ସରକାରୀ ସହାୟତା ଅପେକ୍ଷାରେ ସବିତା ।
ଫିରିଙ୍ଗିଆ,୪l୧୦ (ଷ୍ଟାର ନିୟୁଜ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକ ସୁମରବନ୍ଧ ପଂଚାୟତ ଅନ୍ତର୍ଗତ ସମାବାଲି ସାହିର ଅସହାୟ ବିଧବା ମହିଳା ସବିତା ମଲିକ ଙ୍କ ସବୁ ରାସ୍ତା ବନ୍ଦ ହୋଇଯିବା ପରେ ଏବେ ସରକାରୀ ସହାୟତାକୁ ହିଁ ଶେଷ ଆସ୍ତା ଭାବି ଆଶା ବାନ୍ଧି ଚାତକ ପରି ଅପେକ୍ଷା କରି ରହିଛନ୍ତି । ପ୍ରକାଶ ଥାଉକି, ସବିତାଙ୍କ ସ୍ୱାମୀ ୪ ବର୍ଷ ତଳେ ଚାରି ଛୁଆଙ୍କ ଭରଣ ପୋଷଣ ଓ ମଣିଷ କରିବାର ଦାୟିତ୍ୱ ସବିତାଙ୍କ ଉପରେ ଛାଡିଦେଇ ଆରପାରିକୁ ଚାଲିଗଲେ ।ସେବେଠୁ ସବିତା କୁଲି ମଜୁରୀ କରିବା ସହିତ ମାଗିଟାକି ଛୁଆ ମାନଙ୍କ ପେଟ ପାଇଁ ଦାନା ଓ ଇଜ୍ଜତ ଢାଙ୍କିବାକୁ ବସ୍ତ୍ରର ଯୋଗାଡ଼ କରି ଆସୁଥିଲେ । ହେଲେ ଗତ ୪ ମାସ ହେଲା ସେ ମୁଖ କର୍କଟ ରୋଗରେ ଆକ୍ରାନ୍ତ ହେବାରେ ପରିବାରର ସ୍ଥିତି ସମ୍ପୂର୍ଣ୍ଣ ଦୋହଲି ଯାଇଛି । ଆର୍ଥିକ ସ୍ଥିତି ଅତି ଶୋଚନୀୟ ରହିଥିବାରୁ ସେ ଭଲ ମେଡିକାଲ କୁ ଯାଇ ନିଜ ଚିକିତ୍ସା କରି ପାରୁନାହାନ୍ତି।ତେଣୁ ସରକାରୀ ସହାୟତା ଏହି ନିରୀହ ପରିବାର ପାଇଁ ଅତ୍ୟନ୍ତ ଜରୁରୀ ହୋଇ ପଡିଛି। ରୋଜଗାର କରୁଥିବା ମା ୪ ମାସ ହେବ ଶଯ୍ୟାରେ ପଡି ରହିଥିବା ଯୋଗୁଁ ଛୁଆଙ୍କ ପାଇଁ ଦୁଇଓଳି ପାଇଁ ଦାନା ଯୋଗାଡ଼ କରିବା, ପିନ୍ଧିବା ପାଇଁ ବସ୍ତ୍ର ଯୋଗାଡ଼ କରିବା ଏପରିକି ପିଲାଙ୍କ ପାଠପଢ଼ା ବି ଠପ ହୋଇଯାଇଛି । ଆଉ ଯଦି ସବିତାଙ୍କ ପରିବାରର ଆର୍ଥିକ ସ୍ଥିତି ଉପରେ ବିଚାର କରିବା ତେବେ ସବିତାଙ୍କ ସ୍ୱାମୀଙ୍କ ଜେଜେବାପା ତିଆରି କରିଥିବା ଝାଟିମାଟି କୁଡ଼ିଆରେ ପରିବାରର ୫ ପ୍ରାଣୀ ମୁଣ୍ଡ ଗୁଞ୍ଜିଛନ୍ତି ।
ସରକାରଙ୍କ ତରଫରୁ ଦିଆଯାଉଥିବା ପିଡିଏସ ଚାଉଳ ବର୍ତମାନ ପରିସ୍ଥିତିରେ ସେମାନଙ୍କ ପାଇଁ ସମୁଦ୍ରକୁ ଶଙ୍ଖେ ପାଣି ସଦୃଶ୍ୟ ହୋଇଛି । ପରିବାରର ସ୍ଥିତି ଅତି ଦୟନୀୟ ହୋଇଥିବାରୁ ୪ ଛୁଆ ଅଧାରୁ ପାଠ ଛାଡି ଘରେ ପଡି ରହିଛନ୍ତି ।ସ୍ୱାମୀଙ୍କ ମୃତ୍ୟୁ ପ୍ରମାଣପତ୍ରରେ କଣ ଗୋଟେ ତ୍ରୁଟି ରହି ଯାଇଥିବାରୁ ସବିତା ଏଯାଏ ବିଧବା ଭତ୍ତାରୁ ବଞ୍ଚିତ ରହିଛନ୍ତି । ନୁଆ ପଦର ମଣ୍ଡଳ ସଭାପତି ଦେବେଶ୍ଵର ଦୀପ ତାଙ୍କୁ ବିଧବା ଭତ୍ତା ଯୋଜନାରେ ସାମିଲ କରି ଭତ୍ତା ଯୋଗେଇ ଦେବା ପାଇଁ ଆପ୍ରାଣ ଚେଷ୍ଟା କରୁଛନ୍ତି, ହେଲେ ଏଯାଏ ତାଙ୍କ ଚେଷ୍ଟା ଫଳପ୍ରଦ ହୋଇ ପାରିନି। ତେଣୁ ପ୍ରଶାସନ ଏହି ଗରିବ ଅସହାୟ ପରିବାରକୁ ସହାୟତା କରିବାକୁ ସବିତା ଓ ସୁମରବନ୍ଦ ଗ୍ରାମର ଗ୍ରାମବାସୀ ଦାବୀ କରିଛନ୍ତି ।
What's Your Reaction?