ବିକାଶ ଉଇଜଡମ୍ ପାର୍କରେ ଇନଭେଷ୍ଟିଚର୍ ସେରିମନି: ନବନିର୍ବାଚିତ ଛାତ୍ର ନେତୃବୃନ୍ଦଙ୍କୁ ଦାୟିତ୍ୱ ପ୍ରଦାନ
ଭବାନୀପାଟଣା, ୧୮/୦୭ (ଷ୍ଟାରନ୍ୟୁଜ୍ ଓଡ଼ିଶା): ଭବିଷ୍ୟତର ନେତୃତ୍ୱ ଗଢ଼ି ତୋଳିବା ଲକ୍ଷ୍ୟରେ ଭବାନୀପାଟଣା ସ୍ଥିତ ବିକାଶ ଉଇଜଡମ୍ ପାର୍କରେ ଏକ ଭବ୍ୟ ଇନଭେଷ୍ଟିଚର୍ ସେରିମନି ଆୟୋଜିତ ହୋଇଛି। ଏହି ଅବସରରେ ସିବିଏସଇ ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ସହ ସିଏଚଏସସି ଉଚ୍ଚମାଧ୍ୟମିକ ବିଭାଗର ନବନିର୍ବାଚିତ ଷ୍ଟୁଡେଣ୍ଟ କାଉନସିଲ ସଦସ୍ୟମାନଙ୍କୁ ଆନୁଷ୍ଠାନିକ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଥିଲା।
କାର୍ଯ୍ୟକ୍ରମରେ ଅନୁଷ୍ଠାନର ନିର୍ଦ୍ଦେଶକ ଡି. ଶ୍ୟାମ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, "ଆଜିର ଛାତ୍ରଛାତ୍ରୀ ହେଉଛନ୍ତି ଆସନ୍ତାକାଲିର ଦେଶର ନେତୃତ୍ୱ। ଛାତ୍ରଜୀବନରୁ ଦାୟିତ୍ୱବୋଧ ଓ ନେତୃତ୍ୱ ଗୁଣର ବିକାଶ ହେଲେ ଭବିଷ୍ୟତ ସମାଜ ଅଧିକ ସଶକ୍ତ ହେବ।"
ସମ୍ମାନିତ ଅତିଥି ଭାବେ ନିର୍ଦ୍ଦେଶକ ଡି. ରାମ କୁମାର, ମୁଖ୍ୟ ଶିକ୍ଷା ଅଧିକାରୀ ଡି. ବିଜୟା ଓ ଡି. ପଦ୍ମିନୀ, ମୁଖ୍ୟ ପ୍ରଶାସକ ଯୁବରାଜ ନାୟକ, ବିକାଶ ଆବାସିକ ବିଦ୍ୟାଳୟର ଅଧ୍ୟକ୍ଷା ଆରତୀ ମିଶ୍ର, ଉପାଧ୍ୟକ୍ଷ ନାରାୟଣ ମହାନ୍ତି, ପ୍ରସନ୍ନଜିତ୍ ଦତ୍ତ ଓ ପ୍ରବନ୍ଧକ ଗୁପ୍ତେଶ୍ୱର ଖୁଣ୍ଟିଆ ଉପସ୍ଥିତ ରହିଥିଲେ।
ସିବିଏସଇ ଓ ସିଏଚଏସସି ବିଭାଗରେ ଗଣତାନ୍ତ୍ରିକ ନିର୍ବାଚନ ପ୍ରକ୍ରିୟା ମାଧ୍ୟମରେ ହେଡ୍ ବୟ, ହେଡ୍ ଗର୍ଲ ଏବଂ ବିଭିନ୍ନ କ୍ଲବ୍ ଓ ବିଭାଗ ପାଇଁ କ୍ୟାପ୍ଟେନମାନଙ୍କୁ ଚୟନ କରାଯାଇଥିଲା। ନବନିର୍ବାଚିତ ଛାତ୍ର ନେତୃବୃନ୍ଦଙ୍କୁ ଅତିଥିମାନେ ବ୍ୟାଜ୍ ପିନ୍ଧାଇ ଓ ଦାୟିତ୍ୱ ପ୍ରଦାନ କରିବା ସହ ସତନିଷ୍ଠା, ଶୃଙ୍ଖଳା ଓ ସେବାଭାବର ସହିତ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ।
ମୁଖ୍ୟ ପ୍ରଶାସକ ଯୁବରାଜ ନାୟକ ସ୍ୱାଗତ ଭାଷଣ ରଖିଥିବା ବେଳେ କ୍ରୀଡ଼ା ଶିକ୍ଷକ ପ୍ରବୀଣ କୁମାର ନବନିର୍ବାଚିତ ସଦସ୍ୟମାନଙ୍କୁ ଶପଥ ପାଠ କରାଇଥିଲେ। ଶେଷରେ ଉପାଧ୍ୟକ୍ଷ ନାରାୟଣ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।
କାର୍ଯ୍ୟକ୍ରମକୁ ସଫଳ କରିବାରେ ଅନୁଷ୍ଠାନର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀମାନଙ୍କ ସକ୍ରିୟ ସହଯୋଗ ରହିଥିଲା।
ବିଷ୍ଣୁ ଚରଣ ସ୍ୱାଇଁ, କଳାହାଣ୍ଡି ଜିଲ୍ଲା ପ୍ରତିନିଧି, ଷ୍ଟାରନ୍ୟୁଜ୍ ଓଡ଼ିଶା।
What's Your Reaction?