ତୁରକେଲ ପୋଲ ନିର୍ମାଣ ଦାବିରେ କଂଗ୍ରେସର ଗଣଧାରଣା ୬୩ତମ ଦିନରେ, ଟେଣ୍ଡର ଆରମ୍ଭ ନହେଲେ ଆନ୍ଦୋଳନ ଜାରି

Jun 28, 2026 - 21:21
0 9
ତୁରକେଲ ପୋଲ ନିର୍ମାଣ ଦାବିରେ କଂଗ୍ରେସର ଗଣଧାରଣା ୬୩ତମ ଦିନରେ, ଟେଣ୍ଡର ଆରମ୍ଭ ନହେଲେ ଆନ୍ଦୋଳନ ଜାରି

ଭବାନୀପାଟଣା, ୨୮ ଜୁନ:(ଷ୍ଟାର ନିୟୁଜ ଓଡିଶା)କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ବୋରଡା ଅଞ୍ଚଳର ତୁରକେଲ ପୋଲର ପୁନଃନିର୍ମାଣ ଦାବିରେ କଂଗ୍ରେସ ଦଳ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ଗଣଧାରଣା ରବିବାର ୬୩ତମ ଦିନରେ ପହଞ୍ଚିଛି। ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ କିମ୍ବା ଟେଣ୍ଡର ପ୍ରକ୍ରିୟା ଶେଷ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କଂଗ୍ରେସ ନେତାମାନେ ସ୍ପଷ୍ଟ କରିଛନ୍ତି।
ପ୍ରାୟ ୧୦ ମାସ ପୂର୍ବରୁ ପ୍ରଶାସନ ତୁରକେଲ ପୋଲ ଉପରେ ଯାନବାହାନ ଚଳାଚଳ ବନ୍ଦ କରିଦେବା ପରେ ବୋରଡା ଓ ମିଲକି ଅଞ୍ଚଳର ଲୋକମାନେ ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପ୍ରାୟ ୧୧ଟି ପଞ୍ଚାୟତର ଲୋକ ଏହି ପୋଲ ଉପରେ ନିର୍ଭରଶୀଳ ଥିବାବେଳେ ବର୍ତ୍ତମାନ ସଦର ମହକୁମାକୁ ଯିବା ପାଇଁ ପ୍ରାୟ ୩୦ କିଲୋମିଟର ଅଧିକ ବାଟ ବୁଲିବାକୁ ପଡ଼ୁଛି। ଏହାର ପ୍ରଭାବରେ ଚାଷୀମାନେ ସେମାନଙ୍କ ଉତ୍ପାଦିତ ସାମଗ୍ରୀକୁ ଉଚିତ ମୂଲ୍ୟରେ ବିକ୍ରି କରିପାରୁ ନଥିବା ଅଭିଯୋଗ ହେଉଛି।
ଗତ ଡିସେମ୍ବର ମାସରେ ଭବାନୀପାଟଣା ବିଧାୟକ ସାଗର ଚରଣ ଦାସଙ୍କ ନେତୃତ୍ୱରେ ପ୍ରଥମେ ଧାରଣା ଦିଆଯାଇଥିଲା। ସେତେବେଳେ ପ୍ରଶାସନର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହାର କରାଯାଇଥିଲେ ମଧ୍ୟ ପୋଲ ନିର୍ମାଣରେ କୌଣସି ଅଗ୍ରଗତି ନ ହେବାରୁ ଗତ ଏପ୍ରିଲ ୨୭ ତାରିଖରୁ ବିଧାୟକଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା କଂଗ୍ରେସ ସଭାପତି ଜଳନ୍ଧର ନାୟକଙ୍କ ନେତୃତ୍ୱରେ ପୁଣିଥରେ ଗଣଧାରଣା ଆରମ୍ଭ ହୋଇଥିଲା।
ଧାରଣା ପରେ ପୋଲ ନିର୍ମାଣ ପାଇଁ ୧୭ କୋଟି ଟଙ୍କାର ଆକଳନ (ଏଷ୍ଟିମେଟ୍) ପ୍ରସ୍ତୁତ ହୋଇଥିବା ସରକାରୀ ସୂଚନା ମିଳିଥିଲେ ମଧ୍ୟ, ପ୍ରକଳ୍ପର କାର୍ଯ୍ୟକାରୀ ଅଗ୍ରଗତି ନ ହେବାରୁ କଂଗ୍ରେସ ଏହାକୁ ନେଇ ସନ୍ଦେହ ପ୍ରକାଶ କରିଛି।
ରାଜ୍ୟ ଶୃଙ୍ଖଳା କମିଟି ସଦସ୍ୟ ଇନ୍ଦ୍ରଜିତ ମହାଖୁଡ଼ କହିଛନ୍ତି, ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ କିମ୍ବା ଟେଣ୍ଡର ପ୍ରକ୍ରିୟା ଶେଷ ହେଲେ ମାତ୍ର ଗଣଧାରଣା ପ୍ରତ୍ୟାହାର କରାଯିବ। ଗତ ଡିସେମ୍ବରରେ ପ୍ରଶାସନ ଲିଖିତ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇନଥିବାରୁ ଏଥର କେବଳ ପ୍ରତିଶ୍ରୁତିକୁ ଦଳ ବିଶ୍ୱାସ କରୁନଥିବା ସେ କହିଛନ୍ତି।
ଅନ୍ୟପକ୍ଷରେ, ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଆସନ୍ତା ଜୁଲାଇ ୭ ତାରିଖ ସୁଦ୍ଧା ତୁରକେଲ ପୋଲ ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହେବ।
ଆଜିର ଗଣଧାରଣାରେ ରାଜ୍ୟ ଶୃଙ୍ଖଳା କମିଟି ସଦସ୍ୟ ଇନ୍ଦ୍ରଜିତ ମହାଖୁଡ଼, ବିଧାୟକ ପ୍ରତିନିଧି ଧନୁର୍ଧର ଗହୀର, ଦିଲୀପ ମଙ୍ଗରାଜ, ସନ୍ତୋଷ ନାୟକ, ବାବା ଖାନ, ରଘୁଧର, ଶମ୍ଭୁ ମାଝୀ, ଚୈତନ୍ୟ ବାରିକ, ରୁକ୍ମିଣୀ ଶବର, ରୁକଧର ମାଝୀ ଓ ମିଡିଆ ସେଲ ସଂଯୋଜକ ସନ୍ତୋଷ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

— ବିଷ୍ଣୁ ଚରଣ ସ୍ୱାଇଁ, କଳାହାଣ୍ଡି ଜିଲ୍ଲା ପ୍ରତିନିଧି, ଷ୍ଟାର ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User