୧୬୨ କେଜି ଗଞ୍ଜେଇ ଜବତ, କାର ସହ ଦୁଇ ଅଟକ କଳାହାଣ୍ଡିରୁ ବଲାଙ୍ଗୀର ଚୋରାଚାଲାଣ ବେଳେ ଅବକାରୀ ବିଭାଗର ଚଢ଼ାଉ; ଜଣେ ନାବାଳକ ସାମିଲ
ମ.ରାମପୁର, ୨୪/୮ (ଷ୍ଟାର ନ୍ୟୁଜ ଓଡ଼ିଶା): କନ୍ଧମାଳରୁ ବଲାଙ୍ଗୀରକୁ ଗଞ୍ଜେଇ ଚୋରାଚାଲାଣ ହେଉଥିବା ବେଳେ କଳାହାଣ୍ଡି ଅବକାରୀ ବିଭାଗକୁ ବଡ଼ ସଫଳତା ମିଳିଛି। ମ.ରାମପୁର ବ୍ଲକ ଅନ୍ତର୍ଗତ ରଜାମୁଣ୍ଡା ନିକଟ ଜାତୀୟ ରାଜପଥ-୫୯ରେ ଶନିବାର ଭୋର ପ୍ରାୟ ୫ଟା ସମୟରେ ଚଢ଼ାଉ କରି ୧୬୨ କେଜି ଗଞ୍ଜେଇ, ଦୁଇଟି ସ୍ମାର୍ଟ ମୋବାଇଲ ଫୋନ୍ ଏବଂ ଏକ ମାରୁତି ସୁଜୁକି ଏସଏକ୍ସ-୪ କାର ଜବତ କରାଯାଇଛି।
କଳାହାଣ୍ଡି ଅବକାରୀ ଅଧୀକ୍ଷକ ରଞ୍ଜନ କୁମାର ନାଏକଙ୍କ ନିର୍ଦ୍ଦେଶରେ ଉପ-ଅବକାରୀ ଅଧୀକ୍ଷକ ସାଗରିକା ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅବକାରୀ ନିରୀକ୍ଷକ ବିଜୟ ଭୂଷଣ ନାୟକ ଓ ମ.ରାମପୁର ଅବକାରୀ ଅଧିକାରୀ ଅଜିତ କୁମାର ନାୟକଙ୍କ ନେତୃତ୍ୱରେ ଏହି ଅଭିଯାନ ହୋଇଥିଲା।
ଚଢ଼ାଉ ସମୟରେ ଗଞ୍ଜେଇ ଭର୍ତ୍ତି କାରଟିକୁ ଅଟକାଇ ତଲାସୀ କରାଯିବା ପରେ ବିପୁଳ ପରିମାଣର ନିଶାଦ୍ରବ୍ୟ ମିଳିଥିଲା। ଏହି ଘଟଣାରେ ଫିରିଙ୍ଗିଆ ଥାନା ଅଞ୍ଚଳର ବାପି ପ୍ରଧାନ (୨୬)ଙ୍କ ସହ ଜଣେ ନାବାଳକଙ୍କୁ ଅବକାରୀ ବିଭାଗ ଧରିଛି। ଜବତ କାରର ନମ୍ବର ଓଆର୍-୦୨-ଏଡବ୍ଲ୍ୟୁ-୯୮୮୧, ଯାହାର ମୂଳ ପଞ୍ଜୀକରଣ ନମ୍ବର ସିଜି-୦୪-ଏଚଏ-୨୮୧୧ ବୋଲି ଜଣାପଡ଼ିଛି।
ଅବକାରୀ ବିଭାଗର ପ୍ରାଥମିକ ସୂଚନା ଅନୁଯାୟୀ, ଜବତ ଗଞ୍ଜେଇ କନ୍ଧମାଳ ଜିଲ୍ଲାରୁ ବଲାଙ୍ଗୀର ଅଭିମୁଖେ ଚୋରାଚାଲାଣ କରାଯାଉଥିଲା। ଘଟଣା ସମ୍ପର୍କରେ କେସ୍ ନମ୍ବର ୧୨୪/୨୦୨୬-୨୭ ରୁଜୁ କରାଯାଇ ଏନ୍ଡିପିଏସ୍ ଆଇନ ଅନୁସାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଚାଲିଛି।
ଚଢ଼ାଉରେ ଅବକାରୀ ବିଭାଗର କର୍ମଚାରୀ ବଳେଶ୍ୱର ଧଙ୍ଗଡ଼ାମାଝୀ, ସିମାଞ୍ଚଳ ମାଝୀ, ବିନତା କୁମାର, ଡୁଲେଶ୍ୱର ପ୍ରଧାନ, ଦୈତାରୀ ତାଣ୍ଡି, ପୃଥ୍ୱୀରାଜ ବାଗ ଓ ସିଦ୍ଧାନ୍ତ ପଟ୍ଟନାୟକଙ୍କ ସମେତ ଅନ୍ୟ କର୍ମଚାରୀ ସାମିଲ ଥିଲେ।

What's Your Reaction?
Like
1
Dislike
0
Love
0
Funny
0
Wow
0
Sad
0
Angry
0
Comments (0)