ବିଦ୍ୟୁତ ସେବାରୁ ବଞ୍ଚିତ କର୍କାମସ୍କା ଗାଁ, ୫ ବର୍ଷ ହେଲା ଅନ୍ଧାରରେ ୫୩ ଆଦିବାସୀ ପରିବାର
ଲାଞ୍ଜିଗଡ଼, ୨୦/୮ (ଷ୍ଟାରନିୟୁଜ ଓଡ଼ିଶା): ୫ଜି ଯୁଗରେ ଦେଶ ଡିଜିଟାଲ ବିକାଶର ନୂଆ ଶିଖର ଛୁଇଁଥିବା ବେଳେ କଳାହାଣ୍ଡି ଜିଲ୍ଲାର ଏକ ଆଦିବାସୀ ଗାଁ ଆଜି ବି ମୌଳିକ ସୁବିଧା ପାଇଁ ସଂଘର୍ଷ କରୁଛି। ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ବନ୍ଧପାରି ଗ୍ରାମପଞ୍ଚାୟତ ଅଧୀନ କର୍କାମସ୍କା ଗାଁର ୫୩ଟି ଆଦିବାସୀ ପରିବାର ଦୀର୍ଘଦିନ ଧରି ବିଦ୍ୟୁତ ସେବାରୁ ବଞ୍ଚିତ ହୋଇ ଅନ୍ଧାରରେ ଜୀବନ କାଟୁଥିବା ଅଭିଯୋଗ ହୋଇଛି।
ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ପ୍ରାୟ ୬ ବର୍ଷ ପୂର୍ବେ ଗାଁକୁ ବିଦ୍ୟୁତ ସଂଯୋଗ ଦିଆଯାଇଥିଲା। ତେବେ ମାତ୍ର ପ୍ରାୟ ଏକ ବର୍ଷ ପର୍ଯ୍ୟନ୍ତ କଷ୍ଟେମଷ୍ଟେ ବିଦ୍ୟୁତ ଆଲୁଅ ଦେଖିବାକୁ ମିଳିଥିଲା। ଏହାପରେ ବିଦ୍ୟୁତ ସେବା ବନ୍ଦ ହୋଇଯାଇଥିବା ବେଳେ ପ୍ରାୟ ୫ ବର୍ଷ ହେଲା ଗାଁରେ ନିୟମିତ ବିଦ୍ୟୁତ ଆଲୁଅ ଜଳୁନାହିଁ ବୋଲି ଗ୍ରାମବାସୀ କହିଛନ୍ତି।
ବିଦ୍ୟୁତ ସମସ୍ୟା ସମାଧାନ ପାଇଁ ଗ୍ରାମବାସୀ ଦୁଇଥର କଳାହାଣ୍ଡି ଜିଲ୍ଲାପାଳଙ୍କ ନିକଟରେ ଦରଖାସ୍ତ ଦେଇଥିବା ବେଳେ ନର୍ଲା ଉପଖଣ୍ଡ ବିଦ୍ୟୁତ ବିଭାଗୀୟ ଅଧିକାରୀଙ୍କୁ ମଧ୍ୟ ତିନିଥର ଲିଖିତ ଭାବେ ଜଣାଇଛନ୍ତି। ତଥାପି ଏପର୍ଯ୍ୟନ୍ତ ସମସ୍ୟାର ସ୍ଥାୟୀ ସମାଧାନ ହୋଇନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।
କର୍କାମସ୍କାର ସମସ୍ୟା କେବଳ ବିଦ୍ୟୁତରେ ସୀମିତ ନୁହେଁ। ଗାଁରେ ରହୁଥିବା ପରିବାରଗୁଡ଼ିକ ମୁଖ୍ୟତଃ କୃଷି ଓ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ ଉପରେ ନିର୍ଭରଶୀଳ। ପାନୀୟ ଜଳ ପାଇଁ ସୌରଚାଳିତ ପମ୍ପ ରହିଥିଲେ ମଧ୍ୟ ଆବଶ୍ୟକତା ଅନୁଯାୟୀ ପାଣି ମିଳୁନଥିବା ଅଭିଯୋଗ ରହିଛି। ଫଳରେ ଗ୍ରାମବାସୀ ନଳକୂଅରୁ ବାହାରୁଥିବା ଗୋଳିଆ ପାଣି ବ୍ୟବହାର କରୁଥିବା କହିଛନ୍ତି। ଏଥିଯୋଗୁଁ ବିଭିନ୍ନ ରୋଗର ଆଶଙ୍କା ମଧ୍ୟ ରହିଛି।
ଗାଁକୁ ପକ୍କା ରାସ୍ତା ଥିଲେ ମଧ୍ୟ ଏହା ଯାତାୟାତ ଉପଯୋଗୀ ନଥିବାରୁ ବର୍ଷା ଦିନେ ସମସ୍ୟା ଆହୁରି ଗମ୍ଭୀର ହୋଇଥାଏ। ଗାଡ଼ିମୋଟର ଚଳାଚଳରେ ଅସୁବିଧା ହେବା ସହ ଜରୁରୀ ସମୟରେ ରୋଗୀଙ୍କୁ ଡାକ୍ତରଖାନା ନେବା ମଧ୍ୟ କଷ୍ଟକର ହୋଇପଡ଼ୁଛି।
