କଳାହାଣ୍ଡିରେ ସାର ବ୍ୟବସାୟୀଙ୍କ ଦୁର୍ଦ୍ଦଶା : ଅଭାବୀ ବିକ୍ରି ଓ ବାଧ୍ୟତାମୂଳକ ‘ଟ୍ୟାଗିଂ’ ବିରୋଧରେ ଏକତ୍ରିତ ହେଲେ ବ୍ୟବସାୟୀ ସଂଘ

May 11, 2026 - 18:27
 0  2
କଳାହାଣ୍ଡିରେ ସାର ବ୍ୟବସାୟୀଙ୍କ ଦୁର୍ଦ୍ଦଶା : ଅଭାବୀ ବିକ୍ରି ଓ ବାଧ୍ୟତାମୂଳକ ‘ଟ୍ୟାଗିଂ’ ବିରୋଧରେ ଏକତ୍ରିତ ହେଲେ ବ୍ୟବସାୟୀ ସଂଘ

କେସିଙ୍ଗା, ତା. ୧୧/୦୫ (ଷ୍ଟାର ନିୟୁଜ ଓଡିଶା):କଳାହାଣ୍ଡି ଜିଲ୍ଲାରେ ଦୀର୍ଘ ଦିନ ଧରି ଚାଷୀଙ୍କୁ ସାର ଯୋଗାଣ ସେବା ଦେଇଆସୁଥିବା ଖୁଚୁରା ସାର ବ୍ୟବସାୟୀମାନେ ବର୍ତ୍ତମାନ ଗଭୀର ଆର୍ଥିକ ଓ ମାନସିକ ସଂକଟ ମଧ୍ୟରେ ଦିନ କାଟୁଥିବା ଅଭିଯୋଗ କରିଛନ୍ତି। ସରକାରୀ ନୀତି, ପରିବହନ ଖର୍ଚ୍ଚ ବୃଦ୍ଧି ଏବଂ ବାଧ୍ୟତାମୂଳକ ‘ଟ୍ୟାଗିଂ’ ପ୍ରଥା ଯୋଗୁଁ ବ୍ୟବସାୟ କରିବା ଦୁର୍ହର ହୋଇପଡ଼ିଥିବା ନେଇ କଳାହାଣ୍ଡି ଫର୍ଟିଲାଇଜର ସଂଘ ପକ୍ଷରୁ ଆୟୋଜିତ ଏକ ସମ୍ବିଳନୀରେ ଗୁରୁତର ଅସନ୍ତୋଷ ପ୍ରକାଶ ପାଇଛି।
ସଂଘର କହିବା ଅନୁଯାୟୀ, ୟୁରିଆ ସାରର ସରକାରୀ ନିର୍ଦ୍ଧାରିତ ମୂଲ୍ୟ (MRP) ୨୬୬ ଟଙ୍କା ଥିଲେ ମଧ୍ୟ ଜୁନାଗଡ଼ ରେକ୍ ପଏଣ୍ଟରୁ ସେମାନଙ୍କୁ ପ୍ରାୟ ୨୬୦ ଟଙ୍କାରେ ସାର କ୍ରୟ କରିବାକୁ ପଡ଼ୁଛି। ଏହା ସହିତ ପରିବହନ ବାବଦରେ ପ୍ରାୟ ୪୦ ଟଙ୍କା ଏବଂ ଲୋଡିଂ-ଅନଲୋଡିଂ ପାଇଁ ୧୨ ଟଙ୍କା ଅତିରିକ୍ତ ଖର୍ଚ୍ଚ ହେଉଛି। ଫଳରେ ଗୋଟିଏ ବସ୍ତା ସାର ପିଛା ସେମାନଙ୍କର ମୋଟ ଖର୍ଚ୍ଚ ୩୧୨ ଟଙ୍କା ପର୍ଯ୍ୟନ୍ତ ପହଞ୍ଚୁଥିବା ବେଳେ, ସରକାରୀ ନିୟମ ଅନୁସାରେ ୨୬୬ ଟଙ୍କାରୁ ଅଧିକ ଦରରେ ବିକ୍ରି କରିପାରୁନାହାଁନ୍ତି। ଏହାଦ୍ୱାରା ପ୍ରତି ବସ୍ତାରେ ସେମାନଙ୍କୁ ଭାରି କ୍ଷତି ସହିବାକୁ ପଡ଼ୁଛି ବୋଲି ସଂଘ ଅଭିଯୋଗ କରିଛି।
