ବେକରେ ଦଉଡି ଦେଇ ମହିଳାଙ୍କ ଆତ୍ମହତ୍ୟା ।
ଝରିଗାଁ,୧୬l୧୧(ଷ୍ଟାର ନିୟୁଜ ଓଡିଶା):ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଚକଲାପଦର ପଞ୍ଚାୟତ ଅନ୍ତର୍ଗତ ବରକିଭଟ୍ଟା ଗ୍ରାମର ଜଣେ ମହିଳାଙ୍କ ଝଲନ୍ତା ଶବ ଜାମୁକୋଳି ଗଛରୁ ଝରିଗାଁ ପୋଲିସ ଉଦ୍ଧାର କରିଛି।ତେବେ ମହିଳାଙ୍କ ଶାଶୁ ଘର ଲୋକ ଆତ୍ମହତ୍ୟା କହୁଥିବା ବେଳେ ବାପା ଘର ଲୋକ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି।ସୂଚନା ପ୍ରକାରେ, ବରକିଭଟ୍ଟା ଗ୍ରାମର ଶ୍ୟାମ ଗୌଡ଼ଙ୍କ ପୁଅ ବଳି ଗୌଡ଼ ତିନି ବର୍ଷ ତଳେ ରାୟଗଡା ଜିଲ୍ଲା ଅଣ୍ଡିରାକଞ୍ଚ ଥାନା ଅଧୀନରେ ଥିବା ଯୋଗୀପାରତୁଣ୍ଡା ଗ୍ରାମର ଲୋକନାଥ ଗୌଡ଼ଙ୍କ ଝିଅ ଚନ୍ଦ୍ରିକା ଗୌଡ଼(25)ଙ୍କୁ ବିବାହ କରିଥିଲେ।ତେବେ ଗତ 14ତାରିଖ ଦିନ 3 ଘଣ୍ଟା ସମୟରେ ଶୌଚ ପାଇଁ ଘରୁ ବାହାରି ପ୍ରାୟ ଏକ କିଲୋମିଟର ଦୂରେ ଥିବା ଏକ ଜାମୁକୋଳି ଗଛରେ ଫାଶୀ ହୋଇଥିବା ଏତଲାରେ ଉଲ୍ଲେଖ ରହିଛି।ଅନ୍ୟପକ୍ଷେ ଚନ୍ଦ୍ରିକାଙ୍କ ବାପା ଲୋକନାଥ ଝିଅକୁ ହତ୍ୟା ସନ୍ଧେହ କରି ଝରିଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।ଲୋକନାଥଙ୍କ ଅଭିଯୋଗ ପ୍ରକାରେ ଚନ୍ଦ୍ରିକାଙ୍କ ଦେଢ଼ଶୁର ବାସୁଦେବ ଗୌଡ଼ ଏବଂ ସୁବାସ ଗୌଡ଼ ବିନା କାରଣରେ ଚନ୍ଦ୍ରିକା ସହିତ ଗଣ୍ଡଗୋଳ କରୁଥିବା ସହ ସ୍ୱାମୀ ବିନା କାରଣରେ ମାରପିଟ କରି ଶାରୀରିକ ନିର୍ଯ୍ୟାତନା ଦେଉ ଥିବା ଫୋନ ଯୋଗେ ଜଣାଇ ଆସୁଥିଲେ।ଏପରିକି ଚନ୍ଦ୍ରିକାର ଆତ୍ମହତ୍ୟା ଘଟଣା ନେଇ ପରିବାର ଲୋକେ କୌଣସି ସୂଚନା ଦେଇ ନଥିବା ବେଳେ 15ତାରିଖ ଦିନ ପଡୋଶୀ ଲୋକେ ଫୋନରେ ଘଟଣା ବିଷୟରେ ଜଣେଇଥିବା ସେ ଅଭିଯୋଗ କରି ନିରପେକ୍ଷ ତଦନ୍ତ ପାଇଁ ଅନୁରୋଧ କରିଛନ୍ତି।ଝରିଗାଁ ପୋଲିସ ଏତଲା ପାଇ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପଠାଇବା ସହ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି।ଆସନ୍ତାକାଲି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯିବ ବୋଲି ପୋଲିସ ସୂଚନା ଦେଇଛି।ଚନ୍ଦ୍ରିକାଙ୍କ ମୃତ୍ୟୁ ପରେ ଦେଢ଼ ବର୍ଷର ପୁଅ ଅନାଥ ହୋଇ ଯାଇଛି।
ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |
What's Your Reaction?