ମୁଁ ବି ସ୍ୱଦେଶୀ ସମର୍ଥକ’ ଡିଜିଟାଲ ସମ୍ପର୍କ ଅଭିଯାନର ଭବାନୀପାଟଣାରୁ ଶୁଭାରମ୍ଭ
ଭବାନୀପାଟଣା, ୧l ୮(ଷ୍ଟାର ନ୍ୟୁଜ ଓଡ଼ିଶା):ସ୍ୱଦେଶୀ ଆଧାରରେ ସ୍ୱାବଲମ୍ବୀ ଭାରତ ଗଠନର ଲକ୍ଷ୍ୟ ନେଇ ସ୍ୱଦେଶୀ ଜାଗରଣ ମଞ୍ଚ ପକ୍ଷରୁ ଅଗଷ୍ଟ ୧ରୁ ୨୦ ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶବ୍ୟାପୀ ‘ମୁଁ ବି ସ୍ୱଦେଶୀ ସମର୍ଥକ’ ଡିଜିଟାଲ ସମ୍ପର୍କ ଅଭିଯାନର ଶୁଭାରମ୍ଭ ହୋଇଛି। ଏହାର ଅଂଶ ସ୍ୱରୂପ ଭବାନୀପାଟଣାରେ ଶନିବାର ବିଭିନ୍ନ ସ୍ଥାନରେ ସଚେତନତା ଓ ସଂକଳ୍ପ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ସକାଳ ୬ଟା ୩୦ ମିନିଟ୍ ସମୟରେ ସ୍ଥାନୀୟ ଇ-ଦୋସ୍ତି ଅନୁଷ୍ଠାନରେ ଆୟୋଜିତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ସ୍ୱଦେଶୀ ଜାଗରଣ ମଞ୍ଚର କଳାହାଣ୍ଡି ଜିଲ୍ଲା ସଂଯୋଜକ ଗଜେନ୍ଦ୍ର ଡାକୁଆଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀମାନେ ସ୍ୱଦେଶୀ ସମର୍ଥକ ଭାବେ ସଂକଳ୍ପ ଗ୍ରହଣ କରିଥିଲେ। ଶ୍ରୀ ଡାକୁଆ କହିଥିଲେ ଯେ, ସ୍ୱଦେଶୀ ସାମଗ୍ରୀର ବ୍ୟବହାର କେବଳ ଦେଶର ଅର୍ଥନୀତିକୁ ସୁଦୃଢ଼ କରେନାହିଁ, ବରଂ ସ୍ଥାନୀୟ ଉତ୍ପାଦକ ଓ କୁଟୀର ଶିଳ୍ପକୁ ମଧ୍ୟ ସଶକ୍ତ କରିଥାଏ। ସେ ଦୈନନ୍ଦିନ ଜୀବନରେ ସ୍ୱଦେଶୀ ଉତ୍ପାଦକୁ ପ୍ରାଧାନ୍ୟ ଦେବାକୁ ସମସ୍ତଙ୍କୁ ଆହ୍ୱାନ କରିଥିଲେ।
ସେହିପରି ସନ୍ଧ୍ୟା ୫ଟା ୧୫ ମିନିଟ୍ ସମୟରେ ସ୍ଥାନୀୟ ଶାସ୍ତ୍ରୀଜୀ ମହିଳା ବିଦ୍ୟାନିକେତନରେ ଆୟୋଜିତ ଅନ୍ୟ ଏକ କାର୍ଯ୍ୟକ୍ରମରେ ଶତାଧିକ ଛାତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକା ସ୍ୱଦେଶୀ ସଂକଳ୍ପ ଗ୍ରହଣ କରିଥିଲେ। ଜିଲ୍ଲା ସଂଯୋଜକ ଗଜେନ୍ଦ୍ର ଡାକୁଆ ଅଧ୍ୟକ୍ଷତା କରି ଅଭିଯାନର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିବା ସହ ଆସନ୍ତା ୨୦ ଦିନ ମଧ୍ୟରେ ଜିଲ୍ଲାର ଲକ୍ଷାଧିକ ଲୋକଙ୍କୁ ଏହି ଡିଜିଟାଲ ସମ୍ପର୍କ ଅଭିଯାନ ସହ ଯୋଡ଼ିବାର ଲକ୍ଷ୍ୟ ରହିଥିବା କହିଥିଲେ।
କାର୍ଯ୍ୟକ୍ରମରେ ସ୍ୱଦେଶୀ ଜାଗରଣ ମଞ୍ଚର ପ୍ରାନ୍ତୀୟ ସଦସ୍ୟ କୈଶବ ବିହାରୀ, ବିଭାଗ ସଂଯୋଜକ ନକୁଳ ନାୟକ ଏବଂ ସଂଯୋଜକ ପି. ଉମାଶଙ୍କର ଆଚାରୀ ଉପସ୍ଥିତ ରହି ସ୍ୱଦେଶୀ ଚିନ୍ତାଧାରାକୁ ଘରେ ଘରେ ପହଞ୍ଚାଇବା ଏବଂ ଦୈନନ୍ଦିନ ଜୀବନରେ ସ୍ୱଦେଶୀ ସାମଗ୍ରୀର ବ୍ୟବହାର ବଢ଼ାଇବା ପାଇଁ ସମସ୍ତଙ୍କ ସହଯୋଗ ଆହ୍ୱାନ କରିଥିଲେ।ଏହି ଅଭିଯାନ ମାଧ୍ୟମରେ ସ୍ୱଦେଶୀ ଉତ୍ପାଦ ପ୍ରତି ଲୋକଙ୍କ ଆଗ୍ରହ ବୃଦ୍ଧି, ସ୍ଥାନୀୟ ଶିଳ୍ପ ଓ ଉଦ୍ୟୋଗକୁ ପ୍ରୋତ୍ସାହନ ଏବଂ ଆତ୍ମନିର୍ଭର ଭାରତ ଗଠନରେ ସାଧାରଣ ଜନତାଙ୍କ ସକ୍ରିୟ ଭାଗିଦାରୀ ସୁନିଶ୍ଚିତ କରିବା ଉଦ୍ଦେଶ୍ୟ ବୋଲି ଆୟୋଜକମାନେ ପ୍ରକାଶ କରିଛନ୍ତି।
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)