କେସିଙ୍ଗା ରେଳ ଷ୍ଟେସନର ବିଭିନ୍ନ ସମସ୍ୟା ନେଇ ଜିଏମ୍‌ଙ୍କୁ ଦାବିପତ୍ର ଡାଉନ୍ ଟ୍ରେନ୍‌କୁ ୪ ନମ୍ବର ପ୍ଲାଟଫର୍ମକୁ ଆଣିବା ସହ ଆରପିଏଫ୍ ଫାଣ୍ଡି ସ୍ଥାପନ ଦାବି

Jun 26, 2026 - 17:24
0 63
କେସିଙ୍ଗା ରେଳ ଷ୍ଟେସନର ବିଭିନ୍ନ ସମସ୍ୟା ନେଇ ଜିଏମ୍‌ଙ୍କୁ ଦାବିପତ୍ର ଡାଉନ୍ ଟ୍ରେନ୍‌କୁ ୪ ନମ୍ବର ପ୍ଲାଟଫର୍ମକୁ ଆଣିବା ସହ ଆରପିଏଫ୍ ଫାଣ୍ଡି ସ୍ଥାପନ ଦାବି

କେସିଙ୍ଗା, ତା.୨୬/୦୬(ଷ୍ଟାରନିୟୁଜ ଓଡ଼ିଶା):

କେସିଙ୍ଗା ରେଳ ଷ୍ଟେସନରେ ଦୀର୍ଘଦିନ ଧରି ରହିଆସିଥିବା ବିଭିନ୍ନ ସମସ୍ୟାର ସମାଧାନ ଦାବିରେ କଳାହାଣ୍ଡି ଜିଲ୍ଲା ରେଳ ଯାତ୍ରୀ ସଂଘ ପକ୍ଷରୁ ଶୁକ୍ରବାର ରେଳ ବିଭାଗର ଜେନେରାଲ ମ୍ୟାନେଜର (ଜିଏମ୍) ପରମେଶ୍ୱର ଫନ୍ଦୟାଲଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସଂଘର ସଭାପତି ସୁଭାଷ ଚନ୍ଦ୍ର ଜୈନଙ୍କ ନେତୃତ୍ୱରେ ପ୍ରତିନିଧି ଦଳ ଜିଏମ୍‌ଙ୍କୁ ସାକ୍ଷାତ କରି ଷ୍ଟେସନର ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ।
ଦାବିପତ୍ରରେ କୁହାଯାଇଛି ଯେ, କେସିଙ୍ଗା ଷ୍ଟେସନର ୪ ନମ୍ବର ପ୍ଲାଟଫର୍ମରେ ଡାଉନ୍ ଟ୍ରେନ୍ ଚଳାଚଳ ବ୍ୟବସ୍ଥା ନଥିବାରୁ ବୃଦ୍ଧ, ରୋଗୀ, ଭିନ୍ନକ୍ଷମ ଏବଂ ମହିଳା ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଟ୍ରେନ୍‌ଗୁଡ଼ିକ ୨ ଓ ୩ ନମ୍ବର ପ୍ଲାଟଫର୍ମକୁ ଆସୁଥିବାରୁ ଯାତ୍ରୀଙ୍କୁ ଫୁଟ୍ ଓଭରବ୍ରିଜ୍ ବ୍ୟବହାର କରିବାକୁ ପଡ଼ୁଛି।
ସେହିପରି ଷ୍ଟେସନର ୧ ଓ ୪ ନମ୍ବର ପାର୍ଶ୍ୱରେ ଥିବା ଯାନବାହନ ପାର୍କିଂ ସ୍ଥଳରେ ଶୁଳ୍କ ଆଦାୟ କରାଯାଉଥିଲେ ମଧ୍ୟ ସେଡ୍ ଓ ସୁରକ୍ଷା ଗେଟ୍‌ର ଅଭାବ ଥିବାରୁ ଗାଡ଼ିଗୁଡ଼ିକର ସୁରକ୍ଷା ନେଇ ଚିନ୍ତା ପ୍ରକାଶ ପାଇଛି। ଏହାର ଶୀଘ୍ର ସମାଧାନ ପାଇଁ ସଂଘ ଦାବି କରିଛି।
ଏହାଛଡ଼ା କେସିଙ୍ଗା ରେଳ ଷ୍ଟେସନରେ ଆରପିଏଫ୍ କାର୍ଯ୍ୟାଳୟ କିମ୍ବା ଫାଣ୍ଡି ନଥିବାରୁ ଚୋରି ଓ ଅନ୍ୟାନ୍ୟ ଅପରାଧିକ ଘଟଣା ବଢ଼ୁଥିବା ଅଭିଯୋଗ କରାଯାଇ ଯଥାଶୀଘ୍ର ଆରପିଏଫ୍ ଫାଣ୍ଡି ସ୍ଥାପନ ପାଇଁ ଦାବି ଉଠିଛି। ସଂଘ ପକ୍ଷରୁ ପୂର୍ବରୁ ଏକାଧିକ ଥର ରେଳ ବିଭାଗର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସକାରାତ୍ମକ ପଦକ୍ଷେପ ନିଆଯାଇନଥିବାରୁ ସଦସ୍ୟମାନେ କ୍ଷୋଭ ପ୍ରକାଶ କରିଥିଲେ।
ଜିଏମ୍ ପରମେଶ୍ୱର ଫନ୍ଦୟାଲ ସମସ୍ତ ଦାବିକୁ ଗୁରୁତ୍ୱର ସହ ବିଚାର କରି କେସିଙ୍ଗା ଷ୍ଟେସନର ଉନ୍ନତି ପାଇଁ ଆଗାମୀ ଦିନରେ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପରିଦର୍ଶନ ସମୟରେ ଷ୍ଟେସନର ଚାଲିଥିବା ନବୀକରଣ କାର୍ଯ୍ୟର ମାନକୁ ନେଇ ମଧ୍ୟ ସେ ଅସନ୍ତୋଷ ପ୍ରକାଶ କରିଥିବା ଜଣାପଡ଼ିଛି।
ଏହି ଅବସରରେ ଡିଆରଏମ୍ ସୁବାସ ଚନ୍ଦ୍ର ଚୌଧୁରୀ, ରେଳ ବିଭାଗର ବିଭିନ୍ନ ଅଧିକାରୀ, ସଂଘର ଉପସଭାପତି ପ୍ରଶାନ୍ତ ବାନାର୍ଜୀ, କେସିଙ୍ଗା ଏନଏସି ଅଧ୍ୟକ୍ଷ ନୃପରାଜ ଯାଦବ, ସାଧାରଣ ସମ୍ପାଦକ ଡମ୍ବରୁଧର ଭୋଇ, ବିନୋଦ ଜୈନ, ବିଦେଶୀ ଜେନା, ରମେଶ ପଟ୍ଟନାୟକ, ଅନିଲ ଜୈନ ପ୍ରମୁଖ ଉପସ୍ଥିତ ଥିଲେ।

– ସୁଜୟ ନଙ୍ଗାଳତି
କେସିଙ୍ଗା ପ୍ରତିନିଧି,

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User