ଜିଲ୍ଲାସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Jul 29, 2026 - 13:58
0 16
ଜିଲ୍ଲାସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଭବାନୀପାଟଣା ୨୯/୦୭ (ଷ୍ଟାରନ୍ୟୁଜ ଓଡ଼ିଶା):କଳାହାଣ୍ଡି ଜିଲ୍ଲାସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳନ ନିମନ୍ତେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦଭାବନା ସଭାଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।
ବୈଠକରେ ଜିଲ୍ଲାପାଳ କହିଥିଲେ ଯେ, ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସକୁ ଶୃଙ୍ଖଳିତ, ଗରିମାମୟ ଓ ଉତ୍ସାହପୂର୍ଣ୍ଣ ପରିବେଶରେ ପାଳନ କରିବା ପାଇଁ ସମସ୍ତ ବିଭାଗୀୟ ଅଧିକାରୀ, ସରକାରୀ ଓ ବେସରକାରୀ ଅନୁଷ୍ଠାନ, ସ୍ୱେଚ୍ଛାସେବୀ ସଂଗଠନ ଏବଂ ଗଣମାଧ୍ୟମର ସହଯୋଗ ଆବଶ୍ୟକ। ସମସ୍ତେ ମିଳିତ ଭାବେ ଦାୟିତ୍ୱ ନିର୍ବାହ କରି କାର୍ଯ୍ୟକ୍ରମକୁ ସଫଳ କରିବାକୁ ସେ ଆହ୍ୱାନ ଦେଇଥିଲେ।
ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଦିନେଶ କୁମାର କହଁର ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ବୈଠକର କାର୍ଯ୍ୟସୂଚୀ ଉପସ୍ଥାପନ କରିଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସ୍ୱାଧୀନତା ଦିବସ ପାଳନ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।
ବୈଠକରେ ନିଷ୍ପତ୍ତି ହୋଇଥିଲା ଯେ, ୧୪ ଅଗଷ୍ଟ ମଧ୍ୟରାତ୍ରିରେ ମହାବୀର ସାଂସ୍କୃତିକ ଅନୁଷ୍ଠାନ ଓ ନେହେରୁ ଯୁବ କେନ୍ଦ୍ରର ମିଳିତ ଆନୁକୂଳ୍ୟରେ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହେବ। ୧୫ ଅଗଷ୍ଟ ପ୍ରାତଃ ୪.୩୦ରେ ସହରରେ ରାମଧୁନ ପରିବେଷଣ, ସକାଳ ୭.୩୦ରେ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ଜାତୀୟ ପତାକା ଉତ୍ତୋଳନ, ବିଭିନ୍ନ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଏବଂ ସକାଳ ୯.୧୫ରେ ସ୍ଥାନୀୟ ଲାଲବାହାଦୁର ଷ୍ଟାଡିୟମରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ ଓ ପ୍ୟାରେଡ଼ ଅନୁଷ୍ଠିତ ହେବ।
ଏହାବ୍ୟତୀତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ବିଭିନ୍ନ ପ୍ରତିଯୋଗିତା, ସୁନ୍ଦର ଶିଶୁ ସ୍ୱାସ୍ଥ୍ୟ ପ୍ରତିଯୋଗିତା, ଜିଲ୍ଲା ଚିକିତ୍ସାଳୟ, ଜିଲ୍ଲା କାରାଗାର, ରେଡକ୍ରସ ଦିବ୍ୟାଙ୍ଗ ବିଦ୍ୟାଳୟ ଓ ଶିଶୁ ଯତ୍ନ ଅନୁଷ୍ଠାନରେ ଫଳ ଓ ମିଷ୍ଠାନ୍ନ ବଣ୍ଟନ, ରକ୍ତଦାନ ଶିବିର, ବୃକ୍ଷରୋପଣ କାର୍ଯ୍ୟକ୍ରମ ଏବଂ ସନ୍ଧ୍ୟାରେ ଟାଉନ ହଲରେ ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ସାଂସ୍କୃତିକ ସନ୍ଧ୍ୟା ଓ ପୁରସ୍କାର ବିତରଣ ଉତ୍ସବ ଆୟୋଜନ କରାଯିବ।
ପ୍ରସ୍ତୁତି ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ବଇତୁରା ଦୀପ, ମୁଖ୍ୟ ଉନ୍ନୟନ ଅଧିକାରୀ ଓ ଜିଲ୍ଲା ପରିଷଦ ସିଇଓ ସୌମ୍ୟରଞ୍ଜନ ପ୍ରଧାନ, ଉପଜିଲ୍ଲାପାଳ ପ୍ରଭାତ କୁମାର ପରିଡ଼ା, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ପଞ୍ଚାୟତ ଅଧିକାରୀ ବି.ଏନ. ରାଉତ, ଜିଲ୍ଲା ଅବକାରୀ ଅଧିକ୍ଷକ ରଞ୍ଜନ କୁମାର ନାଏକ, ପୌରପାଳିକା ନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ପାଢ଼ୀ, ପୋଲିସ ଓ ସିଆରପିଏଫ୍ ଅଧିକାରୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, ଶିକ୍ଷାବିଦ, ସ୍ୱେଚ୍ଛାସେବୀ ସଂଗଠନର ପ୍ରତିନିଧି, ବରିଷ୍ଠ ନାଗରିକ ଓ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇ ନିଜ ମତାମତ ରଖିଥିଲେ।
ଶେଷରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ କହଁର ସମସ୍ତଙ୍କୁ ଧନ୍ୟବାଦ ଜଣାଇ ବୈଠକ ସମାପ୍ତ କରିଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User