କେସିଙ୍ଗାକୁ କେବେ ମିଳିବ ବାଇପାସ୍ ? ଜନସାଧାରଣଙ୍କ ମଧ୍ୟରେ ବଢ଼ୁଛି ଅସନ୍ତୋଷ
କେସିଙ୍ଗା ତା. ୯l୫(ସୁଜୟ ନଙ୍ଗାଳତି ) — କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସହରରେ ବିକାଶର ନୂତନ ଅଧ୍ୟାୟ ଲେଖାଯାଉଥିବା ବେଳେ କେସିଙ୍ଗା ସହର ଏପର୍ଯ୍ୟନ୍ତ ବାଇପାସ୍ ରାସ୍ତା ଭଳି ମୌଳିକ ଆବଶ୍ୟକତାରୁ ବଞ୍ଚିତ ରହିଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଦିନକୁ ଦିନ ବଢ଼ୁଥିବା ଯାତାୟାତ ଚାପ, ଭାରି ଯାନବାହନର ଅତ୍ୟାଧିକ ଚଳାଚଳ ଓ ସହର ଭିତରେ ସୃଷ୍ଟି ହେଉଥିବା ଟ୍ରାଫିକ ସମସ୍ୟା ଲୋକଙ୍କ ପାଇଁ ବଡ଼ ଚିନ୍ତାର କାରଣ ହୋଇପଡ଼ିଛି।
ଯେତେବେଳେ କି ଭବାନୀପାଟଣା ସହରକୁ ଦୁଇଟି ବାଇପାସ୍ ରାସ୍ତାର ସୁବିଧା ମିଳୁଛି। ସେଥିରୁ ଗୋଟିଏ ପୂର୍ତ୍ତ ବିଭାଗ (PWD) ପକ୍ଷରୁ ସମ୍ପୂର୍ଣ୍ଣ ହୋଇସାରିଥିବା ବେଳେ ଅନ୍ୟଟି ଜାତୀୟ ରାଜପଥ (NH) ବିଭାଗ ଦ୍ୱାରା ନିର୍ମାଣ ପ୍ରକ୍ରିୟାରେ ରହିଛି। ସେହିପରି ଜୁନାଗଡ଼ ଓ ଧର୍ମଗଡ଼ ଅଞ୍ଚଳ ପାଇଁ ମଧ୍ୟ ବାଇପାସ୍ ଯୋଜନା ଚୂଡ଼ାନ୍ତ ହୋଇଥିବା ଖବର ମିଳୁଛି।କିନ୍ତୁ କେସିଙ୍ଗା ସହରର ଅବସ୍ଥା ଏପର୍ଯ୍ୟନ୍ତ ପୁରୁଣା ଅବସ୍ଥାରେ ରହିଯାଇଛି। ସହର ମଧ୍ୟ ଦେଇ ଦୈନିକ ଶତାଧିକ ଟ୍ରକ୍, ବସ୍ ଓ ଭାରି ଯାନବାହନ ଯାତାୟାତ କରୁଥିବାରୁ ସ୍କୁଲ୍ ଛାତ୍ରଛାତ୍ରୀ, ବ୍ୟବସାୟୀ ଓ ସାଧାରଣ ଲୋକ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ବଜାର ଅଞ୍ଚଳରେ ଯାନବାହାନ,ନିୟମିତ ଘଟଣା ହୋଇପଡ଼ିଛି। କେବଳ ଯାତାୟାତ ସମସ୍ୟା ନୁହେଁ, ଧୂଳି, ଶବ୍ଦ ପ୍ରଦୂଷଣ ଓ ଦୁର୍ଘଟଣାର ଆଶଙ୍କା ମଧ୍ୟ ବଢ଼ୁଛି।
ସ୍ଥାନୀୟ ଲୋକଙ୍କ ମତରେ, କେସିଙ୍ଗା ପରି ଏକ ବ୍ୟବସାୟିକ ଓ ଗୁରୁତ୍ୱପୂର୍ଣ୍ଣ ସହର ପାଇଁ ବାଇପାସ୍ ରାସ୍ତା ଏବେ ସମୟର ଦାବି ହୋଇପଡ଼ିଛି। ତଥାପି ପ୍ରଶ୍ନ ଉଠୁଛି— ଏହି ସମସ୍ୟାର ସମାଧାନ କିଏ କରିବ? ସ୍ଥାନୀୟ ସାଂସଦ କି ବିଧାୟକ? ପ୍ରଶାସନ କି ସରକାର? ନା ଅଞ୍ଚଳର ସଚେତନ ଜନସାଧାରଣ ଆଗକୁ ଆସି ଆନ୍ଦୋଳନ କରିବେ?
