ଛାତ ଉପରକୁ ଯିବା ବେଳେ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ; ବିଦ୍ୟୁତ୍ ବିଭାଗର ଅବହେଳା ଅଭିଯୋଗ

Jul 23, 2026 - 23:48
0 10
ଛାତ ଉପରକୁ ଯିବା ବେଳେ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ; ବିଦ୍ୟୁତ୍ ବିଭାଗର ଅବହେଳା ଅଭିଯୋଗ

ଭବାନୀପାଟଣା, ୨୩/୦୭ (ଷ୍ଟାରନ୍ୟୁଜ ଓଡ଼ିଶା): କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଉଦେପୁର ଗ୍ରାମପଞ୍ଚାୟତର ଡଙ୍ଗରଗଡ଼ ଗ୍ରାମରେ ଏକ ଦୁଃଖଦ ଅଘଟଣ ଘଟିଛି। ଘରର ଛାତ ଉପରକୁ ଯିବା ବେଳେ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ୨୫ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଛି। ଘଟଣାକୁ ନେଇ ପରିବାର ପକ୍ଷରୁ ବିଦ୍ୟୁତ୍ ବିଭାଗର ଅବହେଳା ଅଭିଯୋଗ କରାଯାଇଛି।
ସୂଚନା ଅନୁସାରେ, ଗୁରୁବାର ଅପରାହ୍ନ ପ୍ରାୟ ୪ଟା ୪୦ ମିନିଟ୍ ସମୟରେ ଡଙ୍ଗରଗଡ଼ ଗ୍ରାମର ହୃଷୀକେଶ ତାଣ୍ଡି (୨୫) ଘରର ଛାତ ଉପରକୁ ଯାଇଥିବା ବେଳେ ଘର ନିକଟ ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ। ବିଦ୍ୟୁତ୍ ଆଘାତରେ ସେ ଗୁରୁତର ଭାବେ ଆହତ ହୋଇ ଛାତ ଉପରୁ ତଳକୁ ଖସି ପଡ଼ିଥିଲେ।
ପରିବାର ଲୋକେ ତୁରନ୍ତ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ହୃଷୀକେଶଙ୍କୁ ମୃତ ଘୋଷଣା କରିଥିଲେ।
ମୃତ ହୃଷୀକେଶ ତାଣ୍ଡି ସୁରଟସ୍ଥିତ ଏକ ବେସରକାରୀ କମ୍ପାନୀରେ କାର୍ଯ୍ୟରତ ଥିଲେ ଏବଂ ପରିବାରର ଏକମାତ୍ର ରୋଜଗାରକ୍ଷମ ସଦସ୍ୟ ଥିବାରୁ ତାଙ୍କ ଅକାଳ ବିୟୋଗରେ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି।
ପରିବାରର ଅଭିଯୋଗ ଅନୁଯାୟୀ, ଘର ନିକଟରେ ଥିବା ବିପଦଜନକ ୧୧ କେଭି ବିଦ୍ୟୁତ୍ ଲାଇନ୍ ସମ୍ପର୍କରେ ବାରମ୍ବାର ବିଦ୍ୟୁତ୍ ବିଭାଗର ୪ ନମ୍ବର ସେକ୍ସନକୁ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନଥିଲା। ବିଭାଗର ଅବହେଳା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବ ବୋଲି ସେମାନେ ଦାବି କରିଛନ୍ତି।
ଏନେଇ ମୃତକଙ୍କ ପିତା ଉପେନ୍ଦ୍ର ତାଣ୍ଡି ସଦର ଥାନାରେ ଲିଖିତ ଅଭିଯୋଗ ସହ ଏଫ୍‌ଆଇଆର୍‌ ଦାଖଲ ପାଇଁ ଆବେଦନ କରିଛନ୍ତି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ବିଦ୍ୟୁତ୍ ବିଭାଗ ପକ୍ଷରୁ ଏହି ଅଭିଯୋଗ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିନାହିଁ।
 
ବିଷ୍ଣୁ ଚରଣ ସ୍ୱାଇଁ, କଳାହାଣ୍ଡି ଜିଲ୍ଲା ପ୍ରତିନିଧି,

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User