ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜନ୍ମ ଜୟନ୍ତୀ ଅବସରରେ କଳାହାଣ୍ଡିରେ ବିଭିନ୍ନ କାର୍ଯ୍ୟକ୍ରମ

Mar 06, 2026 - 17:47
0 8
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜନ୍ମ ଜୟନ୍ତୀ ଅବସରରେ କଳାହାଣ୍ଡିରେ ବିଭିନ୍ନ କାର୍ଯ୍ୟକ୍ରମ

ଭବାନୀପାଟଣା, (ଷ୍ଟାର ନିୟୁଜ ଓଡିଶା):ତା ୦୬/୦୩ଓଡିଶାର ପ୍ରବାଦ ପୁରୁଷ, ମହାନ ଜନନାୟକ ଓ ଆଧୁନିକ ଓଡ଼ିଶାର ନିର୍ମାତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ “ଭୂମିପୁତ୍ର” ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜନ୍ମ ଜୟନ୍ତୀ ଅବସରରେ କଳାହାଣ୍ଡି ଜିଲ୍ଲାରେ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ବିଭିନ୍ନ ସ୍ମୃତି ଚାରଣ ଓ ସେବାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଏହି ଅବସରରେ ଭବାନୀପାଟଣା ସ୍ଥିତ ମେଡିକାଲ ଛକରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲା ବିଜେଡି ନେତୃମଣ୍ଡଳୀ ମାଲ୍ୟାର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ପରେ ଜିଲ୍ଲା ଯୁବ, ଛାତ୍ର ଓ ମହିଳା ଜନତା ଦଳ ପକ୍ଷରୁ କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶିଶୁ ଓ ପ୍ରସୂତି ବିଭାଗରେ ଚିକିତ୍ସାଧୀନ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା।
ଏହା ସହିତ ଭବାନୀପାଟଣା ସ୍ଥିତ ବିଜୁ କଲ୍ୟାଣ ମଣ୍ଡପରେ ଜିଲ୍ଲା ସ୍ତରୀୟ ସଭା ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। “ସମୃଦ୍ଧ ଓଡିଶା ଗଠନରେ ବିଜୁ ବାବୁଙ୍କ ଭୂମିକା” ବିଷୟରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ତାଙ୍କର ଓଡ଼ିଶାର ଉନ୍ନତି ଓ ରାଜନୈତିକ ଜୀବନରେ ଅବଦାନ ସମ୍ପର୍କରେ ବକ୍ତାମାନେ ଆଲୋକପାତ କରିଥିଲେ।
କଳାହାଣ୍ଡି ଜିଲ୍ଲା ବିଜେଡି ସଭାପତି ଶ୍ରୀ ପ୍ରଦୀପ କୁମାର ଦିଶାରୀଙ୍କ ନିର୍ଦ୍ଦେଶ କ୍ରମେ ଆୟୋଜିତ ଏହି ସଭାର ସଭାପତିତ୍ୱ ପୂର୍ବତନ ମନ୍ତ୍ରୀ ଶ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ କରିଥିବା ବେଳେ ବରିଷ୍ଠ ବିଜେଡି ନେତା ଶ୍ରୀ ଭବାନୀ ଶଙ୍କର ମିଶ୍ର ସଭାକୁ ପରିଚାଳନା କରିଥିଲେ। ସଭାର ଶେଷରେ ବିଜେଡିର ବରିଷ୍ଠ ନେତା ଓ ଜିଲ୍ଲା ଉପସଭାପତି ଶ୍ରୀ ଧର୍ମେନ୍ଦ୍ର ନାଏକ ଧନ୍ୟବାଦ ଜ୍ଞାପନ କରି ସଭାକୁ ସମାପ୍ତ କରିଥିଲେ।
ଏହି ଅବସରରେ ବିଜୁ ଯୁବ ଜନତା ଦଳ ଜିଲ୍ଲା ସଭାପତି ଶ୍ରୀ ଅଭିନାଶ ଠାକୁରଙ୍କ ନେତୃତ୍ୱରେ ଭବାନୀପାଟଣା ମେଡିକାଲରେ ଫଳ ବଣ୍ଟନ କାର୍ଯ୍ୟକ୍ରମ ଏବଂ ମାଆ ମାଣିକେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ବସିଥିବା ଅସହାୟ ଓ ଭିନ୍ନକ୍ଷମ ଲୋକମାନଙ୍କୁ ଛତା ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା।
ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ସାଙ୍ଗଠନିକ ପଦାଧିକାରୀ, ପୂର୍ବତନ ବିଧାୟକମାନେ, ବ୍ଲକ ଓ ନଗର ସଭାପତିମାନେ, ଜିଲ୍ଲା ପରିଷଦ ସଦସ୍ୟମାନେ, ଏନଏସି ଓ ମ୍ୟୁନିସିପାଲଟି କାଉନସିଲରମାନେ ସହିତ ଯୁବ, ମହିଳା, ଛାତ୍ର, ଏସ୍‌ଟି/ଏସ୍‌ସି ସେଲ୍, ଆଇନଜୀବୀ ସେଲ୍ ଓ ସଂଖ୍ୟାଲଘୁ ସେଲ୍‌ର ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ।
ବକ୍ତାମାନେ ବିଜୁ ପଟ୍ଟନାୟକଙ୍କୁ ଏକ ଦୁଃସାହସିକ ପାଇଲଟ, ଆଧୁନିକ ଓଡ଼ିଶାର ନବନିର୍ମାଣର ମୁଖ୍ୟ ସ୍ଥପତି ଓ ଜନମନର ନେତା ଭାବେ ସ୍ମରଣ କରି ତାଙ୍କର ଆଦର୍ଶ ଓ ସେବାମୂଳକ ଚିନ୍ତାଧାରାକୁ ଅନୁସରଣ କରିବାକୁ ଆହ୍ୱାନ ଜଣାଇଥିଲେ।
ରିପୋର୍ଟ: ବିଷ୍ଣୁ ଚରଣ ସ୍ୱାଇଁ
ଜିଲ୍ଲା ପ୍ରତିନିଧି, କଳାହାଣ୍ଡି
ଷ୍ଟାର ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User