ଭବାନୀପାଟଣାରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

Jun 21, 2026 - 13:20
 0  14
ଭବାନୀପାଟଣାରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

ଭବାନୀପାଟଣା, ୨୧ l୦୬ (ଷ୍ଟାର ନ୍ୟୁଜ୍ ଓଡ଼ିଶା):

୧୨ତମ ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ରବିବାର କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସହରର ବିଭିନ୍ନ ସ୍ଥାନରେ ଉତ୍ସାହ ଓ ଉଦ୍ଦୀପନାର ସହ ଯୋଗ ଦିବସ ପାଳନ କରାଯାଇଛି। ଚଳିତ ବର୍ଷର ଯୋଗ ଦିବସର ମୂଳ ବାର୍ତ୍ତା ଥିଲା ସୁସ୍ଥ ଜୀବନ ଓ ସୁସ୍ଥ ବୃଦ୍ଧାବସ୍ଥା ପାଇଁ ଯୋଗର ଗୁରୁତ୍ୱ। ଦେଶ ଓ ବିଶ୍ୱର ବିଭିନ୍ନ ସ୍ଥାନ ପରି ଭବାନୀପାଟଣାରେ ମଧ୍ୟ ସାମୂହିକ ଯୋଗାଭ୍ୟାସ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତାର ବାର୍ତ୍ତା ପ୍ରଦାନ କରାଯାଇଥିଲା। 
ଏହି ଅବସରରେ ବିଭିନ୍ନ ସରକାରୀ ବିଭାଗର ଅଧିକାରୀ, ଶିକ୍ଷକ, ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟ ଓ ସାଧାରଣ ଜନସାଧାରଣ ବିପୁଳ ସଂଖ୍ୟାରେ ଯୋଗଦେଇ ଯୋଗାସନ, ପ୍ରାଣାୟାମ ଏବଂ ଧ୍ୟାନ ଅଭ୍ୟାସ କରିଥିଲେ। ପ୍ରଶିକ୍ଷକମାନଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗର ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ଉପକାରିତା ସମ୍ପର୍କରେ ସଚେତନ କରାଯାଇଥିଲା।
ବକ୍ତାମାନେ କହିଥିଲେ ଯେ, ଯୋଗ କେବଳ ଏକ ବ୍ୟାୟାମ ନୁହେଁ, ବରଂଏହା ଏକ ସୁସ୍ଥ ଓ ସନ୍ତୁଳିତ ଜୀବନଶୈଳୀର ଅଭିନ୍ନ ଅଂଶ। ନିୟମିତ ଯୋଗାଭ୍ୟାସ ଦ୍ୱାରା ଶରୀର ସୁସ୍ଥ ରହିବା ସହିତ ମାନସିକ ଚାପ ଦୂର ହୋଇଥାଏ ଏବଂ ଏକ ସକାରାତ୍ମକ ଜୀବନ ଗଢ଼ି ଉଠେ। ଯୋଗକୁ ଦୈନନ୍ଦିନ ଜୀବନର ଅଂଶ କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ କରାଯାଇଥିଲା। 
କାର୍ଯ୍ୟକ୍ରମ ଶେଷରେ ସମସ୍ତ ଅଂଶଗ୍ରହଣକାରୀ ନିୟମିତ ଯୋଗ କରି ସୁସ୍ଥ ସମାଜ ଗଠନରେ ସହଯୋଗ କରିବାକୁ ସଂକଳ୍ପ ଗ୍ରହଣ କରିଥିଲେ।
ବିଷ୍ଣୁ ଚରଣ ସ୍ୱାଇଁ, କଳାହାଣ୍ଡି ଜିଲ୍ଲା ପ୍ରତିନିଧି, ଷ୍ଟାର ନ୍ୟୁଜ୍ ଓଡ଼ିଶା

What's Your Reaction?

like

dislike

love

funny

angry

sad

wow

SUJAYA EDITOR