ଜନିତ ବ୍ୟଥା ଆରମ୍ଭ ହୋଇଥିଲା।ପରିବାର ଲୋକ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।କିଛି ସମୟ ପରେ ଜ୍ୟୋତି ଯାଆଁଳା (ପୁଅ ଓ ଝିଅ )ନବ ଜାତ ଶିଶୁ ଜନ୍ମ ଦେଇଥିଲେ।ପ୍ରସୂତି ପରେ ଜ୍ୟୋତି ଗୁରୁତର ହେବା ଯୋଗୁଁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରିଥିଲେ।ତେବେ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧିନ ଅବସ୍ଥାରେ ଆଜି ଦିନ ସାତ ଘଣ୍ଟା ସମୟରେ ମୃତ୍ୟୁ ହୋଇଥିବା ପରିବାର ଲୋକ ସୂଚନା ଦେଇଛନ୍ତି।ପରିବାର ଲୋକେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତରଙ୍କ ଅବହେଳା ଯୋଗୁଁ ମୃତ୍ୟୁ ଘଟିଥିବା ଅଭିଯୋଗ କରିଥିବା ବେଳେ ଘଟଣା ନେଇ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଅରବିନ୍ଦ ପଣ୍ଡାଙ୍କ ସହ ଯୋଗାଯାଗ କରିବାରୁ ପରିବାର ଲୋକ ଗର୍ଭବତୀ ମହିଳାଙ୍କୁ ବିଳମ୍ବରେ ଆଣିବା ସହ ରକ୍ତ ଶିଙ୍କୁଳି ରୋଗରେ ପୀଡିତ ଥିବା ସୂଚନା ଦେଇନଥିଲେ।ଯାଆଁଳା ଛୁଆ ଜନ୍ମ ହେବା ପରେ ଉନ୍ନତ ଚିକିତ୍ସା ପାଇଁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇ ଥିବା ସୂଚନା ଦେଇଥିଲେ।
ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |
What's Your Reaction?