କେସିଙ୍ଗା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବନମହୋତ୍ସବ–୨୦୨୬ ପାଳିତ, ପରିବେଶ ସୁରକ୍ଷାର ବାର୍ତ୍ତା ନେଇ ସଚେତନତା ଶୋଭାଯାତ୍ରା

Jul 01, 2026 - 18:00
0 45
କେସିଙ୍ଗା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବନମହୋତ୍ସବ–୨୦୨୬ ପାଳିତ, ପରିବେଶ ସୁରକ୍ଷାର ବାର୍ତ୍ତା ନେଇ ସଚେତନତା ଶୋଭାଯାତ୍ରା

କେସିଙ୍ଗା, ତା. ୧l୭  (ଷ୍ଟାର ନ୍ୟୁଜ୍ ଓଡ଼ିଶା):ପରିବେଶ ସୁରକ୍ଷା, ବୃକ୍ଷରୋପଣ ଓ ସବୁଜ ପୃଥିବୀ ଗଠନର ବାର୍ତ୍ତାକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, କେସିଙ୍ଗାର ଇକୋ କ୍ଲବ୍ ପକ୍ଷରୁ ବନମହୋତ୍ସବ–୨୦୨୬ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରାଯାଇଛି।
ପ୍ରଧାନ ଶିକ୍ଷକ ସମୀର କୁମାର ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ କେସିଙ୍ଗା ବନଖଣ୍ଡ ଅଧୀନସ୍ଥ କଶ୍ରୁପଡ଼ା ଜଙ୍ଗଲ ବିଭାଗର ବନପାଳ ଯଯାତି କିଶୋର ବଗର୍ତ୍ତୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ “ସବୁଜ ପଦକ୍ଷେପ ମାଧ୍ୟମରେ ପୃଥିବୀର ଆରୋଗ୍ୟ ସାଧନ” ଶୀର୍ଷକରେ ବକ୍ତବ୍ୟ ରଖିଥିଲେ। ସେ ବୃକ୍ଷରୋପଣକୁ କେବଳ ଏକ ଦିବସ ପାଳନରେ ସୀମିତ ନ ରଖି ପ୍ରତ୍ୟେକ ନାଗରିକଙ୍କ ଦୈନନ୍ଦିନ ଦାୟିତ୍ୱରେ ପରିଣତ କରିବାକୁ ଆହ୍ୱାନ ଜଣାଇଥିଲେ।
କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଶିବପ୍ରସାଦ ସାହୁ, ଇକୋ କ୍ଲବ୍ ଭାରପ୍ରାପ୍ତ ଶିକ୍ଷକ ଆର୍ତ୍ତତ୍ରାଣ ଷଡ଼ଙ୍ଗୀ ଏବଂ ଏନ୍‌.ସି.ସି. ଅଫିସର ମୋନାଲିସା ନାୟକ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ପରିବେଶ ସଂରକ୍ଷଣରେ ଛାତ୍ରଛାତ୍ରୀଙ୍କ ଭୂମିକା ସମ୍ପର୍କରେ ମତବ୍ୟକ୍ତ କରିଥିଲେ।
ଏହି ଅବସରରେ ବିଦ୍ୟାଳୟର ଛାତ୍ରୀ, ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ନେଇ ଏକ ବର୍ଣ୍ଣାଢ୍ୟ ସଚେତନତା ଶୋଭାଯାତ୍ରା ବାହାରି କେସିଙ୍ଗା ସହର ପରିକ୍ରମା କରାଯାଇଥିଲା। ଶୋଭାଯାତ୍ରା ମାଧ୍ୟମରେ ବୃକ୍ଷରୋପଣ, ପରିବେଶ ସଂରକ୍ଷଣ ଓ ପ୍ରଦୂଷଣ ନିୟନ୍ତ୍ରଣ ସମ୍ପର୍କିତ ସଚେତନତାର ବାର୍ତ୍ତା ପ୍ରଦାନ କରାଯାଇଥିଲା।
ବନମହୋତ୍ସବ ଉପଲକ୍ଷେ ଆୟୋଜିତ ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀ ଗାନ୍ଧର୍ବୀ ମାଝୀ, ହଂସିନୀ ଷଣ୍ଢ, ସୋନି ସାହା, ପ୍ରାଚୀ ପ୍ରଧାନ, ହର୍ଷିତା ମାଝୀ ଏବଂ ଗୀତାଞ୍ଜଳି ମହଲାଙ୍କୁ ପୁରସ୍କୃତ କରାଯାଇଥିଲା। ପରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯାଇ ପରିବେଶ ସୁରକ୍ଷାର ସଂକଳ୍ପ ନିଆଯାଇଥିଲା।
ସମଗ୍ର କାର୍ଯ୍ୟକ୍ରମରେ ବନ ବିଭାଗର କର୍ମଚାରୀ, ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ସକ୍ରିୟ ସହଯୋଗ କରିଥିଲେ। ପରିବେଶ ସୁରକ୍ଷା ପ୍ରତି ଛାତ୍ରୀମାନଙ୍କ ମଧ୍ୟରେ ସକାରାତ୍ମକ ମନୋଭାବ ସୃଷ୍ଟି କରିବାରେ ଏହି କାର୍ଯ୍ୟକ୍ରମ ସଫଳ ହୋଇଥିବା ମତ ପ୍ରକାଶ ପାଇଥିଲା।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User