ଲଘୁଚାପଜନିତ ଲଗାଣ ବର୍ଷାରେ ଭୁଶୁଡ଼ିଲା ମାଟି ଘର, ଅଳ୍ପକେ ବର୍ତ୍ତିଲେ ବିଧବା ଯଶୋଦାଙ୍କ ୬ ଜଣିଆ ପରିବାର

Jul 22, 2026 - 05:12
0 20
ଲଘୁଚାପଜନିତ ଲଗାଣ ବର୍ଷାରେ ଭୁଶୁଡ଼ିଲା ମାଟି ଘର, ଅଳ୍ପକେ ବର୍ତ୍ତିଲେ ବିଧବା ଯଶୋଦାଙ୍କ ୬ ଜଣିଆ ପରିବାର

କୋକସରା, ୨୨ll ୭(ଷ୍ଟାରନ୍ୟୁଜ ଓଡ଼ିଶା): ଲଘୁଚାପଜନିତ ଲଗାଣ ବର୍ଷା କଳାହାଣ୍ଡି ଜିଲ୍ଲାରେ ଜନଜୀବନକୁ ଅସ୍ତବ୍ୟସ୍ତ କରିଥିବାବେଳେ କୋକସରା ବ୍ଲକ କାଉଡୋଲା ଗ୍ରାମରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଲଗାତାର ପ୍ରବଳ ବର୍ଷା ଯୋଗୁଁ ଜଣେ ବିଧବା ମହିଳାଙ୍କ ମାଟି ଖପର ଘର ଭୁଶୁଡ଼ି ପଡ଼ିଛି। ସୌଭାଗ୍ୟବଶତଃ ଘଟଣା ସମୟରେ ପରିବାରର ସମସ୍ତ ସଦସ୍ୟ ଘର ବାହାରେ ଥିବାରୁ ଏକ ବଡ଼ ଅଘଟଣ ଟଳିଯାଇଛି।
ସୂଚନା ଅନୁଯାୟୀ, କାଉଡୋଲା ଗ୍ରାମର ବିଧବା ମହିଳା ଯଶୋଦା ନିଆଳ ତାଙ୍କର ୬ ଜଣିଆ ପରିବାର ସହ ଏକ ଜରାଜୀର୍ଣ୍ଣ ମାଟି ଖପର ଘରେ ବସବାସ କରୁଥିଲେ। ମଙ୍ଗଳବାର ସକାଳେ ଲଗାତାର ବର୍ଷାରେ ଘରର କାନ୍ଥ ଦୁର୍ବଳ ହୋଇ ହଠାତ୍ ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଥିଲା। ଘର ଭିତରେ କେହି ନଥିବାରୁ ସମସ୍ତେ ଅଳ୍ପକେ ବର୍ତ୍ତିଯାଇଥିଲେ।
ଯଶୋଦା ନିଆଳ କହିଛନ୍ତି ଯେ, ପ୍ରାୟ ବର୍ଷେ ପୂର୍ବେ ତାଙ୍କ ସ୍ୱାମୀଙ୍କ ଦେହାନ୍ତ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସେ ବିଧବା ଭତ୍ତା କିମ୍ବା ସରକାରୀ ଆବାସ ଯୋଜନାର କୌଣସି ସୁବିଧା ପାଇନାହାନ୍ତି। ବର୍ତ୍ତମାନ ଘର ଭାଙ୍ଗିଯିବା ପରେ ପରିବାରଟି ଖୋଲା ଆକାଶ ତଳେ ଦିନ କାଟିବାକୁ ବାଧ୍ୟ ହୋଇଛି।
ଘଟଣାକୁ ନେଇ ସ୍ଥାନୀୟ ଲୋକମାନେ ଗଭୀର ଉଦ୍ବେଗ ପ୍ରକାଶ କରିବା ସହ ଜିଲ୍ଲା ପ୍ରଶାସନଙ୍କୁ ଯଶୋଦା ନିଆଳଙ୍କ ପାଇଁ ତୁରନ୍ତ ତ୍ରାଣ ସହାୟତା, କ୍ଷତିପୂରଣ, ସରକାରୀ ଆବାସ ଏବଂ ବିଧବା ଭତ୍ତା ମଞ୍ଜୁର କରିବାକୁ ଦାବି କରିଛନ୍ତି।
 
ବିଷ୍ଣୁ ଚରଣ ସ୍ୱାଇଁ, କଳାହାଣ୍ଡି ଜିଲ୍ଲା ପ୍ରତିନିଧି

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User