“ପାଣି ନଥିବାରୁ ବନ୍ଧରେ ଗାଧୁଛନ୍ତି ଛାତ୍ର: କଟଡ଼ିମୁଠା ଉଚ୍ଚ ବିଦ୍ୟାଳୟରେ ଅବ୍ୟବସ୍ଥା, ପ୍ରଶାସନ ନୀରବ”

Mar 17, 2026 - 14:51
0 28
“ପାଣି ନଥିବାରୁ ବନ୍ଧରେ ଗାଧୁଛନ୍ତି ଛାତ୍ର: କଟଡ଼ିମୁଠା ଉଚ୍ଚ ବିଦ୍ୟାଳୟରେ ଅବ୍ୟବସ୍ଥା, ପ୍ରଶାସନ ନୀରବ”

କନ୍ଧମାଳ ଜିଲ୍ଲା, ତା. ୧୭/୦୩/୨୦୨୬ (ଷ୍ଟାର ନିୟୁଜ ଓଡିଶା):

ସରକାର ଶିକ୍ଷା ମାନଙ୍କ ଉନ୍ନତି ଓ ଛାତ୍ରଛାତ୍ରୀଙ୍କ ପାଇଁ ମୂଳଭୂତ ସୁବିଧା ସୃଷ୍ଟି କରିବାକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ଅନେକ ସ୍ଥାନରେ ସେହି ସୁବିଧା ଛାତ୍ରମାନଙ୍କ ପାଖକୁ ପହଞ୍ଚୁନାହିଁ ବୋଲି ଅଭିଯୋଗ ଆସୁଛି। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଅଧୀନ କଟ୍ରିଙ୍ଗିଆ ଗ୍ରାମ ପଞ୍ଚାୟତର କଟଡ଼ିମୁଠା ଉଚ୍ଚ ବିଦ୍ୟାଳୟ ଓ କଟ୍ରିଙ୍ଗିଆ ଆଶ୍ରମରେ।
ସୂଚନା ଅନୁସାରେ, ବିଦ୍ୟାଳୟ ଆଶ୍ରମରେ ପାଣିର ସଠିକ୍ ବ୍ୟବସ୍ଥା ନଥିବାରୁ ଛାତ୍ର ଅନ୍ତେବାସୀମାନେ ବିଦ୍ୟାଳୟରୁ ପ୍ରାୟ ଏକ କିଲୋମିଟର ଦୂରରେ ଥିବା ବନ୍ଧ ଓ ନାଳକୁ ଯାଇ ଗାଧୁଥିବା ଦୃଶ୍ୟ ସାମ୍ନାକୁ ଆସିଛି। ଆଜି ସକାଳ ପ୍ରାୟ ୧୨ଟା ସମୟରେ ଛାତ୍ରମାନେ ବନ୍ଧରେ ଡେଇ ଡେଇ ଗାଧୁଥିବା ଘଟଣା ସ୍ଥାନୀୟ ମହଳରେ ଚର୍ଚ୍ଚାର ବିଷୟ ହୋଇଛି।
ସ୍ଥାନୀୟ ବୁଦ୍ଧିଜୀବୀ ମହଳର ପ୍ରଶ୍ନ ହେଉଛି—ଯଦି ଆଶ୍ରମରେ ପାଣି ବ୍ୟବସ୍ଥା ନାହିଁ, ତେବେ ପ୍ରଶାସନ ଏପର୍ଯ୍ୟନ୍ତ କାହିଁକି ପଦକ୍ଷେପ ନେଇନାହିଁ? ଆଉ ଯଦି ପାଣି ଥିଲେ ମଧ୍ୟ ଛାତ୍ରମାନଙ୍କୁ ବନ୍ଧକୁ ଯାଇ ସଫା ସୁତ୍ରା କରିବା ସହିତ ଗାଧୋଇବାକୁ କୁହାଯାଉଛି, ତେବେ ତାହା ମଧ୍ୟ ଗଭୀର ଅବହେଳାର ଚିହ୍ନ ବୋଲି ସେମାନେ ମତ ପ୍ରକାଶ କରିଛନ୍ତି।
ଅଧିକ ଚିନ୍ତାଜନକ ବିଷୟ ହେଉଛି, ଛାତ୍ରମାନେ ବନ୍ଧକୁ ଯାଉଥିବା ବେଳେ ଆଶ୍ରମ କିମ୍ବା ବିଦ୍ୟାଳୟର କୌଣସି ଦାୟିତ୍ୱଶୀଳ କର୍ମଚାରୀ ସେମାନଙ୍କ ସହିତ ଯାଉନଥିବା ଅଭିଯୋଗ ଆସିଛି। ଯଦି ଏପରି ସମୟରେ କୌଣସି ଅପ୍ରୀତିକର ଘଟଣା ଘଟେ, ତେବେ ତାହା ପାଇଁ ଦାୟୀ କିଏ ରହିବ—ସରକାର, ଶିକ୍ଷା ବିଭାଗ କି ବିଦ୍ୟାଳୟ ପ୍ରଶାସନ? ଏହି ପ୍ରଶ୍ନ ସାଧାରଣ ମହଳରେ ଉଠିଛି।
ଏହି ଘଟଣା ସମ୍ପର୍କରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସହିତ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି।
ସ୍ଥାନୀୟ ଲୋକମାନଙ୍କ ଦାବି ହେଉଛି, ଛାତ୍ରମାନଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଶିକ୍ଷା ବିଭାଗ ତୁରନ୍ତ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନିଅନ୍ତୁ ଏବଂ ବିଦ୍ୟାଳୟରେ ପାଣିର ସ୍ଥାୟୀ ବ୍ୟବସ୍ଥା କରାଯାଉ।
ରିପୋର୍ଟ: ରଙ୍ଗନାଥ ବଡ଼ସେଟ୍
ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି, କନ୍ଧମାଳ

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User