ବିଦ୍ୟାଳୟ ଚକ୍ଷୁ ସ୍ୱାସ୍ଥ୍ୟ ପାଇଁ ସମନ୍ୱୟ ବୈଠକ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ହେବ ଚକ୍ଷୁ ପରୀକ୍ଷା, ମିଳିବ ମାଗଣା ଚଷମା

Aug 21, 2026 - 19:41
0 1
ବିଦ୍ୟାଳୟ ଚକ୍ଷୁ ସ୍ୱାସ୍ଥ୍ୟ ପାଇଁ ସମନ୍ୱୟ ବୈଠକ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ହେବ ଚକ୍ଷୁ ପରୀକ୍ଷା, ମିଳିବ ମାଗଣା ଚଷମା

ଭବାନୀପାଟଣା, ୨୧/୮ (ଷ୍ଟାରନିୟୁଜ ଓଡ଼ିଶା):ବିଦ୍ୟାଳୟସ୍ତରରେ ଛାତ୍ରଛାତ୍ରୀଙ୍କ ଚକ୍ଷୁ ସ୍ୱାସ୍ଥ୍ୟର ଯତ୍ନ ନେବା ଓ ଦୃଷ୍ଟି ସମସ୍ୟାକୁ ସମୟୋଚିତ ଭାବେ ଚିହ୍ନଟ କରିବା ଲକ୍ଷ୍ୟରେ ‘ସୁରେନ୍ଦ୍ର ସାଏ ଦିବ୍ୟଦୃଷ୍ଟି ଯୋଜନା’ ଅଧୀନରେ ଏକ ଗୁରୁତ୍ୱପୂର୍ଣ୍ଣ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି।
କଳାହାଣ୍ଡି ଜିଲ୍ଲାପାଳଙ୍କ ବୈଠକ କକ୍ଷରେ ଆୟୋଜିତ ଏହି ବୈଠକରେ ଜିଲ୍ଲାର ସମସ୍ତ ସରକାରୀ ଓ ସରକାରୀ ସ୍ୱୀକୃତିପ୍ରାପ୍ତ ବିଦ୍ୟାଳୟର ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା କରାଯିବା ସହ ଆବଶ୍ୟକତା ଅନୁଯାୟୀ ମାଗଣା ଚଷମା ପ୍ରଦାନ ନେଇ ବିସ୍ତୃତ ଆଲୋଚନା ହୋଇଥିଲା।
ବିଦ୍ୟାଳୟ ଚକ୍ଷୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମକୁ ସଫଳ ଓ ସୁଚାରୁ ଭାବେ କାର୍ଯ୍ୟକାରୀ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ, ଶିକ୍ଷା ବିଭାଗ, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଏବଂ ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ରଖିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
କଳାହାଣ୍ଡିର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଏଥିରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ବିଭିନ୍ନ ଗୋଷ୍ଠୀ ଜନସ୍ୱାସ୍ଥ୍ୟ ଅଧିକାରୀ, RBSK ପରିଚାଳକ, ସ୍ୱେଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧି ଓ ଚକ୍ଷୁ ଚିକିତ୍ସା ଅଧିକାରୀମାନେ ଯୋଗଦେଇଥିଲେ।
ବୈଠକରେ ଛାତ୍ରଛାତ୍ରୀଙ୍କ ଚକ୍ଷୁ ସମସ୍ୟାକୁ ପ୍ରାରମ୍ଭିକ ସ୍ତରରେ ଚିହ୍ନଟ କରି ଆବଶ୍ୟକ ଚିକିତ୍ସା ଓ ସହାୟତା ଯୋଗାଇଦେବା ଉପରେ ଆଲୋଚନା ହୋଇଥିଲା। ସମସ୍ତ ବିଭାଗ ମିଳିତ ଭାବେ କାର୍ଯ୍ୟ କଲେ ଏହି ଯୋଜନା ଜିଲ୍ଲାର ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଚକ୍ଷୁ ସ୍ୱାସ୍ଥ୍ୟରେ ଏକ ସକାରାତ୍ମକ ପରିବର୍ତ୍ତନ ଆଣିପାରିବ ବୋଲି ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User