ପ୍ରହରୀ ଉତ୍ସବ ମଧ୍ୟରେ ଯୁବକ ହତ୍ୟାକାଣ୍ଡ: ପାଣିମୁଣ୍ଡାରେ ଚଞ୍ଚଳତା, ନିର୍ଦୋଷଙ୍କୁ ଫସାଇବା ଅଭିଯୋଗ, ଗ୍ରାମବାସୀଙ୍କ ଜିଲ୍ଲାପାଳ ଓ ପୋଲିସ ଆରକ୍ଷୀ ଅଧିକ୍ଷ୍ୟକଙ୍କୁ ଦାବିପତ୍ର ପ୍ରଦାନ

Apr 10, 2026 - 11:45
 0  7
ପ୍ରହରୀ ଉତ୍ସବ ମଧ୍ୟରେ ଯୁବକ ହତ୍ୟାକାଣ୍ଡ: ପାଣିମୁଣ୍ଡାରେ ଚଞ୍ଚଳତା, ନିର୍ଦୋଷଙ୍କୁ ଫସାଇବା ଅଭିଯୋଗ, ଗ୍ରାମବାସୀଙ୍କ ଜିଲ୍ଲାପାଳ ଓ ପୋଲିସ ଆରକ୍ଷୀ ଅଧିକ୍ଷ୍ୟକଙ୍କୁ ଦାବିପତ୍ର ପ୍ରଦାନ

