ସିଜିମାଲି ବକ୍ସାଇଟ୍ ଖନନକୁ ନେଇ ବିବାଦ ଗଭୀର ଜଳ ବିରାଦରୀର ଗୁରୁତର ଅଭିଯୋଗ, ପର୍ବତ-ନଦୀ ସୁରକ୍ଷା ପାଇଁ ବିଶେଷ ଆଇନ ଦାବି

Jun 2, 2026 - 17:42
 0  10
ସିଜିମାଲି ବକ୍ସାଇଟ୍ ଖନନକୁ ନେଇ ବିବାଦ ଗଭୀର ଜଳ ବିରାଦରୀର ଗୁରୁତର ଅଭିଯୋଗ, ପର୍ବତ-ନଦୀ ସୁରକ୍ଷା ପାଇଁ ବିଶେଷ ଆଇନ ଦାବି

କଳାହାଣ୍ଡି ଜିଲ୍ଲା,ଭବାନୀପାଟଣା,ତା.୦୨ l୦୬ସିଜିମାଲି ପାହାଡ଼ରେ ପ୍ରସ୍ତାବିତ ବକ୍ସାଇଟ୍ ଖନନ ପ୍ରକଳ୍ପକୁ ନେଇ ବିବାଦ ଦିନକୁ ଦିନ ଗଭୀର ହେଉଛି। ଆଜି ଭବାନୀପାଟଣାରେ ଜଳ ବିରାଦରୀ ପକ୍ଷରୁ ଆୟୋଜିତ ପ୍ରେସ୍ ସମ୍ମିଳନୀରେ ପ୍ରକଳ୍ପର ପରିବେଶ ଓ ସାମାଜିକ ପ୍ରଭାବ ଉପରେ ଗୁରୁତର ପ୍ରଶ୍ନ ଉଠାଯାଇଛି।
ପ୍ରସିଦ୍ଧ ଜଳ ସଂରକ୍ଷକ ରାଜେନ୍ଦ୍ର ସିଂ ଙ୍କ ନେତୃତ୍ୱରେ ଏକ ତିନି ସଦସ୍ୟ ଦଳ ସମ୍ପ୍ରତି ସିଜିମାଲି ଅଞ୍ଚଳର ଦୁଇ ଦିନିଆ ଭ୍ରମଣ କରି ଗ୍ରାମବାସୀ, ଆଦିବାସୀ, କୃଷକ, ମହିଳା ଓ ସ୍ଥାନୀୟ ପ୍ରତିନିଧିମାନଙ୍କ ସହ ଆଲୋଚନା କରିଥିଲେ। ଦଳର ଅନ୍ୟ ସଦସ୍ୟ ଭାବେ ବୋଳିସେଠି ସତ୍ୟନାରାୟଣ ଓ ସୁଦର୍ଶନ ଦାସ ଉପସ୍ଥିତ ଥିଲେ।
ଦଳର ରିପୋର୍ଟ ଅନୁଯାୟୀ, ସିଜିମାଲି ପାହାଡ଼ ଇନ୍ଦ୍ରାବତୀ ନଦୀ ଓ ନlଗlବଳି ନଦୀ ର ଜଳଗ୍ରହଣ କ୍ଷେତ୍ର ଭାବେ ଅତ୍ୟନ୍ତ ସଂବେଦନଶୀଳ। ଏଠାରେ ଖନନ କାର୍ଯ୍ୟ ଆରମ୍ଭ ହେଲେ ଭୂଗର୍ଭ ଜଳ, ଜଙ୍ଗଲ, ଜୈବ ବିବିଧତା ଓ ଆଦିବାସୀ ସମ୍ପ୍ରଦାୟର ଜୀବିକା ଉପରେ ଦୀର୍ଘମିୟାଦୀ କୁପ୍ରଭାବ ପଡ଼ିବାର ଆଶଙ୍କା ରହିଛି।
ପ୍ରେସ୍ ମିଟ୍‌ରେ ସ୍ଥାନୀୟ ଲୋକମାନେ ଡ୍ରୋନ୍ ନଜରଦାରୀ, ମଧ୍ୟରାତ୍ରୀ ରେଡ୍, ଓ ମିଥ୍ୟା ମାମଲା ନେଇ ଗଭୀର ଅଭିଯୋଗ କରିଥିଲେ। Forest Rights Act ଓ PESA Act ଅନୁସାରେ ଆଦିବାସୀମାନଙ୍କ ଅଧିକାର ସୁନିଶ୍ଚିତ ହେଉନଥିବା ମଧ୍ୟ ଦଳ ଉଲ୍ଲେଖ କରିଛି।
ଏହା ସହିତ ଦଳ ତିଜମାଲି ଅଞ୍ଚଳରୁ ଗିରଫ ହୋଇଥିବା ୧୧ ଜଣ ଆଦିବାସୀ ଓ ଲିଙ୍ଗରାଜ ଆଜାଦଙ୍କୁ ତୁରନ୍ତ ମୁକ୍ତ କରିବା ଏବଂ ପ୍ରାୟ ୩୦ ଟି ମାମଲା ପ୍ରତ୍ୟାହାର କରିବାକୁ ଦାବି କରିଛି।
ଓଡ଼ିଶା ସରକାରଙ୍କ ହାତୀ ଅଭୟାରଣ୍ୟର କିଛି ଅଂଶକୁ କମାଇ ଖନନ ପାଇଁ ଟେଣ୍ଡର ଜାରି କରିବା ନିଷ୍ପତ୍ତିକୁ ମଧ୍ୟ ଦଳ ତୀବ୍ର ନିନ୍ଦା କରିଛି। ଏହା ଦ୍ୱାରା କର୍ପୋରେଟ୍ ସଂସ୍ଥାମାନଙ୍କୁ ଲୋକସମ୍ପଦ ହସ୍ତାନ୍ତର ହେଉଥିବା ଅଭିଯୋଗ ହୋଇଛି।
ଦଳ ଆହୁରି କହିଛି ଯେ ପର୍ବତ ଓ ନଦୀ ସୁରକ୍ଷା ପାଇଁ ଦେଶସ୍ତରରେ ଏକ ସ୍ୱତନ୍ତ୍ର ଆଇନ ଆଣିବା ଅତ୍ୟାବଶ୍ୟକ। “ଜଳ, ଜଙ୍ଗଲ ଓ ଜମିର ସୁରକ୍ଷା ବିନା ଦେଶର ଜଳ ସୁରକ୍ଷା ସମ୍ଭବ ନୁହେଁ,” ବୋଲି ଡ଼. ରାଜେନ୍ଦ୍ର ସିଂହ ମତ ପ୍ରକାଶ କରିଛନ୍ତି।
ପ୍ରେସ୍ ସମ୍ମିଳନୀରେ ଗିରିଜା ଶଙ୍କର ଦାସ , ଆଡଭୋକେଟ୍ ଡେଭିଡ ସରୋଜ ବାଗ, ସହ ଅନେକ ସ୍ଥାନୀୟ ସମାଜସେବୀ ଓ ଆଦିବାସୀ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

What's Your Reaction?

like

dislike

love

funny

angry

sad

wow

SUJAYA EDITOR