କନ୍ଦାଉଛି ଲୋକଙ୍କୁ ଆକାଶ ଛୁଆଁ ପରିବା ଦର।
ଝରିଗାଁ,୧୦l୭ (ଷ୍ଟାର ନିୟୁଜ ଓଡିଶା ): ଶ୍ରାବଣ ମାସ ଆରମ୍ଭ ହେବାକୁ ଯାଉଥିବା ବେଳେ ଲୋକଙ୍କୁ କନ୍ଦାଉଛି ଆକାଶ ଛୁଆଁ ପରିବା ଦର। ପରିବା ଉପରେ ହାତ ମାରି ହେଉନାହିଁ। ଯେଉଁ ପରିବା ରେ ହାତ ମାରିବା ସବୁ ୮୦ ଟଙ୍କା ପାର। ଫୁଲକୋବି ପୋଟଳ ୮୦ ଟଙ୍କା ,ବିଂଶ କିଲୋ ୧୦୦ ଟଙ୍କା। ଟମାଟୋ କିଲୋ ୧୦୦ ଟଙ୍କା ,ଲାଉ,କାକୁଡି,ଖମ୍ବ ଆଳୁ କଦଳୀ କଖାରୁ ,ଅମୃତଭଣ୍ଡା ,କଞ୍ଚା କଦଳୀ ବୋଇତାଳୁ କିଲୋ ୪୦ ରହିଥିବା ବେଳେ ସଜନା ଛୁଇଁ କିଲୋ ଦେଢ଼ଶହ ପାର୍। ପରିବା ଦୋକାନ ଆଗରେ ଠିଆହୋଇ ଚିନ୍ତା କରିବାକୁ ପଡୁଛି କଣ ନେବାକୁ ହେବ କେତେ ପରିମାଣରେ। ବେଗ ଭର୍ତ୍ତି ହେଉନାହିଁ ପରିବା। ଅଧା ବେଗ ପରିବା କିଣିବା ପରେ ବଜେଟ ପାଉନାହିଁ ଆଉ କଣ ସବୁ ପରିବା ନେବାକୁ। ହାଣ୍ଡିଶାଳରେ ବ୍ୟଞ୍ଜନ କେତେ ପ୍ରକାର ହେବ ଗୃହିଣୀ ଚିନ୍ତାରେ ରହିଛି। ସାଧାରଣତଃ ବର୍ଷା ଋତୁ ଆଗମନ ପରେ ପରିବା ଦର ବୃଦ୍ଧି ପାଇବା ସ୍ଵାଭାବିକ ହୋଇଥାଏ। କିନ୍ତୁ ଚଳିତ ବର୍ଷ ଦର ନିୟନ୍ତ୍ରଣ ବାହାରେ ଥିବା କହୁଛନ୍ତି ସ୍ଥାନୀୟ ଗ୍ରାହକ। ମଧ୍ୟବିତ୍ତ,ନିମ୍ନ ମଧ୍ୟବିତ୍ତ,ଗରିବ ଓ ଅତି ଗରିବ ପରିବାର ପାଇଁ ପରିବା ଦର ବେଦନା ଦେଉଛି। ଆଖପାଖ ଅଂଚଳର ଛୋଟ ପରିବା ଚାଷୀ ଠାରୁ କମ ଦରରେ ସ୍ଥାନୀୟ ବ୍ୟବସାୟୀ କ୍ରୟକରି ଚଢ଼ା ଦରରେ ଲୋକଙ୍କୁ ବିକୁଛନ୍ତି। ସଦର ବାସୀ ସାପ୍ତାହିକ ହାଟ ଏବଂ ଦୈନଦିନ ବଜାର ଉପରେ ନିର୍ଭର କରୁଥିବା ବେଳେ ବ୍ୟବସାୟୀ ଏହାର ଫାଇଦା ମାରୁଛନ୍ତି। ଝରିଗାଁ ସଦର ବଜାରକୁ ପଡୋଶୀ ଡାବୁ ଗାଁ,ରାଇଘର,ଉମରକୋଟ ଚନ୍ଦାହାଣ୍ଡି ବ୍ଲକରୁ ପରିବା ଆଣି ବିକ୍ରୟ କରୁଛନ୍ତି ବ୍ୟବସାୟୀ। ଉତ୍ପାଦନ କମ୍ ଏବଂ ଚାହିଦା ଅଧିକର ସ୍ଥିତିରେ ପରିବା ମହଙ୍ଗା ପାକେଟକୁ ଭାରି ବାଧୂଛି।ଝରିଗାଁ ବ୍ଲକ ଅଞ୍ଚଳରେ ପରିବା ଉତ୍ପାଦନ ଆବଶ୍ୟକତା ଦୃଷ୍ଟିରୁ ବହୁତ କମ ପରିମାଣରେ ହେଉଛି। ବ୍ଲକ କୃଷି ବିଭାଗ ସୂଚନାନୁସାରେ ପରିବା ଚାହିଦା ବୃଦ୍ଧି ଚାଲିଥିବା ବେଳେ ଉତ୍ପାଦନ ପରିମାଣ ସନ୍ତୋଷ ଜନକ ନୁହେଁ। କେବଳ ୪୭୦ ହେକ୍ଟର ଜମିରେ ପରିବା ଚାଷ ହେଉଥିବା ଜଣା ପଡ଼ିଛି। ବ୍ଲକରେ ଧାନ ମକା ପ୍ରାୟ ୧୭,୩୫୦ ହେକ୍ଟର ହେଉଥିବା ବେଳେ ଜଳସେଚନ ସୁବିଧା ଥିବା ଜମିର ପରିମାଣ ୪୭୨୬ ହେକ୍ଟର ରହିଛି। ଯାହା ଫଳରେ ବ୍ଲକ ବାସୀଙ୍କ ଚାହିଦା ପୂରଣ କରିବାକୁ ବାହାର ବ୍ୟବସାୟୀ ପରିବା ବିକ୍ରୀ କରୁଛନ୍ତି। ଅଧିକରୁ ଅଧିକ ଜଳସେଚନ ସୁବିଧା ଚାଷୀ ପାଇ ପାରିଲେ ଉତ୍ପାଦନ ବୃଦ୍ଧି ହୋଇପାରନ୍ତା ଏବଂ ଦର କମିବା ସହ ନିୟନ୍ତ୍ରଣ ହୋଇ ପାରନ୍ତା ବୋଲି ବୁଦ୍ଧିଜୀବୀ ପ୍ରକାଶ କରିଛନ୍ତି। ଆଧୁନିକ କୃଷି ପଦ୍ଧତି,ଜଳସେଚନ ସୁବିଧା,ଆଧୁନିକ କୃଷି ଯନ୍ତ୍ରପାତି ସହ ଆଧୁନିକ ପ୍ରଣାଳୀ ଅନୁସରଣ କଲେ ଏବଂ ଚାଷୀଙ୍କୁ ଆର୍ଥିକ ପ୍ରୋତ୍ସାହନ ଦେଲେ ଚାଷୀର ଆର୍ଥିକ ପ୍ରଗତି ସାଙ୍ଗକୁ ଦର କମ ହୋଇପାରନ୍ତା ବୋଲି ଚାଷୀ ମହଲରେ ଚର୍ଚ୍ଚା ହେଉଛି।
ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ|
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)