ଡୋକାରିଚଞ୍ଚରା ପରିଚାଳନା ବିବାଦ ତିବ୍ର: ଇଟିଜି କମିଟିର ସାମ୍ବାଦିକ ସମ୍ମିଳନୀ
ଧର୍ମଗଡ, କଳାହାଣ୍ଡି | ତା. ୧୮ ମାର୍ଚ୍ଚ ୨୦୨୬( ଷ୍ଟାର ନିୟୁଜ ଓଡିଶା )କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅଧୀନର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଗୁଡ଼ହାଣ୍ଡି ଡୋକରିଚଞ୍ଚରାର ପରିଚାଳନାକୁ ନେଇ ଚାଲିଥିବା ବିବାଦ ଦିନକୁ ଦିନ ତିବ୍ର ରୂପ ନେଉଛି। ଦୀର୍ଘଦିନ ଧରି ପରିଚାଳନା କରୁଥିବା ଉନ୍ନୟନ କମିଟି ଓ ଗତ ଦୁଇ ବର୍ଷ ପୂର୍ବେ ଗଠିତ ଇଟିଜି କମିଟି ମଧ୍ୟରେ ଅଧିକାର ନେଇ ମତଭେଦ ଗଭୀର ହୋଇପଡ଼ିଛି।
ବିବାଦର ସମାଧାନ ନ ହେବାରୁ ଉନ୍ନୟନ କମିଟି ପକ୍ଷରୁ ଇଟିଜି କମିଟି ବିରୋଧରେ ମାନ୍ୟବର ହାଇକୋର୍ଟରେ ମାମଲା ରୁଜୁ କରାଯାଇଥିଲା ଏବଂ ନ୍ୟାୟିକ ତଦନ୍ତ ପାଇଁ ଆବେଦନ କରାଯାଇଥିଲା। ଏହାପରେ ହାଇକୋର୍ଟ ଜିଲ୍ଲା ପ୍ରଶାସନକୁ ତଦନ୍ତ ସହିତ ଶୀଘ୍ର ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।
ନିର୍ଦ୍ଦେଶ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କୋକସରା ବ୍ଲକ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନଙ୍କ ଅଧ୍ୟକ୍ଷତାରେ ଉପ-ଜିଲ୍ଲାପାଳ ଧର୍ମଗଡ ଓ ବ୍ଲକ ସ୍ତରୀୟ ଅଧିକାରୀମାନଙ୍କ ସହ ଉଭୟ କମିଟିଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ତେବେ ଏହି ଆଲୋଚନାରୁ କୌଣସି ନିଷ୍କର୍ଷ ବାହାରିପାରିନଥିଲା, ଯାହାରୁ ପରିସ୍ଥିତି ଅଧିକ ଜଟିଳ ହୋଇପଡ଼ିଛି।
ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଚଳିତ ବର୍ଷ ଶ୍ରୀରାମ ନବମୀ ମହୋତ୍ସବ ପାଳନ ଉପରେ ନିୟନ୍ତ୍ରଣ ଜାରି କରାଯାଇଛି। ସମସ୍ୟାର ସ୍ଥାୟୀ ସମାଧାନ ହେଉନଥିବା ପର୍ଯ୍ୟନ୍ତ ଉଭୟ କମିଟିକୁ କୌଣସି ପ୍ରକାର ଆୟୋଜନ ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏହାକୁ ନେଇ ବୁଧବାର ଦିନ ଡୁଡୁକାଠେଙ୍ଗା ପଞ୍ଚାୟତ ଅଧୀନ ଖଲିଗଡ଼ ଗ୍ରାମରେ ଇଟିଜି କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା। ସେଠାରେ କମିଟି ସଦସ୍ୟମାନେ ନିଜର ପକ୍ଷ ସ୍ପଷ୍ଟ କରି କହିଥିଲେ ଯେ, ସେମାନେ ମାନ୍ୟବର ହାଇକୋର୍ଟ ଓ ଜିଲ୍ଲା ପ୍ରଶାସନଙ୍କ ନିର୍ଦ୍ଦେଶକୁ ସମ୍ମାନ କରୁଛନ୍ତି।
କମିଟି ପକ୍ଷରୁ ଆହୁରି କୁହାଯାଇଛି ଯେ, ଯଦି ଜିଲ୍ଲା ପ୍ରଶାସନ ଅନୁମତି ପ୍ରଦାନ କରେ, ତେବେ ସେମାନେ ପର୍ଯ୍ୟଟନ ସ୍ଥଳୀର ସମସ୍ତ ପରିଚାଳନା କାର୍ଯ୍ୟ ସହ ସୁରକ୍ଷା ବ୍ୟବସ୍ଥାକୁ ଶୀଘ୍ର ଓ ସୁଚାରୁ ଭାବରେ କରିବେ। ତେବେ ଉନ୍ନୟନ କମିଟି ସହ ଯୁକ୍ତ ଭାବେ ପରିଚାଳନା କରିବା ପ୍ରସ୍ତାବକୁ ସେମାନେ ସପଟ ଭାବରେ ନାକୋଚ କରିଛନ୍ତି, ଯାହାରୁ ବିବାଦର ସମାଧାନ ନେଇ ଅସ୍ପଷ୍ଟତା ଜାରି ରହିଛି।
(Key Highlights):
-ଡୋକରିଚଞ୍ଚରା ପରିଚାଳନାକୁ ନେଇ ଦୁଇ କମିଟିରେ ଦ୍ୱନ୍ଦ୍ୱ
-ମାମଲା ହାଇକୋର୍ଟରେ, ପ୍ରଶାସନକୁ ତଦନ୍ତ ନିର୍ଦ୍ଦେଶ
-ଆଲୋଚନା ସତ୍ତ୍ୱେ କୌଣସି ସମାଧାନ ନାହିଁ
-ଶ୍ରୀରାମ ନବମୀ ଉତ୍ସବରେ ପ୍ରଶାସନୀୟ କଟକଣା
-ଇଟିଜି କମିଟିର ଯୁକ୍ତ ପରିଚାଳନାକୁ ସପଟ ଅସ୍ୱୀକାର
ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ
ଜିଲ୍ଲା ପ୍ରତିନିଧି, କଳାହାଣ୍ଡି
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)