ଆମ୍ବୁଲାନ୍ସ ନ ମିଳିବାରୁ ମାଲବୁହା ଗାଡ଼ିରେ ରୋଗୀ ପରିବହନ, ସ୍ୱାସ୍ଥ୍ୟ ସେବାକୁ ନେଇ ପୁଣି ପ୍ରଶ୍ନ

Jul 13, 2026 - 14:43
 0  14
ଆମ୍ବୁଲାନ୍ସ ନ ମିଳିବାରୁ ମାଲବୁହା ଗାଡ଼ିରେ ରୋଗୀ ପରିବହନ, ସ୍ୱାସ୍ଥ୍ୟ ସେବାକୁ ନେଇ ପୁଣି ପ୍ରଶ୍ନ

ଧର୍ମଗଡ଼, ତା. ୧୩/୭ (ଷ୍ଟାର ନ୍ୟୁଜ ଓଡ଼ିଶା): କଳାହାଣ୍ଡି ଜିଲ୍ଲାରେ ସରକାରୀ ସ୍ୱାସ୍ଥ୍ୟ ସେବାର ଅବ୍ୟବସ୍ଥା ପୁଣିଥରେ ସାମ୍ନାକୁ ଆସିଛି। ଆମ୍ବୁଲାନ୍ସ ସେବା ଉପଲବ୍ଧ ନ ହେବାରୁ ଜଣେ ଅସୁସ୍ଥ ବ୍ୟକ୍ତିଙ୍କୁ ମାଲବୁହା ଗାଡ଼ିରେ ଖଟିଆ ରଖି ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ନେଇଯାଉଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଘଟଣାଟି ସ୍ୱାସ୍ଥ୍ୟ ବିଭାଗର ଜରୁରୀକାଳୀନ ସେବାକୁ ନେଇ ପୁଣି ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସୂଚନା ଅନୁଯାୟୀ, ଧର୍ମଗଡ଼ ବ୍ଲକର ବିକ୍ରମଗୁଡ଼ା ଗ୍ରାମର ତୁଲାରାମ ମାଝୀ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ପରିବାର ଲୋକେ ୧୦୮ ଆମ୍ବୁଲାନ୍ସ ସେବା ପାଇଁ ଯୋଗାଯୋଗ କରିଥିଲେ ମଧ୍ୟ ସମୟରେ ଆମ୍ବୁଲାନ୍ସ ମିଳିନଥିବାରୁ ବାଧ୍ୟ ହୋଇ ଏକ ମାଲବୁହା ଗାଡ଼ିରେ ଖଟିଆ ରଖି ତାଙ୍କୁ ଧର୍ମଗଡ଼ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟକୁ ପରିବହନ କରିଥିଲେ।

ଅସୁସ୍ଥ ରୋଗୀଙ୍କୁ ଏଭଳି ଅମାନବିକ ପରିସ୍ଥିତିରେ ଚିକିତ୍ସା ପାଇଁ ନେବାକୁ ପଡ଼ିଥିବା ଘଟଣା ଜିଲ୍ଲାର ସ୍ୱାସ୍ଥ୍ୟ ଭିତ୍ତିଭୂମି ଓ ଜରୁରୀକାଳୀନ ଆମ୍ବୁଲାନ୍ସ ସେବାର ବାସ୍ତବ ଚିତ୍ରକୁ ସାମ୍ନାକୁ ଆଣିଛି।

ଉଲ୍ଲେଖଯୋଗ୍ୟ, କିଛି ଦିନ ପୂର୍ବରୁ ମଧ୍ୟ କଳାହାଣ୍ଡିରେ ଜଣେ ଗୁରୁତର ରୋଗୀଙ୍କୁ ନେଇଯାଉଥିବା ୧୦୮ ଆମ୍ବୁଲାନ୍ସ ରାସ୍ତାରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅଟକି ଯାଇଥିଲା। ଏହି ଘଟଣାକୁ ନେଇ ସେତେବେଳେ ବ୍ୟାପକ ସମାଲୋଚନା ହୋଇଥିଲା। ପୁଣି ଏଭଳି ଘଟଣା ଘଟିବା ପରେ ଜିଲ୍ଲାରେ ଆମ୍ବୁଲାନ୍ସ ସେବାର କାର୍ଯ୍ୟକ୍ଷମତା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାର ସୁଧାର ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

What's Your Reaction?

like

dislike

love

funny

angry

sad

wow

SUJAYA EDITOR