ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା-୨୦୨୫, କଳାହାଣ୍ଡିର ଦ୍ଵିତୀୟ ଦିବସ

Jan 4, 2026 - 19:43
 0  3
ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା-୨୦୨୫, କଳାହାଣ୍ଡିର ଦ୍ଵିତୀୟ ଦିବସ

ଭବାନୀପାଟଣା, କଳାହାଣ୍ଡି | ୪ ଜାନୁଆରୀ, ୨୦୨୬ (ଷ୍ଟାର ନିୟୁଜ ଓଡିଶା )ଭବାନୀପାଟଣାସ୍ଥିତ କୃଷି ମହାବିଦ୍ୟାଳୟ ପରିସରରେ ଚାଲିଥିବା ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା-୨୦୨୫ ଆଜି ଦ୍ୱିତୀୟ ଦିନରେ ସଫଳତାର ସହ ଅତିକ୍ରମ କରିଛି। ମେଳାର ପ୍ରଥମ ଦୁଇ ଦିନ ମଧ୍ୟରେ ଜିଲ୍ଲାର ଚାଷୀମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି, ଯାହାର ପରିଣାମସ୍ୱରୂପ ମୋଟ ୩.୫୭ କୋଟି ଟଙ୍କାର କୃଷି ଯନ୍ତ୍ରପାତି ବିକ୍ରୟ ହୋଇଥିବା ସୂଚନା ମିଳିଛି। ଆଜି ଦ୍ୱିତୀୟ ଦିନରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ପ୍ରାୟ ୫୦୦ ଚାଷୀ ଯୋଗଦେଇ ପାଠଶାଳା ମାଧ୍ୟମରେ ବିଭିନ୍ନ କୃଷି ଭିତ୍ତିକ ବୈଷୟିକ ଜ୍ଞାନକୌଶଳ ବିଷୟରେ ଶିକ୍ଷା ଲାଭ କରିଥିଲେ। ସଭାର ପ୍ରାରମ୍ଭରେ ଶ୍ରୀ ପ୍ରମୋଦ କୁମାର ବେହେରା, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, କଳାହାଣ୍ଡି ସମସ୍ତଙ୍କୁ ସ୍ୱାଗତ କରିବା ସହ ମେଳାର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ। ଆଜିର କାର୍ଯ୍ୟକ୍ରମରେ ଜିଲ୍ଲାର ବରିଷ୍ଠ କୃଷି ଅଧିକାରୀ ଓ ବୈଜ୍ଞାନିକମାନେ ଯୋଗଦେଇ ଚାଷୀମାନଙ୍କୁ ମାର୍ଗଦର୍ଶନ କରିଥିଲେ। ଇଂ. ଅଜୟ କୁମାର ମାରାଣ୍ଡି, ନିର୍ବାହୀ ଯନ୍ତ୍ରୀ (କୃଷି), କଳାହାଣ୍ଡି ଯନ୍ତ୍ରପାତିର ବ୍ୟବହାର ଓ ସରକାରୀ ରିହାତି ବିଷୟରେ ବୁଝାଇଥିଲେ। ଡ. ସ୍ମୃତି ହାଁସଦା, ସହକାରୀ ପ୍ରଫେସର, କୃଷି ମହାବିଦ୍ୟାଳୟ ଜମିରେ ଜଳର ସଠିକ୍ ବିନିଯୋଗ ଓ ସଂରକ୍ଷଣ କୌଶଳ ବିଷୟରେ ବୈଷୟିକ ସୂଚନା ପ୍ରଦାନ କରିଥିଲେ। ଯୋଜନା ଅଧିକାରୀ ଶ୍ରୀଯୁକ୍ତ ବିଶ୍ୱନାଥ ମହାପାତ୍ର ବିଭିନ୍ନ କୃଷି ଯୋଜନା ବିଷୟରେ କହିଥିବା ବେଳେ, ଇଂ. ଅଂଶୁମାନ ପାଇକରାୟ ସହକାରୀ କୃଷି ଯନ୍ତ୍ରୀ, ଭବାନୀପାଟଣା ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା (MKUY) ଏବଂ ଇଂ. ସୌମ୍ୟା ସୁରଭି ଶବର ସହକାରୀ କୃଷି ଯନ୍ତ୍ରୀ, ଜୁନାଗଡ଼ ରିହାତି ପାଇବାର ପ୍ରକ୍ରିୟା ବିଷୟରେ ବୁଝାଇଥିଲେ। ଶ୍ରୀମତୀ ମୋନାଲିସା ପ୍ରଧାନ, ସହକାରୀ ଉଦ୍ୟାନ କୃଷି ଅଧିକାରୀ ଉଦ୍ୟାନ କୃଷିର ବିଭିନ୍ନ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ। ଶ୍ରୀଯୁକ୍ତ ରଞ୍ଜନ କୁମାର ପଟେଲ, ଗୋଷ୍ଠୀ କୃଷି ଅଧିକାରୀ ଜୁନାଗଡ "୯ ସୂତ୍ରି କୃଷି ପ୍ରଣାଳୀ" ସମ୍ବନ୍ଧରେ ଆଲୋକପାତ କରିଥିଲେ। ଶ୍ରୀଯୁକ୍ତ ସୁଶୀଲ କୁମାର ସେଠୀ, ଗୋଷ୍ଠୀ କୃଷି ଅଧିକାରୀ, ଭବାନୀପାଟଣା ମୃତ୍ତିକାର ସ୍ବାସ୍ଥ୍ୟ, ରକ୍ଷଣା ବେକ୍ଷଣ ଓ ତାର ଉପଯୋଗୀତା ଉପରେ ଗୁରୁତ୍ୱାରୋପ କରିଥିଲେ। ଶ୍ରୀଯୁକ୍ତ ନୌକେଶ୍ୱର ନାଗ, ଜିଲ୍ଲା କୃଷି ଅଧିକାରୀ ଧର୍ମଗଡ଼ ବିଭିନ୍ନ ଚାଷ ପ୍ରଣାଳୀ ଓ କୃଷି କ୍ଷେତ୍ରର ଅତ୍ୟାବଶ୍ୟକ ଦିଗଗୁଡ଼ିକ ଉପରେ ଚାଷୀଙ୍କୁ ପରାମର୍ଶ ଦେଇଥିଲେ। ସଭାର ଅନ୍ତିମ ପର୍ଯ୍ୟାୟରେ ଶ୍ରୀଯୁକ୍ତ ଜିତେନ୍ଦ୍ର କୁମାର ସିଂ, ଗୋଷ୍ଠୀ କୃଷି ଅଧିକାରୀ, କେସିଙ୍ଗା ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ମେଳାରେ ଟ୍ରାକ୍ଟର, ପାୱାର ଟିଲରଠାରୁ ଆରମ୍ଭ କରି ଆଧୁନିକ ସ୍ପ୍ରେୟାର ଏବଂ ଜଳସେଚନ ପାଇଁ ବ୍ୟବହୃତ ଯନ୍ତ୍ରପାତି ଏଠାରେ ଉପଲବ୍ଧ କରାଯାଇଛି। ଚାଷୀମାନେ ସିଧାସଳଖ ନିର୍ମାତାଙ୍କ ସହ ଆଲୋଚନା କରି ଯନ୍ତ୍ରପାତିର କାର୍ଯ୍ୟକାରିତା ବିଷୟରେ ଜାଣିବା ସହ ସେଗୁଡ଼ିକୁ ବୁକିଂ କରିବାର ସୁଯୋଗ ପାଉଛନ୍ତି। ମେଳା ଅବସରରେ ଯନ୍ତ୍ରପାତି ବୁକିଂ କରିଥିବା ହିତାଧିକାରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ଯନ୍ତ୍ରପାତି ବଣ୍ଟନ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ପ୍ରଥମ ଦୁଇ ଦିନରେ ୩.୫୭ କୋଟି ଟଙ୍କାର ବ୍ୟବସାୟ ଚାଷୀଙ୍କ ଆଧୁନିକତା ପ୍ରତି ଆଗ୍ରହକୁ ପ୍ରମାଣିତ କରୁଛି। ଏହି ସମଗ୍ର କାର୍ଯ୍ୟକ୍ରମକୁ କୃଷି ବିଭାଗର ଯନ୍ତ୍ରୀ, ଅଧିକାରୀ, କୃଷି ପର୍ଯ୍ୟବେକ୍ଷକ ଏବଂ କ୍ଷେତ୍ର କର୍ମଚାରୀମାନେ ସୁଚାରୁରୂuପେ ପରିଚାଳନା କରୁଛନ୍ତି। ଏହି ମେଳା ଆସନ୍ତା ୭ ଜାନୁଆରୀ ପର୍ଯ୍ୟନ୍ତ ଚାଲିବ। ଜିଲ୍ଲାର ଅଧିକରୁ ଅଧିକ ଚାଷୀ ଏହାର ସୁଯୋଗ ନେବାକୁ କୃଷି ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି।

What's Your Reaction?

like

dislike

love

funny

angry

sad

wow

SUJAYA EDITOR