ଖନାତରା ମାଲପଡ଼ାରେ ବର୍ଷା ବିପର୍ଯ୍ୟୟ: ପାଣିରେ ବୁଡ଼ିଲା ଘରଦ୍ୱାର, ବନ୍ଦ କଲଭର୍ଟ ଯୋଗୁଁ ବଢ଼ିଲା ଜନଦୁର୍ଦ୍ଦଶା
ଧର୍ମଗଡ଼, ୧୭/୦୭ (ଷ୍ଟାର ନ୍ୟୁଜ୍ ଓଡ଼ିଶା):କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ତମ୍ବାଛଡା ପଞ୍ଚାୟତ ଅନ୍ତର୍ଗତ ଖନାତରା ମାଲପଡ଼ାରେ ବର୍ଷା ହେଲେ ପରିସ୍ଥିତି ଭୟଙ୍କର ରୂପ ନେଉଛି। ସାମାନ୍ୟ ବର୍ଷାରେ ମଧ୍ୟ ସମଗ୍ର ମାଲପଡ଼ା ଜଳମଗ୍ନ ହୋଇ ଘରଦ୍ୱାରରେ ପାଣି ପଶିଯାଉଛି। ରାସ୍ତାଘାଟ ଜଳରେ ବୁଡ଼ି ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହେଉଥିବାରୁ ସ୍ଥାନୀୟ ଲୋକଙ୍କ ଜନଜୀବନ ଦୁର୍ବିସହ ହୋଇପଡ଼ିଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ପୂର୍ବରୁ ଥିବା ଏକ କଲଭର୍ଟ ଦେଇ ବର୍ଷାର ପାଣି ସହଜରେ ନିଷ୍କାସନ ହେଉଥିଲା। କିନ୍ତୁ ପ୍ରାୟ ଦୁଇ ବର୍ଷ ପୂର୍ବେ PWD ପକ୍ଷରୁ ନୂତନ ରାସ୍ତା ନିର୍ମାଣ ପରେ ଜମି ବିବାଦକୁ ନେଇ କଲଭର୍ଟକୁ ମାଟି ପକାଇ ବନ୍ଦ କରିଦିଆଯାଇଥିବା ଅଭିଯୋଗ ହୋଇଛି। ଫଳରେ ପାଣି ନିଷ୍କାସନର ସମସ୍ତ ରାସ୍ତା ବନ୍ଦ ହୋଇ ବର୍ଷାଜଳ ସିଧାସଳଖ ମାଲପଡ଼ାରେ ଜମି ରହୁଛି।
ବର୍ଷା ସମୟରେ ଘର ଭିତରେ ଆଣ୍ଠୁଏ ପାଣି ଜମି ରହୁଥିବାରୁ ଲୋକମାନେ ଘରୁ ବାହାରି ପାରୁନାହାନ୍ତି। ସ୍କୁଲ ପଢ଼ୁଆ ଛାତ୍ରଛାତ୍ରୀଙ୍କ ପାଠପଢ଼ା ବାଧାପ୍ରାପ୍ତ ହେଉଥିବାବେଳେ ବୃଦ୍ଧ, ମହିଳା ଓ ରୋଗୀମାନଙ୍କ ଯାତାୟାତ ମଧ୍ୟ ଅତ୍ୟନ୍ତ କଷ୍ଟସାଧ୍ୟ ହୋଇପଡ଼ୁଛି। ଏହାସହ ସାପ ଓ ବିଷାକ୍ତ ପୋକମାକଡ଼ର ଭୟ ସହ ବିଭିନ୍ନ ସଂକ୍ରାମକ ରୋଗ ବ୍ୟାପିବାର ଆଶଙ୍କା ମଧ୍ୟ ବଢ଼ିଛି।
ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଏହି ସମସ୍ୟା ନେଇ ସେମାନେ ବାରମ୍ବାର ଧର୍ମଗଡ଼ ତହସିଲ, ବ୍ଲକ ପ୍ରଶାସନ, ଜିଲ୍ଲାପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସ୍ଥାୟୀ ପଦକ୍ଷେପ ନିଆଯାଇନାହିଁ। ସମୟ ଥିବାବେଳେ ବନ୍ଦ କଲଭର୍ଟକୁ ପୁନଃ ଖୋଲାଯାଇଥାନ୍ତା, ତେବେ ଏଭଳି ପରିସ୍ଥିତି ଉପୁଜିନଥାନ୍ତା ବୋଲି ସେମାନେ କହିଛନ୍ତି।
ଏବେ ବର୍ଷାର ପ୍ରକୋପ ବଢ଼ୁଥିବାରୁ ମାଲପଡ଼ାବାସୀଙ୍କ ଚିନ୍ତା ଆହୁରି ବଢ଼ିଯାଇଛି। ଗଣମାଧ୍ୟମ ଜରିଆରେ ସେମାନେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ଯେ, ତୁରନ୍ତ ଘଟଣାସ୍ଥଳକୁ ଅଧିକାରୀ ପଠାଇ ପରିସ୍ଥିତିର ଯାଞ୍ଚ କରାଯାଉ ଏବଂ ବନ୍ଦ ହୋଇଥିବା ପାଣି ନିଷ୍କାସନ ବ୍ୟବସ୍ଥାକୁ ପୁନଃ ଚାଲୁ କରି ସ୍ଥାୟୀ ସମାଧାନ କରାଯାଉ।
ଏବେ ପ୍ରଶ୍ନ ଉଠୁଛି— ବାରମ୍ବାର ଅଭିଯୋଗ ସତ୍ତ୍ୱେ ପ୍ରଶାସନ କାହିଁକି ନୀରବ? ଖନାତରା ମାଲପଡ଼ାର ଲୋକେ କେବେ ଏହି ଜଳବନ୍ଦୀ ସମସ୍ୟାରୁ ମୁକ୍ତି ପାଇବେ?
ରିପୋର୍ଟ: ଷ୍ଟାର ନ୍ୟୁଜ୍ ଓଡ଼ିଶା
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)