ରେଳ ଅଣ୍ଡର ବ୍ରିଜରେ ପାଣି ପଶି ଜନଜୀବନ ଅସ୍ତବ୍ୟସ୍ତ

Jul 30, 2026 - 18:36
0 20
ରେଳ ଅଣ୍ଡର ବ୍ରିଜରେ ପାଣି ପଶି ଜନଜୀବନ ଅସ୍ତବ୍ୟସ୍ତ

କେସିଙ୍ଗା, ୩୦/୦୭ (ଷ୍ଟାରନ୍ୟୁଜ ଓଡ଼ିଶା):ଲଗାଣ ବର୍ଷା ପ୍ରଭାବରେ ତେଲ ନଦୀର ଜଳସ୍ତର ବୃଦ୍ଧି ପାଇବା ସହ ଉପରମୁଣ୍ଡରୁ ପ୍ରବଳ ବେଗରେ ପାଣି ଆସି କେସିଙ୍ଗା ରେଳ ଅଣ୍ଡର ବ୍ରିଜ (RUB) ସମ୍ପୂର୍ଣ୍ଣ ଜଳମଗ୍ନ ହୋଇପଡ଼ିଛି। ଫଳରେ ଅମ୍ବାଜି ମନ୍ଦିର ନିକଟସ୍ଥ ବାସଗୃହଗୁଡ଼ିକରେ ବର୍ଷା ପାଣି ପଶିଯାଇ ସ୍ଥାନୀୟ ଅଞ୍ଚଳର ଜନଜୀବନ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଘରେ ପାଣି ପଶିବା ଯୋଗୁଁ ଅନେକ ପରିବାର ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ଅନ୍ୟପକ୍ଷରେ, କେସିଙ୍ଗା ମୁଖ୍ୟ ବଜାରକୁ ସଂଯୋଗ କରୁଥିବା ପ୍ରମୁଖ ରାସ୍ତା ଜଳମଗ୍ନ ହେବାରୁ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ବିକଳ୍ପ ରାସ୍ତା ଭାବେ ରେଳ ଫାଟକ ବ୍ୟବହାର କରାଯାଉଥିଲେ ମଧ୍ୟ ବାରମ୍ବାର ଫାଟକ ବନ୍ଦ ରହୁଥିବାରୁ ଶହଶହ ଟ୍ରକ, ବସ୍, କାର୍ ଓ ମୋଟରସାଇକେଲ ଦୀର୍ଘ ସମୟ ଧରି ଧାଡ଼ିରେ ଅପେକ୍ଷା କରିବାକୁ ପଡ଼ୁଛି। ଏହାର ପ୍ରଭାବରେ ସହରର ଦୈନନ୍ଦିନ ଜନଜୀବନ ସହ ବ୍ୟବସାୟିକ କାର୍ଯ୍ୟକଳାପ ମଧ୍ୟ ବ୍ୟାହତ ହୋଇଛି।
ପ୍ରତିବର୍ଷ ବର୍ଷା ଋତୁରେ ଏଭଳି ସମସ୍ୟା ଉପୁଜୁଥିବାରୁ ସ୍ଥାନୀୟ ବାସିନ୍ଦାମାନେ ରେଳ ଅଣ୍ଡର ବ୍ରିଜରେ ସ୍ଥାୟୀ ଜଳ ନିଷ୍କାସନ ବ୍ୟବସ୍ଥା କରିବା ସହ ଏହାର ଏକ ସ୍ଥାୟୀ ସମାଧାନ ପାଇଁ ପ୍ରଶାସନ ଓ ରେଳ କର୍ତ୍ତୃପକ୍ଷଙ୍କ ତୁରନ୍ତ ହସ୍ତକ୍ଷେପ ଦାବି କରିଛନ୍ତି। ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଏହି ସମସ୍ୟାର ସମାଧାନ ନ ହେଲେ ଆଗାମୀ ଦିନରେ ଜନସାଧାରଣଙ୍କୁ ଆହୁରି ଅଧିକ ଦୁର୍ଭୋଗର ସମ୍ମୁଖୀନ ହେବାକୁ ପଡ଼ିପାରେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User