ପିଏମ୍ ସ୍ୱନିଧି ଯୋଜନାର ୬ ବର୍ଷ ପୂର୍ତ୍ତି ଅବସରରେ କଳାହାଣ୍ଡି ଜିଲ୍ଲା ସ୍ତରୀୟ ‘ପିଏମ୍ ସ୍ୱନିଧି ମହୋତ୍ସବ’ ଅନୁଷ୍ଠିତ
ଭବାନୀପାଟଣା, ତା. ୨୫/୦୬ (ଷ୍ଟାର ନ୍ୟୁଜ ଓଡିଶା): ପିଏମ୍ ସ୍ୱନିଧି ଯୋଜନାର ସଫଳତାର ୬ ବର୍ଷ ପୂର୍ତ୍ତି ଅବସରରେ କଳାହାଣ୍ଡି ଜିଲ୍ଲା ସ୍ତରୀୟ ‘ପିଏମ୍ ସ୍ୱନିଧି ମହୋତ୍ସବ’ ଆଜି ଭବାନୀପାଟଣାସ୍ଥିତ ଟାଉନ ହଲରେ ଆୟୋଜିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା (ଡୁଡା)ର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ତନ୍ମୟ ଦରୱାନ, ଭବାନୀପାଟଣା ଉପଜିଲ୍ଲାପାଳ ଶ୍ରୀ ପ୍ରଭାତ ପରିଡ଼ା, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ବିବେକାନନ୍ଦ ମହାନନ୍ଦ, ଭବାନୀପାଟଣା ପୌରପାଳିକା ଅଧ୍ୟକ୍ଷ ଶ୍ରୀ ବିଷ୍ଣୁ ପ୍ରଧାନ, ଜୁନାଗଡ଼ ଏନ୍ଏସି ଅଧ୍ୟକ୍ଷା ଶ୍ରୀମତୀ ହିମାଦ୍ରୀ ନାଏକ, ଧର୍ମଗଡ଼ ଏନ୍ଏସି ଅଧ୍ୟକ୍ଷ ଶ୍ରୀ ଅଶୋକ ମହାନ୍ତି, କେସିଙ୍ଗା ଏନ୍ଏସି ଅଧ୍ୟକ୍ଷ ଶ୍ରୀ ନୃପରାଜ ଯାଦବ, କଳାହାଣ୍ଡି ସାଂସଦଙ୍କ ପ୍ରତିନିଧି ସନ୍ତୋଷ ବିଶି, ଧର୍ମଗଡ଼ ବିଧାୟକଙ୍କ ପ୍ରତିନିଧି ଶ୍ରୀ ନରହରି ପଟ୍ଟନାୟକଙ୍କ ସମେତ ବିଭିନ୍ନ ଏନ୍ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ଲୋକସମ୍ପର୍କ ଅଧିକାରୀ (ଡିଆଇପିଆରଓ), ଲିଡ୍ ଡିଷ୍ଟ୍ରିକ୍ଟ ମ୍ୟାନେଜର (ଏଲ୍ଡିଏମ୍) ଏବଂ ବିଭିନ୍ନ ବ୍ୟାଙ୍କର ଶାଖା ପରିଚାଳକମାନେ ଉପସ୍ଥିତ ଥିଲେ।
ଏହି ଅବସରରେ ଭବାନୀପାଟଣା ପୌରପାଳିକାର ୧୦ ଜଣ ରାସ୍ତାପାର୍ଶ୍ୱ ବ୍ୟବସାୟୀଙ୍କୁ ପ୍ରଥମ କିସ୍ତି ଋଣର ଚେକ୍, ଜଣେ ହିତାଧିକାରୀଙ୍କୁ ଦ୍ୱିତୀୟ କିସ୍ତି ଋଣର ଚେକ୍ ଏବଂ ୧୦ ଜଣ ବ୍ୟବସାୟୀଙ୍କୁ ଏଲ୍ଓଆର୍ (LOR) ପ୍ରଦାନ କରାଯାଇଥିଲା।
ସେହିପରି, ପିଏମ୍ ସ୍ୱନିଧି ଯୋଜନାର ସଫଳ ହିତାଧିକାରୀ ଭାବେ ଭବାନୀପାଟଣା, ଜୁନାଗଡ଼, କେସିଙ୍ଗା ଓ ଧର୍ମଗଡ଼ ଏନ୍ଏସିର ୧୦ ଜଣ ଲେଖାଏଁ ଏବଂ ନର୍ଲା ଓ ଜୟପାଟଣା ଏନ୍ଏସିର ୫ ଜଣ ଲେଖାଏଁ ରାସ୍ତାପାର୍ଶ୍ୱ ବ୍ୟବସାୟୀଙ୍କୁ ଅତିଥିମାନେ ସମ୍ମାନିତ କରିଥିଲେ।
କାର୍ଯ୍ୟକ୍ରମରେ ପିଏମ୍ ସ୍ୱନିଧି ଯୋଜନା ମାଧ୍ୟମରେ ରାସ୍ତାପାର୍ଶ୍ୱ ବ୍ୟବସାୟୀଙ୍କ ଆର୍ଥିକ ସଶକ୍ତିକରଣ, ସ୍ୱାବଲମ୍ବନ ଏବଂ ଜୀବିକାର ଉନ୍ନତି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଲିଡ୍ ଡିଷ୍ଟ୍ରିକ୍ଟ ମ୍ୟାନେଜର (ଏଲ୍ଡିଏମ୍) ଉପସ୍ଥିତ ବ୍ୟବସାୟୀମାନଙ୍କୁ ଡିଜିଟାଲ ପେମେଣ୍ଟ, ଡିଜିଟାଲ କାରବାରର ସୁବିଧା, ଗୁରୁତ୍ୱ ଏବଂ ସୁରକ୍ଷିତ ବ୍ୟବହାର ସମ୍ପର୍କରେ ସଚେତନ କରାଇଥିଲେ। ଏଥିସହ ହିତାଧିକାରୀମାନଙ୍କୁ ଯୋଜନାରୁ ମିଳୁଥିବା ସୁବିଧାର ସଦୁପଯୋଗ କରି ନିଜ ବ୍ୟବସାୟକୁ ଅଧିକ ସୁଦୃଢ଼ କରିବାକୁ ଉତ୍ସାହିତ କରାଯାଇଥିଲା।
ଶେଷରେ ଉପସ୍ଥିତ ଅତିଥି, ହିତାଧିକାରୀ ଏବଂ ସାଧାରଣ ଜନତାଙ୍କ ମନୋରଞ୍ଜନ ନିମନ୍ତେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ବିଷ୍ଣୁ ଚରଣ ସ୍ୱାଇଁ, କଳାହାଣ୍ଡି ଜିଲ୍ଲା ପ୍ରତିନିଧି, ଷ୍ଟାର ନ୍ୟୁଜ ଓଡିଶା।

What's Your Reaction?
Like
1
Dislike
0
Love
0
Funny
0
Wow
0
Sad
0
Angry
0
Comments (0)