ଏହି ବାଇପାସ୍ ଦାବିକୁ ନେଇ ସମାଜସେବୀ ସୁରେଶ ରାଓ ଏବଂ ଅନେକ ସମାଜ ସେବା ସଂସ୍ଥା ଦୀର୍ଘ ଦିନ ଧରି ସରକାରଙ୍କ ନଜରକୁ ବିଷୟଟି ଆଣିବା ପାଇଁ ଲଢ଼େଇ କରିଆସୁଛନ୍ତି। ସେ ବିଭିନ୍ନ ସମୟରେ ମୁଖ୍ୟ ମନ୍ତ୍ରୀ ଏବଂ ପ୍ରଶାସନ ଓ ସରକାରଙ୍କୁ ଦାବିପତ୍ର ପ୍ରଦାନ କରିଥିବା ସହ କେସିଙ୍ଗା ସହରର ଯାତାୟାତ ସମସ୍ୟା ଓ ସାଧାରଣ ଲୋକଙ୍କ ଅସୁବିଧା ସମ୍ପର୍କରେ ଅବଗତ କରାଇଆସୁଛନ୍ତି। ତାଙ୍କ ମତରେ, ବାଇପାସ୍ ରାସ୍ତା ନିର୍ମାଣ ହେଲେ କେସିଙ୍ଗା ସହରର ଟ୍ରାଫିକ ସମସ୍ୟାର ବହୁ ଅଂଶରେ ସମାଧାନ ହେବ ଏବଂ ଦୁର୍ଘଟଣାର ଆଶଙ୍କା ମଧ୍ୟ କମିବ।
ଦୀର୍ଘ ଦିନ ଧରି ବାଇପାସ୍ ଦାବି ଉଠୁଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ପଦକ୍ଷେପ ନେଇଯାଇନଥିବାରୁ ସହରବାସୀ ନିରାଶା ପ୍ରକାଶ କରୁଛନ୍ତି। ଅନେକ ସମାଜସେବୀ ଓ ବୁଦ୍ଧିଜୀବୀ ମତ ଦେଇଛନ୍ତି ଯେ, କେସିଙ୍ଗାର ଭବିଷ୍ୟତ ଉନ୍ନତି ଓ ସୁରକ୍ଷିତ ଯାତାୟାତ ବ୍ୟବସ୍ଥା ପାଇଁ ଏକ ସୁଯୋଜିତ ବାଇପାସ୍ ରାସ୍ତା ଅତ୍ୟନ୍ତ ଜରୁରୀ।ସାଧାରଣ ଜନତାଙ୍କ ଆଶା ରହିଛି ଯେ, ସରକାର ଓ ସମ୍ପୃକ୍ତ ବିଭାଗ ଶୀଘ୍ର ଏହି ଦିଗରେ ଗୁରୁତ୍ୱ ଦେଇ ପଦକ୍ଷେପ ନେବେ ଏବଂ କେସିଙ୍ଗା ସହରକୁ ମଧ୍ୟ ବାଇପାସ୍ ସୁବିଧା ଯୋଗାଇବେ।
What's Your Reaction?