ଭବାନୀପାଟଣାରେ ସ୍ମାର୍ଟ ଓଡ଼ିଶା ହାକାଥନ୍ 3.0: ନବସୃଜନ ଓ ବୈଜ୍ଞାନିକ ଚିନ୍ତାଧାରାକୁ ମିଳିଲା ପ୍ରୋତ୍ସାହନ
ଭବାନୀପାଟଣା,୧୮l୭ (ଷ୍ଟାର ନ୍ୟୁଜ୍ ଓଡ଼ିଶା): କଳାହାଣ୍ଡି ଜିଲ୍ଲାରେ ନବସୃଜନ, ବୈଜ୍ଞାନିକ ଚିନ୍ତାଧାରା ଏବଂ ଯୁବପିଢ଼ିଙ୍କ ସୃଜନଶୀଳ ପ୍ରତିଭାକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ସ୍ମାର୍ଟ ଓଡ଼ିଶା ହାକାଥନ୍ 3.0ର ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଭବାନୀପାଟଣା ଟାଉନ ହଲରେ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ଶିକ୍ଷକ ଓ ବିଶେଷଜ୍ଞମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।
ଡିଆଇଏସ୍ ଶିକ୍ଷା କାର୍ଯ୍ୟାଳୟ, କଳାହାଣ୍ଡି, ୟୁନିସେଫ୍, ଆଇଆଇଟି ଭୁବନେଶ୍ୱରର ଡିଜାଇନ୍ ନବସୃଜନ କେନ୍ଦ୍ର ଏବଂ ଓଡ଼ିଆପ୍ରେନ୍ୟୁର୍ର ମିଳିତ ସହଯୋଗରେ ଆୟୋଜିତ ଏହି ସ୍ମାର୍ଟ ଓଡ଼ିଶା ହାକାଥନ୍ 3.0କୁ ରାଜ୍ୟର ସର୍ବବୃହତ ନବସୃଜନ ମହୋତ୍ସବ ଭାବେ ପରିଗଣିତ କରାଯାଉଛି। ଏହାର ମୂଳ ଉଦ୍ଦେଶ୍ୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୃଜନଶୀଳ ଚିନ୍ତାଧାରା, ନୂତନ ଉଦ୍ଭାବନ ଏବଂ ବାସ୍ତବ ସମସ୍ୟାର ବୈଜ୍ଞାନିକ ସମାଧାନ ଖୋଜିବାର ଦକ୍ଷତା ବିକଶିତ କରିବା।
ଏହି ଅବସରରେ ଜୈବ ପ୍ରଯୁକ୍ତିବିଦ୍ୟା ଓ ଜୀବନ ବିଜ୍ଞାନ, କୃଷି ଓ ଖାଦ୍ୟ ପ୍ରଯୁକ୍ତିବିଦ୍ୟା, ସାମଗ୍ରୀ ବିଜ୍ଞାନ ଓ ନାନୋଟେକ୍ନୋଲୋଜି, କୃତ୍ରିମ ବୁଦ୍ଧିମତ୍ତା (AI), ରୋବୋଟିକ୍ସ, ଆଇସିଟି, ନବୀକରଣୀୟ ଶକ୍ତି, ଜଳ ଓ ପରିବେଶ ଆଦି ବିଭିନ୍ନ ବିଷୟ ଉପରେ ଛାତ୍ରଛାତ୍ରୀମାନେ ସେମାନଙ୍କର ଅଭିନବ ପ୍ରକଳ୍ପ ଉପସ୍ଥାପନ କରିଥିଲେ। ବିଶେଷଜ୍ଞମାନେ ପ୍ରକଳ୍ପଗୁଡ଼ିକର ମୂଲ୍ୟାଙ୍କନ କରିବା ସହ ନୂତନ ଚିନ୍ତାଧାରାକୁ ଆହୁରି ସଶକ୍ତ କରିବା ପାଇଁ ପରାମର୍ଶ ଦେଇଥିଲେ।
କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ମାନସିକ ବିକାଶ, ସୃଜନଶୀଳ ଚିନ୍ତାଧାରା ଏବଂ IQ (Intelligence Quotient) ବୃଦ୍ଧି ପାଇଁ ଆବଶ୍ୟକ କୌଶଳ ଉପରେ ଏକ ସ୍ୱତନ୍ତ୍ର ଆଲୋଚନାଚକ୍ର ମଧ୍ୟ ଆୟୋଜିତ ହୋଇଥିଲା। ବକ୍ତାମାନେ କହିଥିଲେ ଯେ, କେବଳ ପାଠ୍ୟପୁସ୍ତକ ଜ୍ଞାନ ନୁହେଁ, ବରଂ ନୂତନ ଚିନ୍ତାଧାରା, ଗବେଷଣାମୂଳକ ମନୋଭାବ ଓ ସମସ୍ୟା ସମାଧାନର ଦକ୍ଷତା ଭବିଷ୍ୟତର ସଫଳତାର ମୂଳ ଚାବିକାଠି।
ଏହି ହାକାଥନ୍ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଓ ନବସୃଜନ କ୍ଷେତ୍ରରେ ଆଗକୁ ବଢ଼ିବା ସହ ଏକ ସ୍ମାର୍ଟ, ଆତ୍ମନିର୍ଭର ଓ ଉନ୍ନତ ଓଡ଼ିଶା ଗଠନରେ ସହଭାଗୀ ହେବାକୁ ଆହ୍ୱାନ କରାଯାଇଥିଲା।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ଙ୍କ ରିପୋର୍ଟ

What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)