ଦୁର୍ଗମରେ ଦୁର୍ଦଶା ଭୋଗୁଛନ୍ତି ୪୫ପରିବାର ।ସମସ୍ତ ମୌଳିକ ସୁବିଧାରୁ ବଞ୍ଚିତ ।
ଫିରିଙ୍ଗିଆ,୧୪l୧୧ (ଷ୍ଟାର ନିୟୁଜ): ବର୍ତ୍ତମାନ ବିଜେପି ସରକାର ମାଁ କୁ ସମ୍ମାନ ଓ ଗାଁକୁ ରାସ୍ତାର ନାରା ଦେଇ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ସବୁ ପ୍ରଣୟନ କରୁଛନ୍ତି ।ହେଲେ ବିଭାଗୀୟ ଅଧିକାରୀ ଓ ଜନ ପ୍ରତିନିଧି ମାନଙ୍କ ବୈମାତୃକ ମନୋଭାବ ତଥା ଠିକାଦାର ପୋଷା ନିତୀ ଯୋଗୁଁ ଏସବୁ ଯୋଜନା ଦୁର୍ଗମ ଅଞ୍ଚଳରେ ଫଳପ୍ରଦ ହୋଇପାରୁନଥିବା ସାଧାରଣରେ ଚର୍ଚ୍ଚା ହେଉଛି ।ଏଭଳି ଏକ ଦୁର୍ଗମ ଅଞ୍ଚଳ ହେଉଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କୁଏରୀମାଣ୍ଡୁ ପଞ୍ଚାୟତର ବାରାହାଲା ଅଞ୍ଚଳ । ଅଞ୍ଚଳଟି ବନ ପାହାଡ ଘେରା ଏକ ଦୁର୍ଗମ ଅଞ୍ଚଳ ହୋଇଥିବା ବେଳେ ବ୍ଲକର ଶେଷ ସୀମାରେ ଏହି ଅଞ୍ଚଳଟି ଅବସ୍ଥିତ । ଅଞ୍ଚଳରେ ବାରାହାଲା, ଦୁବସରା, ତିଲକା ପଦର, ଓ ବେରେଣୀ ଭଳି ତିନୋଟି ଗ୍ରାମ ଗଢି ଉଠିଛି । ଗ୍ରାମ ଗୁଡିକ ସର୍ବ ପୁରାତନ ହୋଇଥିଲେ ହେଁ ଅଞ୍ଚଳରେ ଏଯାଏ ରାସ୍ତା, ବିଜୁଳି, ବିଶୁଦ୍ଧ ପାନୀୟ ଜଳ ଓ ନେଟୱାର୍କ ଭଳି ମୌଳିକ ସୁବିଧା ପହଂଚି ପାରିନି। ଫଳରେ ଏହି ଅଞ୍ଚଳରେ ବସବାସ କରୁଥିବା ପ୍ରାୟ ୪୫ ପରିବାର ଆଦିମ ମାନବ ମାନଙ୍କ ଭଳି ଜୀବନ ଯାପନ କରୁଛନ୍ତି ।ଡିବିରୀ ଆଲୁଅ, ନାଳ ଓ ନର୍ଦମାର ପାଣି ହିଁ ଏମାନଙ୍କ ବଂଚିବାର ମୁଖ୍ୟ ସ୍ରୋତ ପାଲଟିଛି । ବାରାହାଲା ଗ୍ରାମରେ ଅଙ୍ଗନବାଡି କେନ୍ଦ୍ରଟେ ଖୋଲାଯାଇଛି ସତ ହେଲେ ଆବଡା ଖାବଡା ଓ ଖାଲଢିପ ପୂର୍ଣ୍ଣ କଦର୍ଯ୍ୟ ରାସ୍ତା ସାଙ୍ଗକୁ ଗ୍ରାମ ଗୁଡିକ ଠାରୁ ପ୍ରାୟ ୫ କିଲୋମିଟର ବାଟ ଦୂର ହେଉଥିବା ଯୋଗୁଁ କୁନିକୁନି ପିଲାମାନେ ଅଙ୍ଗନବାଡି କେନ୍ଦ୍ରକୁ ନଯାଇ ଘରେ ପଡି ରହୁଛନ୍ତି ।ଏହି ତିନି ଗୋଟି ଗ୍ରାମ ଭିତରୁ ଯେକୌଣସି ଗ୍ରାମର ଗର୍ଭବତୀ, ପ୍ରସୂତି କିମ୍ୱା ଗୁରୁତର ରୋଗୀଙ୍କୁ ଡାକ୍ତରଖାନା ନେବାକୁ ହେଲେ ବଡ଼ ହଟହଟା ହେବାକୁ ପଡ଼ୁଥିବା ଗ୍ରାମବାସି କହିଛନ୍ତି ।ଗ୍ରାମକୁ ଆମ୍ବୁଲାନ୍ସ ଆସି ପାରୁନଥିବାରୁ ଆବଡା ଖାବଡା ପଥର ପୂର୍ଣ୍ଣ ରାସ୍ତାଦେଇ ୫ କିଲୋମିଟର ବାଟ ଯିବାପରେ ଯାଇକି ଆମ୍ବୁଲାନ୍ସ ପାଖରେ ପହଂଚି ହେଉଥିବା ଅଞ୍ଚଳବାସି କହିଛନ୍ତି |ଠିକ ସେହିପରି ସ୍କୁଲ ଛାତ୍ରଛାତ୍ରୀ ମାନେ ମଧ୍ୟ ଶିକ୍ଷା ଅଧ୍ୟୟନରୁ ବଞ୍ଚିତ ରହି ଘରେ ପଡି ରହୁଛନ୍ତି । ବାରାହାଲାରେ ଗୋଟେ ବିଦ୍ୟାଳୟ ସ୍ଥାପିତ ହୋଇଛି ସତ, ହେଲେ ବାରାହାଲା ଠାରୁ ଦୁବସରା, ବେରେଣୀ, ତିଲକା ପଦର ଆଦି ଗ୍ରାମ ଗୁଡିକ ୫ କିଲୋମିଟର ବାଟ ଦୂର ହେବା ସହିତ ଘଞ୍ଚ ଜଙ୍ଗଲ,ବଡ଼ ଘାଟି, ଓ କଦର୍ଯ୍ୟ ରାସ୍ତା ଯୋଗୁଁ ଭୟରେ ଛାତ୍ରଛାତ୍ରୀ ବିଦ୍ୟାଳୟ ଯାଉନଥିବା ଅଭିଯୋଗ ହେଉଛି । କିଛି ବର୍ଷ ତଳେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ବାରାହାଲା ଠାରୁ ଦୁବସରା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ଟଙ୍କା ମଞ୍ଜୁରୀ ହୋଇଥିଲା । ଜଣେ ଠିକାଦାର କାର୍ଯ୍ୟ ମଧ୍ୟ ଆରମ୍ଭ କରି ଦେଇଛନ୍ତି ହେଲେ ବର୍ଷ ପରେ ବର୍ଷ ବିତିଯାଉଛି ସିନା ରାସ୍ତା ସମ୍ପୂର୍ଣ୍ଣ ହେବାର ନା ମଧ୍ୟ ଧରୁନି ।ତେଣୁ ଅଞ୍ଚଳବାସୀଙ୍କ ଦୁଃଖ ଯିବାର ନା ନେଉନି ।ତେଣୁ ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଅଧିକାରୀ ଏସବୁ ସମସ୍ୟା ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବୀ କରୁଛନ୍ତି ।

What's Your Reaction?
Like
2
Dislike
0
Love
0
Funny
0
Wow
0
Sad
1
Angry
0
Comments (0)