ହଜିଗଲା ମାନବିକତା, ସାମାଜିକ ବାସନ୍ଦ ପାଇଁ ଶବକୁ ମିଳିଲାନି କାନ୍ଧ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଓ ବଜରଙ୍ଗୀ ଦଳ କର୍ମକର୍ତ୍ତା କଲେ ଶବ ସତ୍କାର ।

Nov 30, 2025 - 11:32
0 81
ହଜିଗଲା ମାନବିକତା, ସାମାଜିକ ବାସନ୍ଦ ପାଇଁ ଶବକୁ ମିଳିଲାନି କାନ୍ଧ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଓ ବଜରଙ୍ଗୀ ଦଳ କର୍ମକର୍ତ୍ତା କଲେ ଶବ ସତ୍କାର ।

ଚନ୍ଦାହାଣ୍ଡି,୩୦l୧୧ (ଷ୍ଟାର ନିୟୁଜ ଓଡିଶା):ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅନ୍ତର୍ଗତ ଅଣ୍ଟିପଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପିତା ମାତା ଭିନ୍ନ ଭିନ୍ନ ଜାତିରେ ବିବାହ କରିଥିବାରୁ ସାମାଜିକ ବାସନ୍ଦ ହୋଇଥିବା ବେଳେ ପୁଅର ମୃତ୍ୟୁ ପରେ ଚାରି କାନ୍ଧ ଦେବାକୁ କୌଣସି ଲୋକ ନ ମିଳିବାରୁ ଶେଷରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଓ ବଜରଙ୍ଗ ଦଳ କର୍ମକର୍ତ୍ତା ଶବ ସତ୍କାର କରିଛନ୍ତି। ସୂଚନାନୁଯାୟୀ ଅଣ୍ଟିପଡ଼ା ଗ୍ରାମର ଭଲ ନାୟକ ଓ ସେହି ଗ୍ରାମର ଶାନ୍ତି ମାଝୀଙ୍କ ମଧ୍ୟରେ ଦୀର୍ଘ 25 ବର୍ଷ ତଳେ ପ୍ରେମ ବିବାହ ହୋଇଥିଲା। ଦୁଇଜଣ ଭିନ୍ନ ଭିନ୍ନ ଜାତିର ହୋଇ ବିବାହ କରିଥିବାରୁ ସେତେବେଳେ ଏହି ବିବାହକୁ ଉଭୟ ପରିବାର ଅସ୍ବୀକାର କରିବା ସହ ଏହି ଦମ୍ପତୀଙ୍କୁ ଉଭୟ ସମାଜ ପକ୍ଷରୁ ସାମାଜିକ ବାସନ୍ଦ କରାଯାଇଥିଲା। ତେବେ ସମୟ କ୍ରମେ ଦୁଇଜଣଙ୍କ ଗୋଟିଏ ପୁଅ ଓ ଗୋଟିଏ ଝିଅ ଜନ୍ମ ହୋଇଥିବା ବେଳେ କିଛିବର୍ଷ ତଳେ ରୋଗାଗ୍ରସ୍ତ ହୋଇ ଭଲ ନାୟକଙ୍କ ପରଲୋକ ହୋଇଥିଲା। ଝିଅ ଯୁବତୀ ହୋଇ ଅନ୍ୟତ୍ର କୌଣସି ଠାରେ ବିବାହ କରିଥିବା ବେଳେ ମା ଶାନ୍ତି ଓ ପୁଅ ନବୀନ ନାୟକ(20) ଗୋଟିଏ ଠାରେ ରହିଆସୁଥିଲେ। ନବୀନ କିଛି ମାସ ଧରି ଯକୃତ ଜନିତ ରୋଗରେ ପୀଡିତ ଥିବା ବେଳେ ଗୁରୁବାର ରାତିରେ ସେ ମୃତ୍ୟୁ ବରଣ କରିଥିଲେ। ତେବେ ସାମାଜିକ ବାସନ୍ଦ କାରଣରୁ ମୃତ ନବୀନଙ୍କ ମା କିମ୍ବା ବାପାଙ୍କ ପରିବାରରୁ କି ଗାଁ ରୁ ମଧ୍ୟ କୌଣସି ବ୍ୟକ୍ତି ନବୀନଙ୍କ ମୃତ ଶରୀରକୁ କାନ୍ଧ ଦେଇ ମସାଣି ପର୍ଯ୍ୟନ୍ତ ନେବାକୁ ବାହାରିନଥିଲେ। ସତେକି ଯେମିତି ମାନବିକତା ସେଠି ହଜିଯାଇଥିଲା। 12 ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ଶୁକ୍ରବାର ମଧ୍ୟାହ୍ନ ପର୍ଯ୍ୟନ୍ତ ଶବ ଏମିତି ପଡିରହିଥିବା ବେଳେ କୌଣସି ପ୍ରକାରେ ଖବର ପାଇ ବରିଷ୍ଠ ବିଜେପି ନେତା ଭରତ ବାଘ ଓ ବିଜେପି ମାଲଗାଁ ମଣ୍ଡଳ ସଭାପତି ତରନ୍ ନାୟକ ଅଣ୍ଟିପଡ଼ାରେ ପହଞ୍ଚି ଗାଁ ଲୋକଙ୍କୁ ଅନ୍ତିମ ସଂସ୍କାର ନିମନ୍ତେ ବୁଝେଇବା ସତ୍ତ୍ୱେ କେହି ଶବକୁ କାନ୍ଧ ଦେବାପାଇଁ ରାଜି ହୋଇନଥିଲେ। ଶେଷରେ ଦୁହେଁ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ଏବଂ ବଜରଙ୍ଗ ଦଳ କର୍ମକର୍ତ୍ତାଙ୍କ ସହ ଯୋଗାଯୋଗ କରିଥିଲେ। ଖବର ଶୁଣି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ବ୍ୟବସ୍ଥା ପ୍ରମୁଖ ଲୋକେଶ ସମରଥ, ପ୍ରଚାର ପ୍ରମୁଖ ହୃଷୀକେଶ ନାୟକ ସେହିପରି ବଜରଙ୍ଗ ଦଳ ପ୍ରମୁଖ ଶ୍ରୀମନ୍ତ ରଥଙ୍କ ସମେତ ଅନ୍ୟ ସଦସ୍ୟ ମାନେ ପହଞ୍ଚି ଶବକୁ ବୋହି ନେଇ ଗ୍ରାମରୁ କିଛି ଦୂରରେ ଶବ ସତ୍କାର କରିଥିଲେ। ଏଭଳି ମହତ କାର୍ଯ୍ୟ ପାଇଁ ସଂଘର ସଦସ୍ୟଙ୍କୁ ଚାରିଆଡୁ ପ୍ରଶଂସା କରାଯାଇଛି।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User