ଶିକ୍ଷା କ୍ଷେତ୍ରରେ ମଧ୍ୟ ଗାଁର ଚିତ୍ର ଚିନ୍ତାଜନକ। କର୍କାମସ୍କାରେ ବିଦ୍ୟାଳୟ ନଥିବାରୁ ୪୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ପ୍ରାୟ ୪ରୁ ୫ କିଲୋମିଟର ଦୂରରେ ଥିବା ତେନ୍ତୁଲିପୁଙ୍ଗା, ବାଲିସରା, ବନ୍ଧପାରି ଓ ସିନ୍ଧିପଦର ଭଳି ସ୍ଥାନର ବିଦ୍ୟାଳୟକୁ ଯିବାକୁ ପଡ଼ୁଛି। ଦୂରତା ଓ ଯାତାୟାତ ସମସ୍ୟା ଯୋଗୁଁ ଅନେକ ଅଭିଭାବକ ପିଲାମାନଙ୍କୁ ଦୂର ବିଦ୍ୟାଳୟକୁ ପଠାଇବାକୁ ଅନିଚ୍ଛା ପ୍ରକାଶ କରୁଥିବା ଅଭିଯୋଗ ରହିଛି। ଫଳରେ କିଛି ପିଲା ଅଧାରୁ ପାଠପଢ଼ା ଛାଡ଼ିବାକୁ ବାଧ୍ୟ ହେଉଥିବା ଗ୍ରାମବାସୀ କହିଛନ୍ତି।
ଗାଁରେ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ପାଇଁ ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ଅବଗତ କରାଯାଇଥିବା ବେଳେ ବିଭାଗୀୟ ଅଧିକାରୀ ଗାଁ ପରିଦର୍ଶନ କରି କିଛି ପୁସ୍ତକ ବଣ୍ଟନ କରିଥିଲେ। କିନ୍ତୁ ସ୍ଥାୟୀ ବିଦ୍ୟାଳୟ ସ୍ଥାପନ ନେଇ ଏପର୍ଯ୍ୟନ୍ତ କୌଣସି ଠୋସ ପଦକ୍ଷେପ ନିଆଯାଇନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ଗାଁରେ ଅଙ୍ଗନୱାଡ଼ି କେନ୍ଦ୍ର ଥିଲେ ମଧ୍ୟ କେନ୍ଦ୍ରକୁ ଯିବା ପାଇଁ ସୁଗମ ରାସ୍ତା ନଥିବାରୁ ଶିଶୁ ଓ ଅଭିଭାବକମାନେ ଅସୁବିଧା ଭୋଗୁଛନ୍ତି।
ଗ୍ରାମବାସୀଙ୍କ କହିବା ଅନୁଯାୟୀ, ବିଦ୍ୟୁତ, ପାନୀୟ ଜଳ, ରାସ୍ତା, ଶିକ୍ଷା ଓ ଚିକିତ୍ସା ଭଳି ମୌଳିକ ସୁବିଧାର ଅଭାବ କର୍କାମସ୍କାବାସୀଙ୍କ ଦୈନନ୍ଦିନ ଜୀବନକୁ ଦୁର୍ବିଷହ କରିଦେଇଛି। ଦୀର୍ଘଦିନ ଧରି ଅଭିଯୋଗ କରାଯାଇଥିଲେ ମଧ୍ୟ ସମସ୍ୟାର ସମାଧାନ ନହେବାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି।
ଏବେ ଖବର ପ୍ରସାରଣ ପରେ ପ୍ରଶାସନ ଓ ସମ୍ପୃକ୍ତ ବିଭାଗ କେବେ କର୍କାମସ୍କା ଗାଁର ସମସ୍ୟା ଉପରେ ଦୃଷ୍ଟି ଦେଇ ସ୍ଥାୟୀ ସମାଧାନ କରୁଛନ୍ତି, ତାହା ଦେଖିବାକୁ ବାକି ରହିଲା।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି
ବିଷ୍ଣୁ ଚରଣ ସ୍ୱାଇଁଙ୍କ ରିପୋର୍ଟ

What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)