ଲାଞ୍ଜିଗଡ଼ର ତୁର୍କା ଗାଁରେ ଶିଶୁଙ୍କ ମଧ୍ୟରେ ଚର୍ମରୋଗ ସଂକ୍ରମଣ, ୨୦ରୁ ଅଧିକ ଆକ୍ରାନ୍ତ

Jul 03, 2026 - 19:41
0 19
ଲାଞ୍ଜିଗଡ଼ର ତୁର୍କା ଗାଁରେ ଶିଶୁଙ୍କ ମଧ୍ୟରେ ଚର୍ମରୋଗ ସଂକ୍ରମଣ, ୨୦ରୁ ଅଧିକ ଆକ୍ରାନ୍ତ

ଲାଞ୍ଜିଗଡ଼, ୦୩/୦୭ (ଷ୍ଟାର ନ୍ୟୁଜ୍ ଓଡ଼ିଶା): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ଲାଞ୍ଜି ପଞ୍ଚାୟତର ତୁର୍କା ଗାଁରେ ୨୦ରୁ ଅଧିକ ଶିଶୁ ଚର୍ମରୋଗରେ ଆକ୍ରାନ୍ତ ହୋଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚିନ୍ତାର ବିଷୟ ପାଲଟିଛି। ପ୍ରାୟ ଦୁଇ ମାସ ଧରି ଶିଶୁମାନଙ୍କ ଶରୀରରେ ଫୋଡ଼ା, ଘା' ଓ ବିଭିନ୍ନ ପ୍ରକାର ଚର୍ମ ସଂକ୍ରମଣ ଦେଖାଯାଉଥିବାରୁ ଅଭିଭାବକମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି।
ସଚେତନତାର ଅଭାବରୁ କିଛି ଗ୍ରାମବାସୀ ଏହାକୁ ଠାକୁରାଣୀଙ୍କ ପ୍ରକୋପ ବୋଲି ବିଶ୍ୱାସ କରି ପୂଜାପାଠ, ଧୂପ ଦେବା ଓ ହଳଦୀ ପାଣିରେ ଗାଧୋଇବା ଭଳି ପାରମ୍ପରିକ ପଦ୍ଧତି ଅନୁସରଣ କରୁଥିଲେ। ପରେ ଘଟଣା ସମ୍ପର୍କରେ ସୂଚନା ପାଇ ସ୍ଥାନୀୟ ସ୍ୱାସ୍ଥ୍ୟକର୍ମୀ ଏବଂ କମ୍ୟୁନିଟି ହେଲ୍ଥ ଅଫିସର (ସିଏଚଓ)ଙ୍କ ଉଦ୍ୟମରେ ଆକ୍ରାନ୍ତ ଶିଶୁମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇ ଚିକିତ୍ସା କରାଯାଇଛି।
ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ତୁର୍କା ଗାଁରେ ବିଶୁଦ୍ଧ ପାନୀୟ ଜଳର ସୁବିଧା ନଥିବାରୁ ସେମାନେ ଦୂଷିତ ନାଳ ପାଣି ଓ ଲୌହଯୁକ୍ତ ନଳକୂପ ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। ଏହା ଫଳରେ ଚର୍ମ ସଂକ୍ରମଣ ବ୍ୟାପିଥିବା ସନ୍ଦେହ କରାଯାଉଛି। ତେବେ ଏହି ରୋଗର ପ୍ରକୃତ କାରଣ ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ପୁଷ୍ଟି କରାଯାଇନାହିଁ।
ଗ୍ରାମରେ ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା, ସ୍ୱାସ୍ଥ୍ୟ ସଚେତନତା ଏବଂ ରୋଗ ନିରାକରଣ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକମାନେ ପ୍ରଶାସନ ନିକଟରେ ଦାବି କରିଛନ୍ତି।
ରିପୋର୍ଟ: ବିଷ୍ଣୁ ଚରଣ ସ୍ୱାଇଁ, କଳାହାଣ୍ଡି ଜିଲ୍ଲା ପ୍ରତିନିଧି

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User