ଓଡ଼ିଶାର ସିଟିଜେନ୍ ସାଇଣ୍ଟିଷ୍ଟଙ୍କ ବିଶ୍ୱସ୍ତରୀୟ ସଫଳତା: ଗ୍ରହାଣୁ '2025 FK36'ର ପ୍ରୋଭିଜନାଲ ଆବିଷ୍କାର
କଳାହାଣ୍ଡି,୧୭l ୭(ଷ୍ଟାରନ୍ୟୁଜ୍ ଓଡ଼ିଶା): ଓଡ଼ିଶାର ସିଟିଜେନ୍ ସାଇଣ୍ଟିଷ୍ଟମାନେ ଅନ୍ତର୍ଜାତୀୟ ସ୍ତରରେ ଏକ ଗୌରବମୟ ସଫଳତା ହାସଲ କରିଛନ୍ତି। ଡ଼. କଲାମ ବିଜ୍ଞାନ କ୍ଲବ, ପଠାଣି ସାମନ୍ତ ବିଜ୍ଞାନ କ୍ଲବ, ଓଡ଼ିଶା ଏବଂ ଆନ୍ତର୍ଜାତୀୟ ଜ୍ୟୋତିର୍ବିଜ୍ଞାନ ଅନୁସନ୍ଧାନ ସଂଗଠନଙ୍କ ମିଳିତ ପ୍ରୟାସରେ, ନାସାର ସହଯୋଗରେ ଆୟୋଜିତ ଗ୍ରହାଣୁ ସନ୍ଧାନ ଅଭିଯାନରେ ଯୋଗଦେଇ ସେମାନେ '2025 FK36' ନାମକ ଏକ ଗ୍ରହାଣୁର ପ୍ରୋଭିଜନାଲ (ଅସ୍ଥାୟୀ) ଆବିଷ୍କାର କରି ଏହି ସଫଳତା ଅର୍ଜନ କରିଛନ୍ତି।
ଏହି ଅଭିଯାନର ଦଳର ନେତୃତ୍ୱ ନେଇଥିଲେ ସମାଜବିଜ୍ଞାନୀ ପ୍ରିୟଙ୍କା ବେହେରା। ତାଙ୍କ ସହ ଜାତୀୟ ପୁରସ୍କାରପ୍ରାପ୍ତ ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର କର ଏବଂ ଜୈବ ବିଜ୍ଞାନୀ ନିରଞ୍ଜନ ବେହେରା ସଦସ୍ୟ ଭାବେ ଯୋଗଦେଇଥିଲେ। ଭିନ୍ନ ଭିନ୍ନ ଶିକ୍ଷାଗତ ଓ ବୃତ୍ତିଗତ ପୃଷ୍ଠଭୂମିରୁ ଆସିଥିବା ସତ୍ତ୍ୱେ ସେମାନେ ମିଳିତ ଭାବେ କାର୍ଯ୍ୟ କରି ଏହି ଗ୍ରହାଣୁର ପ୍ରୋଭିଜନାଲ ଆବିଷ୍କାର କରିବାରେ ସଫଳ ହୋଇଛନ୍ତି।
ଏହି ସଫଳତା ପ୍ରମାଣ କରିଛି ଯେ ବୈଜ୍ଞାନିକ ଜିଜ୍ଞାସା, ନିଷ୍ଠା ଏବଂ ଦଳଗତ ପ୍ରୟାସ ମାଧ୍ୟମରେ ବିଭିନ୍ନ ବିଷୟର ସୀମାକୁ ଅତିକ୍ରମ କରି ବିଶ୍ୱସ୍ତରୀୟ କୃତିତ୍ୱ ହାସଲ କରାଯାଇପାରେ।
ଏହି ଉଲ୍ଲେଖନୀୟ ସଫଳତା ଓଡ଼ିଶାର ସିଟିଜେନ୍ ସାଇଣ୍ଟିଷ୍ଟମାନଙ୍କର ବିଶ୍ୱ ଜ୍ୟୋତିର୍ବିଜ୍ଞାନ ଗବେଷଣାରେ ବୃଦ୍ଧି ପାଉଥିବା ଅବଦାନକୁ ପ୍ରତିଫଳିତ କରିବା ସହ ଦେଶର ଯୁବ ବିଜ୍ଞାନପ୍ରେମୀ ଓ ଭବିଷ୍ୟତ ଗବେଷକମାନଙ୍କ ପାଇଁ ଏକ ପ୍ରେରଣାଦାୟକ ଦୃଷ୍ଟାନ୍ତ ସୃଷ୍ଟି କରିଛି।
– କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁଙ୍କ ରିପୋର୍ଟ
What's Your Reaction?