ସତ୍ୟର ସ୍ୱରର ଦ୍ୱିତୀୟ ପ୍ରତିଷ୍ଠା ଦିବସ ପାଳିତ, ନିର୍ଭୀକ ଓ ନିରପେକ୍ଷ ସାମ୍ବାଦିକତା ଉପରେ ଗୁରୁତ୍ୱାରୋପ
କେସିଙ୍ଗା, ୨୬ l୬: ( ଷ୍ଟାର ନିୟୁଜ ଓଡିଶା )କଳାହାଣ୍ଡି ଜିଲ୍ଲାର କେସିଙ୍ଗା ସ୍ଥିତ ଆର୍ଏମ୍ସି ହଲ୍ଠାରେ "ସତ୍ୟର ସ୍ୱର"ର ଦ୍ୱିତୀୟ ପ୍ରତିଷ୍ଠା ଦିବସ ଆଜି ଆଡ଼ମ୍ବରପୂର୍ଣ୍ଣ ଭାବେ ପାଳିତ ହୋଇଯାଇଛି। ସଂସ୍ଥାର ମୁଖ୍ୟ ପ୍ରତିଷ୍ଠାତା ସଂଗ୍ରାମ କେଶରୀ ଦେଓଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ, ଜନପ୍ରତିନିଧି, ପ୍ରଶାସନିକ ଅଧିକାରୀ ଓ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ।
କାର୍ଯ୍ୟକ୍ରମରେ କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗଣତନ୍ତ୍ରରେ ସାମ୍ବାଦିକତାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। କେସିଙ୍ଗା ଏନ୍ଏସି ଅଧ୍ୟକ୍ଷ ନୃପରାଜ ଯାଦବ, କେସିଙ୍ଗା ଆଦର୍ଶ ଥାନାର ଡିଏସ୍ପି ସନ୍ଦୀପ ମାଝୀ, ଆଇଆଇସି ବିଶ୍ୱାଳ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ରାମଲା ସୁନାନୀ,ପୂର୍ବତନ ଏନ୍ଏସି ଅଧ୍ୟକ୍ଷ ରାମଜୀ ମାତଖଣ୍ଡିଆଙ୍କ ସମେତ ବିଭିନ୍ନ ସାମ୍ବାଦିକ ସଂଘର କର୍ମକର୍ତ୍ତା ଓ ସାମ୍ବାଦିକମାନେ ଉପସ୍ଥିତ ଥିଲେ।
ଅତିଥିମାନେ ନିଜ ବକ୍ତବ୍ୟରେ ସତ୍ୟ, ନିରପେକ୍ଷତା ଓ ଜନସ୍ୱାର୍ଥକୁ ପ୍ରାଧାନ୍ୟ ଦେଇ ସାମ୍ବାଦିକତା କରିବା ପାଇଁ ଆହ୍ୱାନ ଜଣାଇଥିଲେ। ସମାଜର ବିକାଶ ଓ ଲୋକଙ୍କ ସମସ୍ୟାକୁ ସରକାରଙ୍କ ନିକଟରେ ପହଞ୍ଚାଇବାରେ ଗଣମାଧ୍ୟମର ଭୂମିକା ଅତୁଳନୀୟ ବୋଲି ସେମାନେ ମତ ପ୍ରକାଶ କରିଥିଲେ।
ଶେଷରେ ସଂସ୍ଥା ପକ୍ଷରୁ ଅତିଥି ଓ ବରିଷ୍ଠ ସାମ୍ବାଦିକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସମଗ୍ର କାର୍ଯ୍ୟକ୍ରମ ଉତ୍ସାହ ଓ ଆନନ୍ଦମୟ ପରିବେଶରେ ସମ୍ପନ୍ନ ହୋଇଥିଲା।
କେସିଙ୍ଗା ରୁ ସୁଜୟ ନଙ୍ଗାଳତି ଙ୍କ ରିପୋର୍ଟ
What's Your Reaction?