ଏହା ସହ ବାଧ୍ୟତାମୂଳକ ‘ଟ୍ୟାଗିଂ’ ପ୍ରଥାକୁ ନେଇ ମଧ୍ୟ ବ୍ୟବସାୟୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଡିଲରମାନେ ୟୁରିଆ ଓ ଡି.ଏ.ପି. ଭଳି ଆବଶ୍ୟକୀୟ ସାର ଯୋଗାଇବା ବେଳେ ତାହା ସହ ଅନ୍ୟାନ୍ୟ କମ୍ ଚାହିଦା ଥିବା ସାମଗ୍ରୀ କିଣିବାକୁ ବ୍ୟବସାୟୀଙ୍କୁ ବାଧ୍ୟ କରୁଥିବା ଅଭିଯୋଗ ହୋଇଛି। ଯଦି କୌଣସି ବ୍ୟବସାୟୀ ଏହାକୁ ଅସ୍ୱୀକାର କରନ୍ତି, ତେବେ ସେମାନଙ୍କୁ ମୁଖ୍ୟ ସାର ଯୋଗାଣ ବନ୍ଦ କରାଯାଉଥିବା କଥା ସଂଘ କହିଛି। ଏହାର ପ୍ରଭାବ ସିଧାସଳଖ ଭାବେ ଚାଷୀଙ୍କ ଉପରେ ପଡ଼ୁଥିବା ବେଳେ, ସେମାନେ ମଧ୍ୟ ଅନିଚ୍ଛା ସତ୍ତ୍ୱେ ଅଧିକ ଟଙ୍କା ଖର୍ଚ୍ଚ କରି ସାମଗ୍ରୀ କିଣିବାକୁ ବାଧ୍ୟ ହେଉଛନ୍ତି।
ବ୍ୟବସାୟୀମାନେ ଆହୁରି କହିଛନ୍ତି ଯେ, ‘ମୋବାଇଲ ଫର୍ଟିଲାଇଜର ମନିଟରିଂ ସିଷ୍ଟମ’ (MFMS) ମାଧ୍ୟମରେ ସମସ୍ତ ତଥ୍ୟ ଡିଜିଟାଲ ଭାବେ ଅପଲୋଡ୍ କରାଯାଉଥିବା ସତ୍ତ୍ୱେ ବିଭାଗୀୟ ଅଧିକାରୀମାନେ ପୁଣିଥରେ ମାନୁଆଲ ରେଜିଷ୍ଟର ରଖିବାକୁ ଚାପ ପ୍ରୟୋଗ କରୁଛନ୍ତି। ଡିଜିଟାଲ ଯୁଗରେ ଏହା ସମୟ ନଷ୍ଟ ସହ ଅତିରିକ୍ତ ଭାର ବୋଲି ସେମାନେ କହିଛନ୍ତି।
ଜିଲ୍ଲା ସ୍ତରୀୟ ଅଧିକାରୀଙ୍କୁ ପୁନଃପୁନି ଅବଗତ କରାଇଲେ ମଧ୍ୟ ସମସ୍ୟାର ସମାଧାନ ହୋଇନଥିବା ବେଳେ, କିଛି କର୍ମଚାରୀଙ୍କ ଦ୍ୱାରା ବ୍ୟବସାୟୀମାନେ ମାନସିକ ଭାବେ ହଇରାଣ ହେଉଥିବା ନେଇ ମଧ୍ୟ ସଂଘ ଗୁରୁତର ଅଭିଯୋଗ ଆଣିଛି।
ସମ୍ବିଳନୀରେ ସଂଘ ପକ୍ଷରୁ କିଛି ମୁଖ୍ୟ ଦାବି ଉଠାଯାଇଥିଲା। ସମସ୍ତ ସାରକୁ FOR (Freight On Road) ଦରରେ ଯୋଗାଣ, ବାଧ୍ୟତାମୂଳକ ‘ଟ୍ୟାଗିଂ’ ପ୍ରଥା ବନ୍ଦ, ଏବଂ ମାନୁଆଲ ରେଜିଷ୍ଟର ବ୍ୟବସ୍ଥା ଉଚ୍ଛେଦ କରିବାକୁ ସଂଘ ଦାବି କରିଛି।
ଏହି ସମସ୍ୟାର ଶୀଘ୍ର ସମାଧାନ ନହେଲେ ଆଗାମୀ ଦିନରେ ଜିଲ୍ଲାର ସମସ୍ତ ଖୁଚୁରା ସାର ବ୍ୟବସାୟୀ ଏକତ୍ରିତ ହୋଇ ବୃହତ୍ ଆନ୍ଦୋଳନ ସହ ସାର ବିକ୍ରି ବନ୍ଦ କରିବାକୁ ବାଧ୍ୟ ହେବେ ବୋଲି କଳାହାଣ୍ଡି ଫର୍ଟିଲାଇଜର ସଂଘ ଚେତାବନୀ ଦେଇଛି।

What's Your Reaction?

like

dislike

love

funny

angry

sad

wow

SUJAYA EDITOR