ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ନିଶା ନିବାରଣ ଓ ଅବୈଧ ଚାଲାଣ ନିଷିଦ୍ଧ ଦିବସ ପାଳିତ
ଭବାନୀପାଟଣା, ୨୬/୦୬ (ଷ୍ଟାରନିୟୁଜ ଓଡିଶା ): କଳାହାଣ୍ଡି ଜିଲ୍ଲା ପ୍ରଶାସନ ଏବଂ ସାମାଜିକ ସୁରକ୍ଷା ବିଭାଗର ମିଳିତ ଆନୁକୂଲ୍ୟରେ ଭବାନୀପାଟଣା ସ୍ଥିତ ଟାଉନ୍ ହଲ୍ରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ନିଶା ନିବାରଣ ଏବଂ ଅବୈଧ ଚାଲାଣ ନିଷିଦ୍ଧ ଦିବସ–୨୦୨୬ ପାଳିତ ହୋଇଯାଇଛି।
ଏହି ଅବସରରେ ନିଶାମୁକ୍ତ ସମାଜ ଗଠନର ବାର୍ତ୍ତାକୁ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ ସଚେତନତା ସଭା, ସାଂସ୍କୃତିକ ପରିବେଷଣ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ୩୦୦ରୁ ଅଧିକ ଛାତ୍ରଛାତ୍ରୀ ଉତ୍ସାହର ସହ ଯୋଗଦେଇ ନିଶା ବିରୋଧୀ ସଚେତନତାର ସଂକଳ୍ପ ନେଇଥିଲେ।
କାର୍ଯ୍ୟକ୍ରମରେ ନିଶା କବଳରୁ ସଫଳତାର ସହ ମୁକ୍ତି ପାଇଥିବା ଦୁଇଜଣ ବ୍ୟକ୍ତିଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ଏଥିସହ ବିଭିନ୍ନ କଲେଜରେ ପୂର୍ବରୁ ଆୟୋଜିତ ନିଶା ବିରୋଧୀ ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କୃତ କରାଯାଇଥିଲା।
ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ ଯୋଗଦେଇ ଯୁବପିଢ଼ିଙ୍କୁ ନିଶାଠାରୁ ଦୂରେ ରହି ସୁସ୍ଥ, ସୁରକ୍ଷିତ ଓ ଦାୟିତ୍ୱବାନ ଜୀବନ ଗଢ଼ିବାକୁ ଆହ୍ୱାନ କରିଥିଲେ। ବିଶିଷ୍ଟ ଅତିଥି ଭାବେ ସମାଜସେବୀ ଶ୍ରୀ ଯୁଗଳ କିଶୋର ପୋଢ଼, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ବିବେକାନନ୍ଦ ମହାନନ୍ଦ, ଅବକାରୀ ବିଭାଗର ଡିଏସପି ଶ୍ରୀମତୀ ସାଗରିକା ପ୍ରଧାନ, ରାମକୃଷ୍ଣ ଆଶ୍ରମ (ମ. ରାମପୁର)ର ସମ୍ପାଦକ ଏବଂ ବ୍ରହ୍ମାକୁମାରୀ ସଂସ୍ଥାର ମଧୁ ମହୋଦୟ ଉପସ୍ଥିତ ରହି ନିଶାମୁକ୍ତ ସମାଜ ଗଠନରେ ସମସ୍ତଙ୍କ ସହଯୋଗର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।
ମୁଖ୍ୟ ବକ୍ତା ଶ୍ରୀ ଉମେଶ ଚନ୍ଦ୍ର ଶତପଥୀ ନିଶାସେବନର କୁପ୍ରଭାବ ଏବଂ ଏଥିରୁ ମୁକ୍ତି ପାଇବାର ଉପାୟ ସମ୍ପର୍କରେ ବିସ୍ତୃତ ମତ ରଖିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଦିନେଶ କୁମାର କହଁର ସଭାପତିତ୍ୱ କରିଥିଲେ।
ଶେଷରେ ସାମର୍ଥ୍ୟ ଦୃଷ୍ଟିହୀନ ସଂଘ, ଗୋଲାମୁଣ୍ଡା ପକ୍ଷରୁ ସଚେତନତାଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା, ଯାହା ଉପସ୍ଥିତ ଦର୍ଶକଙ୍କୁ ନିଶାମୁକ୍ତ ଜୀବନ ପ୍ରତି ପ୍ରେରିତ କରିଥିଲା।
ରିପୋର୍ଟ: ବିଷ୍ଣୁ ଚରଣ ସ୍ୱାଇଁ
କଳାହାଣ୍ଡି ଜିଲ୍ଲା ପ୍ରତିନିଧି, ଷ୍ଟାର ନ୍ୟୁଜ୍ ଓଡ଼ିଶା
What's Your Reaction?