ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଚାଞ୍ଚେର ପଞ୍ଚାୟତରେ ହିତାଧିକାରୀ ସମ୍ମିଳନୀ ଓ ସୁଭଦ୍ରା ଶକ୍ତି ସମାବେଶ

Jun 24, 2026 - 16:24
 0  3
ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଚାଞ୍ଚେର ପଞ୍ଚାୟତରେ ହିତାଧିକାରୀ ସମ୍ମିଳନୀ ଓ ସୁଭଦ୍ରା ଶକ୍ତି ସମାବେଶ

ଭବାନୀପାଟଣା, ତା. 24/06 (ଷ୍ଟାର ନ୍ୟୁଜ ଓଡ଼ିଶା): ଓଡ଼ିଶା ସରକାରଙ୍କ ସଫଳ ଶାସନର ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ସାରା ରାଜ୍ୟରେ ପାଳିତ ହେଉଥିବା “ବିକାଶର ଧାରା, ଓଡ଼ିଶା ସାରା” କାର୍ଯ୍ୟକ୍ରମ ଅନ୍ତର୍ଗତ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ଅଧୀନସ୍ଥ ଚାଞ୍ଚେର ଗ୍ରାମପଞ୍ଚାୟତରେ ଏକ ବୃହତ୍ ସ୍ତରୀୟ ହିତାଧିକାରୀ ସମ୍ମିଳନୀ ଏବଂ ‘ସୁଭଦ୍ରା ଶକ୍ତି ସମାବେଶ ଓ ସୁଭଦ୍ରା ଶକ୍ତି ସମ୍ବାଦ’ କାର୍ଯ୍ୟକ୍ରମ ଉତ୍ସାହ ଓ ଆଡ଼ମ୍ବରର ସହିତ ଅନୁଷ୍ଠିତ ହୋଇଯାଇଛି।
ମହିଳା ଓ ଶିଶୁ ବିକାଶ ବିଭାଗ, ମିଶନ ଶକ୍ତି ବିଭାଗ ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ମିଳିତ ଆନୁକୂଳ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପଞ୍ଚାୟତର ବିଭିନ୍ନ ଅଧିକାରୀ, ଜନପ୍ରତିନିଧି, ମିଶନ ଶକ୍ତି ସଦସ୍ୟା ଏବଂ ବହୁ ସଂଖ୍ୟକ ହିତାଧିକାରୀ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ପଞ୍ଚାୟତ ନିର୍ବାହୀ ଅଧିକାରୀ, ଏଡିଇଓ, ଏମ୍‌ବିକେ, ୱାର୍ଡ ସଦସ୍ୟା, ସରପଞ୍ଚ ଓ ଅନ୍ୟାନ୍ୟ ଗଣମାନ୍ୟ ବ୍ୟକ୍ତିବର୍ଗ ଉପସ୍ଥିତ ରହିଥିଲେ।
ଏହି ଅବସରରେ ବିଗତ ଦୁଇ ବର୍ଷ ମଧ୍ୟରେ ପଞ୍ଚାୟତ ସ୍ତରରେ ସମ୍ପାଦିତ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଯଥା ଗ୍ରାମୀଣ ଆବାସ ଯୋଜନା, ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ରାସ୍ତାଘାଟ ଓ ଅନ୍ୟାନ୍ୟ ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଗ୍ରାମାଞ୍ଚଳରେ ଆସିଥିବା ସକାରାତ୍ମକ ପରିବର୍ତ୍ତନ ସମ୍ପର୍କରେ ଉପସ୍ଥିତ ଅଧିକାରୀ ଓ ଜନପ୍ରତିନିଧିମାନେ ମତ ପ୍ରକାଶ କରିଥିଲେ।
ସେହିପରି ‘ସୁଭଦ୍ରା ଶକ୍ତି ସମାବେଶ’ ମାଧ୍ୟମରେ ନାରୀ ସଶକ୍ତିକରଣ, ମହିଳାଙ୍କ ଅଧିକାର ଓ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ କଲ୍ୟାଣକାରୀ ଯୋଜନା ବିଷୟରେ ସଚେତନତା ସୃଷ୍ଟି କରାଯାଇଥିଲା। ମହିଳା ଓ ଶିଶୁଙ୍କ ସୁରକ୍ଷା ତଥା ସହାୟତା ପାଇଁ ଉପଲବ୍ଧ ବିଭିନ୍ନ ଜରୁରୀକାଳୀନ ହେଲ୍ପଲାଇନ ନମ୍ବର ଯଥା ୧୧୨, ୧୦୯୮, ୧୮୧, ୧୦୪ ଓ ୧୯୩୦ ସମ୍ପର୍କରେ ଉପସ୍ଥିତ ଲୋକଙ୍କୁ ଅବଗତ କରାଯାଇଥିଲା।
କାର୍ଯ୍ୟକ୍ରମରେ ମଞ୍ଚାସୀନ ଅତିଥିମାନେ ସରକାରଙ୍କ ଜନହିତକର ଯୋଜନାଗୁଡ଼ିକୁ ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା ପାଇଁ ସଂକଳ୍ପ ବ୍ୟକ୍ତ କରିଥିଲେ। ଶେଷରେ ହିତାଧିକାରୀମାନଙ୍କୁ ବିଭିନ୍ନ ସରକାରୀ ସହାୟତା ଓ ସେବା ପ୍ରଦାନ କରାଯିବା ସହ କାର୍ଯ୍ୟକ୍ରମଟି ସମାପ୍ତ ହୋଇଥିଲା।
 
କଳାହାଣ୍ଡି ଜିଲ୍ଲା ପ୍ରତିନିଧ : ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

What's Your Reaction?

like

dislike

love

funny

angry

sad

wow

SUJAYA EDITOR