ଲଘୁଚାପ ଜନିତ ବର୍ଷାରେ ଗୁହାଳ ଭାଙ୍ଗି ୪ ଛେଳି ମୃତ, ଚାଷୀ ହତାଶ; ପ୍ରଶାସନର ଅବହେଳା ଅଭିଯୋଗ
ଥୁଆମୂଳ ରାମପୁର, ୨୯/୦୭ (ଷ୍ଟାରନ୍ୟୁଜ ଓଡ଼ିଶା):ଲଘୁଚାପ ଜନିତ ଲଗାଣ ବର୍ଷା କାରଣରୁ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ କିଆପଦର ପଞ୍ଚାୟତ ଅନ୍ତର୍ଗତ ଗୌଡ଼ପଦର ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ଗ୍ରାମର ଚାଷୀ ଭୀମରାଜ ପାଣ୍ଡେ (ପିତା- ସ୍ୱର୍ଗତ ଖଗେଶ୍ୱର ପାଣ୍ଡେ)ଙ୍କ ଛେଳି ଗୁହାଳ ଗତରାତିରେ ଲଗାଣ ବର୍ଷା ଯୋଗୁଁ ଭୁଶୁଡ଼ି ପଡ଼ିଥିଲା। ଫଳରେ ଗୁହାଳ ଭିତରେ ଥିବା ୪ଟି ଛେଳି ଚାପି ହୋଇ ମୃତ୍ୟୁବରଣ କରିଛି। ମୃତ ଛେଳିମାନଙ୍କ ମଧ୍ୟରୁ ୨ଟି ଗର୍ଭବତୀ ମାଇଁ ଛେଳି ଥିବା ସୂଚନା ମିଳିଛି।
ଘଟଣାଟି ପ୍ରଭାତ ପ୍ରାୟ ୫ଟା ସମୟରେ ଘଟିଥିଲେ ମଧ୍ୟ ଦୀର୍ଘ ସମୟ ପର୍ଯ୍ୟନ୍ତ କୌଣସି ପ୍ରଶାସନିକ ଅଧିକାରୀ କିମ୍ବା ଜନପ୍ରତିନିଧି ଘଟଣାସ୍ଥଳରେ ପହଞ୍ଚିନଥିବା ଅଭିଯୋଗ ହୋଇଛି। ଆମ ପ୍ରତିନିଧି ପ୍ରାୟ ୪୫ କିଲୋମିଟର ବାଇକ୍ ଯାତ୍ରା ଏବଂ ୨ କିଲୋମିଟର ପାହାଡ଼ିଆ ଜଙ୍ଗଲ ପଥରେ ପଦଯାତ୍ରା କରି ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ମଧ୍ୟ ସରକାରୀ ପକ୍ଷରୁ କେହି ପହଞ୍ଚିନଥିବା ଦେଖାଯାଇଥିଲା।
ପୀଡ଼ିତ ଚାଷୀ ପରିବାରର ଜୀବିକାର ମୁଖ୍ୟ ଆଧାର ହେଉଛି ଛେଳି ପାଳନ। ଏହି ଛେଳି ବିକ୍ରି କରି ସେମାନେ ପାଞ୍ଚଜଣିଆ ପରିବାରର ଭରଣପୋଷଣ କରିବା ସହ ପୁଅଝିଅଙ୍କ ପାଠପଢ଼ା ଚଳାଉଥିଲେ। ଏକାଥରେ ୪ଟି ଛେଳି ମୃତ୍ୟୁ ହେବାରୁ ପରିବାର ଆର୍ଥିକ ସଙ୍କଟରେ ପଡ଼ିଛି।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଏହି ଗ୍ରାମକୁ ବ୍ଲକ କିମ୍ବା ଜିଲ୍ଲା ସ୍ତରର ଅଧିକାରୀମାନେ ଖୁବ କମ୍ ଆସନ୍ତି। ଘଟଣାର ଖବର ସକାଳୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ଦିଆଯାଇଥିଲେ ମଧ୍ୟ କେହି ଘଟଣାସ୍ଥଳକୁ ପହଞ୍ଚିନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏହାସହ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପଡ଼ିଥିବା ଓ କର୍ମଚାରୀଙ୍କ ଅନୁପସ୍ଥିତିକୁ ନେଇ ମଧ୍ୟ ସ୍ଥାନୀୟ ଲୋକେ ପ୍ରଶ୍ନ ଉଠାଇଛନ୍ତି।
ପୀଡ଼ିତ ପରିବାରକୁ ତୁରନ୍ତ ସରକାରୀ କ୍ଷତିପୂରଣ ଓ ସହାୟତା ପ୍ରଦାନ କରିବା ସହ ଘଟଣାର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
ବିଷ୍ଣୁ ଚରଣ ସ୍ୱାଇଁ, କଳାହାଣ୍ଡି ଜିଲ୍ଲା ପ୍ରତିନିଧି, ଷ୍ଟାରନ୍ୟୁଜ ଓଡ଼ିଶା।
What's Your Reaction?
Like
1
Dislike
0
Love
0
Funny
0
Wow
0
Sad
0
Angry
0
Comments (0)