କଳାହାଣ୍ଡି/ଭବାନୀପାଟଣା, ୧୦. ୦୪. ୨୬:- ( ଷ୍ଟାର ନିୟୁଜ ଓଡିଶା )କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅନ୍ତର୍ଗତ ନିଶାନପୁର ଗ୍ରାମ ପଞ୍ଚାୟତର ପାଣିମୁଣ୍ଡା ଗାଁରେ ଷୋହଳ ପ୍ରହରୀ ନମଯଞ ଅବସରରେ ଘଟିଥିବା ଏକ ଚମକପୂର୍ଣ୍ଣ ହତ୍ୟାକାଣ୍ଡ ସମଗ୍ର ଅଞ୍ଚଳରେ ଚଞ୍ଚଳତା ସୃଷ୍ଟି କରିଛି।
ଉପଲବ୍ଧ ତଥ୍ୟ ଅନୁଯାୟୀ, ଏପ୍ରିଲ ୩ ତାରିଖରେ କଳସ ଯାତ୍ରା ସହ ପ୍ରହରୀ ଉତ୍ସବ ଆରମ୍ଭ ହୋଇଥିଲା ଓ ଏପ୍ରିଲ ୪ ସକାଳ ୭ଟା ୫ ମିନିଟ୍‌ରେ ନମଯଞ ଉଚ୍ଚାରଣ ଓ ହରିନାମ ଆରମ୍ଭ କରାଯାଇଥିଲା। ଏହି ଅବସରରେ ଆଖପାଖ ଅଞ୍ଚଳରୁ ହଜାର ହଜାର ଭକ୍ତ ଓ ଦର୍ଶକ ଏକତ୍ରିତ ହୋଇଥିଲେ ଏବଂ ଗାଁ କମିଟିର ସମସ୍ତ କର୍ମକର୍ତ୍ତା ରାମନାମ କୀର୍ତନରେ ବ୍ୟସ୍ତ ଥିଲେ।
ଏହି ସମୟରେ ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ସାନଖଇରମାଲ ଗ୍ରାମର ଗୌରାଙ୍ଗ ମାଝୀ ପ୍ରହରୀ ଦେଖିବାକୁ ପାଣିମୁଣ୍ଡା ଗାଁକୁ ଆସିଥିଲେ। ପରେ ଅଭିଯୋଗ ଆସିଛି ଯେ, ଏପ୍ରିଲ ୪ ରାତି ପ୍ରାୟ ୧୦ଟା ସମୟରେ ଶ୍ରୀୟା ମାଝୀ ନାମକ ଜଣେ ଯୁବତୀ ଫୋନ୍‌ ମାଧ୍ୟମରେ ଗୌରାଙ୍ଗଙ୍କୁ ଡାକି ନେଇଥିଲେ ଏବଂ ପ୍ରହରୀ ମଣ୍ଡପରୁ ସେ ଅଚାନକ ନିଖୋଜ ହୋଇଯାଇଥିଲେ। ପରବର୍ତ୍ତୀ ସମୟରେ ଗୁରୁତର ଅଭିଯୋଗ ହୋଇଛି ଯେ, ପୂର୍ବ ପରିକଳ୍ପନା ଅନୁଯାୟୀ ଶ୍ରୀୟା ମାଝୀ, ତାଙ୍କ ଭାଇ ବିଜୁ ମାଝୀ, ଦୀପକ ମାଝୀ ଓ ଭିଣୋଇ ରଞ୍ଜନ ମାଝୀ ସହ ପରିବାର ବର୍ଗ ମିଶି ଆକ୍ରୋଶମୂଳକ ଭାବରେ ଗୌରାଙ୍ଗ ମାଝୀଙ୍କୁ ହତ୍ୟା କରି ତାଙ୍କ ଶବକୁ ରଞ୍ଜନ ମାଝୀଙ୍କ କୂଅରେ ଫିଙ୍ଗିଦେଇଥିଲେ।
ଏପ୍ରିଲ ୭ ତାରିଖରେ ଏହି କୂଅରୁ ନର୍ଲା ପୋଲିସ ଉପସ୍ଥିତିରେ ମୃତଦେହ ଉଦ୍ଧାର ହୋଇଥିଲା। ତଦନ୍ତ ସମୟରେ ରଞ୍ଜନ ମାଝୀଙ୍କ ଘରୁ ମୃତକଙ୍କ ମୋବାଇଲ, ବ୍ୟାଗ ଓ ବେଲ୍ଟ ଜବତ ହୋଇଥିବା ସୂଚନା ମିଳିଛି। ତଥାପି ଘଟଣାରେ ନୂଆ ମୋଡ଼ ଆସିଛି, ଯେଉଁଠାରେ ଗ୍ରାମବାସୀମାନେ ଅଭିଯୋଗ କରୁଛନ୍ତି ଯେ, ବୈକୁଣ୍ଠ ମାଝୀ ନାମକ ବ୍ୟକ୍ତି ପୂର୍ବ ଶତ୍ରୁତାରେ ଗ୍ରାମର ନିରୀହ ଯୁବକମାନଙ୍କ ନାମ ପୋଲିସକୁ ଦେଇଥିଲେ, ଯାହାର ଆଧାରରେ ପୋଲିସ ଚିନ୍ମୟ ପ୍ରଧାନ, କାହ୍ନଆ ଗଉଡ଼, ସଂଜୀବ ଭୋଇ, ଚୂଡ଼ାମଣି ଗଉଡ଼, ସଂଜୀବ ଗଉଡ଼, ଲଳିତ ମାଝୀ, ଦୀପକ ସା ନାମକ ନିରୀହ ଯୁବକ ମାନଙ୍କୁ ନର୍ଲା ପୋଲିସ ଗ୍ରାମରୁ ଉଠାଇ ନେଇଥିଲା। ଅଭିଯୋଗ ଅନୁସାରେ, ଧରାପଡ଼ିଥିବା ଯୁବକମାନଙ୍କୁ ବିନା ପୂର୍ଣ୍ଣ ତଦନ୍ତରେ ଥାନାରେ ଅଟକ ରଖି ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦିଆଯାଇଥିଲା ଓ ଏପ୍ରିଲ ୮ ତାରିଖରେ କୋର୍ଟକୁ ପଠାଯାଇଥିଲା। ଅନ୍ୟପଟେ, ଘଟଣାରେ ମୁଖ୍ୟ ସନ୍ଦେହଭାଜନ ଭାବେ ଉଠୁଥିବା ବୈକୁଣ୍ଠ ମାଝୀଙ୍କୁ କୋର୍ଟକୁ ପ୍ରସ୍ତୁତ ନକରାଯାଇଥିବା ନେଇ ଗ୍ରାମବାସୀମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି। ଏହା ସହିତ, ପୂର୍ବରୁ ଶାନ୍ତି-ଶୃଙ୍ଖଳା ପାଇଁ ପୋଲିସକୁ ଅବଗତ କରାଯାଇଥିଲେ ମଧ୍ୟ ସୁରକ୍ଷା ବ୍ୟବସ୍ଥା ନ ହୋଇଥିବା ନେଇ ମଧ୍ୟ ପ୍ରଶ୍ନ ଉଠିଛି।
ଏହି ପରିସ୍ଥିତିରେ ଗ୍ରାମବାସୀମାନେ ଏସପି ଓ ଜିଲ୍ଲାପାଳଙ୍କୁ ନିରପେକ୍ଷ ତଦନ୍ତ କରି ପ୍ରକୃତ ଦୋଷୀଙ୍କୁ କଠୋର ଦଣ୍ଡ ଓ ନିର୍ଦୋଷ ଯୁବକମାନଙ୍କୁ ମୁକ୍ତ କରିବା ପାଇଁ ଦାବି କରିଛନ୍ତି।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

What's Your Reaction?

like

dislike

love

funny

angry

sad

wow

SUJAYA EDITOR